ବିହାର ରୋହତାସରେ ଅଘଟଣ, ସୋନ ନଦୀରେ ଗାଧୋଇବା ବେଳେ ବୁଡିଗଲେ ୭ ପିଲା, ଗୋଟିଏ ପରିବାରର ୫ ମୃତ

Published By : Prameya-News7 Bureau | October 06, 2024 IST

ରୋହତାସ ୬।୧୦: ବିହାର ରୋହତାସରେ ରବିବାର ସୋନ ନଦୀରେ ଗାଧୋଉଥିବା ବେଳେ ୭ ଜଣ ପିଲା ବୁଡିଯାଇଛନ୍ତି। ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ସନ୍ଧାନ ଜାରି ରହିଛି। ମୃତ ଓ ନିଖୋଜ ପିଲାମାନେ ଗୋଟିଏ ପରିବାରର ବୋଲି ରୋହତାସ ଥାନା ଆଇଆଇସି ସୂଚନା ଦେଇଛନ୍ତି। ବୁଡ଼ାଳୀମାନେ ପାଣି ତଳେ ୨ ପିଲାଙ୍କ ସନ୍ଧାନ କରୁଛନ୍ତି। ରୋହତାସ ଥାନା ତୁମ୍ବା ଗାଁରେ ଏହି ଅଘଟଣ ଘଟିଛି। ନଦୀରେ ପିଲାମାନେ ଗାଧୋଉଥିବା ବେଳେ ଗଭୀର ପାଣିକୁ ଯାଇ ବୁଡ଼ି ଯାଇଛନ୍ତି। 

ବୁଡିଯାଇଥିବା ପିଲାଙ୍କ ମଧ୍ୟରୁ ୪ ଜଣ କୃଷ୍ଣା ଗୋଣ୍ଡ ନାମକ ଜଣେ ବ୍ୟକ୍ତିଙ୍କର ହୋଇଥିବା ବଳେ ଗୋଟିଏ ଝିଅ ତାଙ୍କ ଭଉଣୀଙ୍କର। ପିଲା ବୁଡିଯାଉଥିବା ଦେଖି ଲୋକେ ତୁରନ୍ତ ନଦୀକୁ ଡେଇଁ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ୫ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ନିଖୋଜ ପିଲାଙ୍କୁ ନଦୀରେ ସନ୍ଧାନ କରାଯାଉଛି। ତୁମ୍ବା ଗାଁର ଗୋଲୁ କୁମାର ପିଲା ନଦୀରେ ବୁଡିଯାଉଥିବା ବେଳର ପ୍ରତ୍ୟକ୍ଷଦର୍ଶୀ। ତାଙ୍କ ଅନୁସାରେ ପିଲା ଜଣେ ଜଣକୁ ବଞ୍ଚାଇବାକୁ ଉଦ୍ୟମ କରି ସମସ୍ତେ ବୁଡ଼ି ଯାଇଛନ୍ତି।   

ଦୁର୍ଘଟଣା ସୂଚନା ପାଇ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି। ରୋହତାସ ଥାନା ଆଇଆଇସି ସୂଚନା ମିଳିବା ମାତ୍ରେ ଟିମ୍‌ ସହ ପହଞ୍ଚିଥିବାର କହିଛନ୍ତି। ତେବେ ସେତେବେଳକୁ ସ୍ଥାନୀୟ ଲୋକେ ୫ ପିଲାଙ୍କ ଶବ ଉଦ୍ଧାର କରିସାରିଥିଲେ। ପୋଲିସ ଶବଗୁଡିକ ଜବତ କରିଛି। ଅନ୍ୟ ୨ ପିଲାଙ୍କ ଉଦ୍ଧାର ପାଇଁ ଏସଡିଆରଏଫ ଟିମ୍‌ର ବୁଡାଳୀ ଉଦ୍ୟମ ଜାରି ରଖିଛନ୍ତି। ମୃତ ଓ ନିଖୋଜ ପିଲାଙ୍କ ବୟସ ୫ରୁ ୧୨ ବର୍ଷ ମଧ୍ୟରେ। ଉଦ୍ଧାର ଶବଗୁଡିକୁ ପୋଷ୍ଟମର୍ଟମ ପାଇଁ ସାସାରାମ ସଦର ହସ୍ପିଟାଲକୁ ପଠାଇ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.