ମହିଳାଙ୍କୁ ମିଳିବ କି ପିରିୟଡ ଲିଭ୍ ? କ’ଣ କହିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | July 08, 2024 IST

ନୂଆଦିଲ୍ଲୀ ୮/୭: ମହିଳାଙ୍କୁ ମିଳିବ କି ପିରିୟଡ ଲିଭ୍‌ । କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଜନିତ ଛୁଟି ସଂପର୍କୀତ ଜନସ୍ବାର୍ଥ ମାମଲାର ଶୁଣାଣିକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ । ଏହା ରାଜ୍ୟ ସରକାର ଓ ବିଭିନ୍ନ ସଂସ୍ଥାର ନୀତିଗତ ମାମଲା ହୋଇଥିବାରୁ କୋର୍ଟ ଏହା ଉପରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ଆବେଦନକାରୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ସଚିବ ଓ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କ ପାଖରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ଟି.ୱାଇ ଚନ୍ଦ୍ରଚୂଡଙ୍କ ୩ ଜଣିଆ ଖଣ୍ଡପୀଠ । 

ନୀତିଗତ ସ୍ତରରେ ଏହି ମାମଲାକୁ ଦୃଷ୍ଟି ଦେବାକୁ ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ମହିଳାଙ୍କୁ ରୁତୁସ୍ରାବ ଜନିତ ଛୁଟି ମାମଲାରେ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ଏକ ଆଦର୍ଶ ନୀତି ପ୍ରସ୍ତୁତ କରାଯାଇପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ମହିଳା କର୍ମଚାରୀଙ୍କୁ ପିରିୟଡ ଲିଭ ମିଳିଲେ ସେମାନଙ୍କ ମଧ୍ୟରେ କାମ କରିବାକୁ ଆଗ୍ରହ ବଢିବ କିନ୍ତୁ ଏଭଳି ଛୁଟି ବାଧ୍ୟତାମୂଳକ ହେଲେ ଏହାର ଅପବ୍ୟବହାର ହେବାର ଆଶଙ୍କା ରହିଥିବା କହିଛନ୍ତି ସୁପ୍ରିମକୋର୍ଟ । ଏବେ ବିହାର ଏବଂ କେରଳରେ ମହିଳାମାନଙ୍କୁ ଋତୁସ୍ରାବ ଛୁଟି ମିଳୁଛି । ମହିଳା କର୍ମଚାରୀଙ୍କ ପାଇଁ ବିହାରରେ ଦୁଇ ଦିନିଆ ଛୁଟି ନିୟମ ଥିବାବେଳେ କେରଳରେ ଛାତ୍ରୀଙ୍କ ପାଇଁ ତିନି ଦିନିଆ ଛୁଟି ପାଇଁ ବ୍ୟବସ୍ଥା ରହିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.