ଅର୍ଥାଭାବରୁୁ ଡାକ୍ତରୀ ପଢାରୁ ବଞ୍ଚିତ ଥିଲେ, ଆଜି ସଫଳ ଉଦ୍ୟୋଗୀ

Published By : Prameya-News7 Bureau | June 09, 2023 IST

ନୂଆଦିଲ୍ଲୀ ୦୯/୦୬; ସଫଳ ହେବାକୁ ଆବଶ୍ୟକ ପରିଶ୍ରମ ଏବଂ ଇଚ୍ଛା ଶକ୍ତି। ସେଭଳି ନିଆରା ଚିନ୍ତା ଏବଂ କଷ୍ଟ କରି ସଫଳ ଉଦ୍ୟୋଗୀ ହୋଇଛନ୍ତି ବା‌ବିକନ୍ ଲିମିଟେଡ୍‌ର ପ୍ରତିଷ୍ଠାତା କିରଣ ମଜୁମଦାର ଶ। ୧୯୫୩ରେ ବାଙ୍ଗାଲୋରର ଏକ ଗୁଜୁରାଟୀ ପରିବାରରେ କିରଣଙ୍କ ଜନ୍ମ। ତାଙ୍କ ବାପା ରସେନ୍ଦ୍ର ମଜୁମଦାର ମୃଦୁ ପାନୀୟ ପ୍ରସ୍ତୁତକାରୀ ସଂସ୍ଥା ୟୁନାଇଟେଡ୍‌ ବ୍ରିୱେରିଜ୍‌ରେ ବ୍ରିଉ ମାଷ୍ଟର ଭାବେ ଚାକିରି କରୁଥିଲେ। କିରଣ ଡାକ୍ତରୀ ପାଠ ପଢ଼ିବାକୁ ଇଚ୍ଛା କରିଥିଲେ ସୁଦ୍ଧା ସ୍କଲାରସିପ୍ ନପାଇବାରୁ ସେଥିରେ ବିଫଳ ହୋଇଥିଲେ। ତାପରେ ଫର୍‌ମେଣ୍ଟେସନ୍ ସାଇନ୍ସ ପଢ଼ିବା ପାଇଁ ଅଷ୍ଟ୍ରେଲିଆ ଯାଇ ମେଲ୍‌ବୋର୍ନ ବିଶ୍ବବିଦ୍ୟାଳୟର ବାଲାବର୍ଟ କଲେଜରେ ନାଁ ଲେଖାଇଲେ। ୧୯୭୫ରେ ମାଷ୍ଟର ବ୍ରିଉଅର ଡିଗ୍ରୀ ଲାଭ କରିଥିଲେ କିରଣ। ଏହି ପାଠ୍ୟକ୍ରମରେ ସେ ଥିଲେ ଏକମାତ୍ର ଝିଅ। କଲେଜରେ ସେ ଟପର ହୋଇଥିଲେ।

ତାପରେ କାର୍ଲଟନ୍ ଏଣ୍ଡ୍ ୟୁନାଇ‌ଟେଡ୍‌ ବ୍ରିୱେରିଜ୍‌ରେ ‌ଟ୍ରେନି ବ୍ରିଉଅର ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟ‌ରେ ଭାରତ ଫେରିଆସି କୋଲ୍‌କାତାର ଜୁପିଟର ବ୍ରିୱେରିଜ୍‌ରେ ସେ ଯୋଗ ଦେଲେ। ଜଣେ ମହିଳା ହୋଇଥିବାରୁ ମାଷ୍ଟର ବ୍ରିଉଅର ଭାବେ ନିଯୁକ୍ତି ଦେବାକୁ କମ୍ପାନିମାନେ ତାଙ୍କୁ ମନା କରିଦେଉଥିଲେ। ଏଥିରେ ନିରୁତ୍ସାହିତ ନ ହୋଇ ପୁଣିଥରେ ବିଦେଶ ଯିବାକୁ ସେ ମନ ବଳାଇଲେ। ସ୍କଟ୍‌ଲାଣ୍ଡ୍‌ ଯାଇ ବାୟୋକନ୍ ବାୟୋକେମିକାଲ୍‌ସ ଲିମିଟେଡ୍‌ କମ୍ପାନିରେ କାମ କଲେ। ସେହି କମ୍ପାନି ମୃଦୁ ପାନୀୟ ପ୍ରସ୍ତୁତି, ଫୁଡ୍‌ ପ୍ୟାକେଜିଂ ଏବଂ ବୟନ ଶିଳ୍ପରେ ବ୍ୟବହାର କରାଯାଉଥିବା ଏନ୍‌ଜାଇମ୍ ପ୍ରସ୍ତୁତ କରୁଥିଲା। କମ୍ପାନିର ପ୍ରତିଷ୍ଠାତା ଲେସଲି କିରଣଙ୍କ ଦକ୍ଷତା ଓ ବୁଦ୍ଧିମତା ଦେଖି ମ୍ୟାନେଜର ପଦବିରେ ନିଯୁକ୍ତି ଦେଇଥିଲେ।

Self-made billionaire Kiran Mazumdar Shaw on taking sexism head on

କିଛି ବର୍ଷର ଅଭିଜ୍ଞତା ଘେନି ସେ ୧୯୭୮ରେ ଭାରତ ଫେରିଆସି ‌ବେଙ୍ଗାଲୁରୁରେ ମାତ୍ର ଦଶ ହଜାର ଟଙ୍କାରେ ନିଜସ୍ବ ସଂସ୍ଥା ଆରମ୍ଭ କଲେ। ସେତେବେଳେ ତାଙ୍କୁ ବ୍ୟାଙ୍କ୍‌ମାନେ ଋଣ ଦେବାକୁ ମନା କରିଦେଉଥିଲେ। ନିଜସ୍ବ ଉଦ୍ୟମ ବଳରେ ପାଣ୍ଠି ଯୋଗାଡ଼ କରି ତିନି ହଜାର ବର୍ଗଫୁଟ୍‌ ଜାଗାରେ ଫ୍ୟାକ୍ଟ୍ରି ଆରମ୍ଭ କଲେ କିରଣ। ପାପେନ୍ ନାମକ ଏନ୍‌ଜାଇମ୍ ପ୍ରସ୍ତୁତିରେ ସେ ସଫଳ ହେଲେ। ତାହା ଥିଲା ଏନ୍‌ଜାଇମ୍ ପ୍ରସ୍ତୁତି କରୁଥିବା ପ୍ରଥମ ସଂସ୍ଥା ଯିଏ ଆମେରିକା ଏବଂ ୟୁରୋପକୁ ରପ୍ତାନି ଆରମ୍ଭ କରିଥିଲା। ଏନ୍‌ଜାଇମ୍‌ରୁ ବାଓଫାର୍ମାଟିକାଲ୍ସ କମ୍ପାନିରେ ରୂପାନ୍ତରିତ ହେଲା ବାୟୋକନ୍। ୧୯୮୪ରେ ତାଙ୍କ କମ୍ପାନି ନୂଆ ଫର୍ମେଣ୍ଟେସନ୍ ପଦ୍ଧତି ବିକଶିତ କରି ଚର୍ଚ୍ଚିତ ହୋଇଥିଲା। କମ୍ ମୂଲ୍ୟରେ ଔଷଧ ପ୍ରସ୍ତୁତି ଦିଗରେ କିରଣ ଗୁରୁତ୍ବ ଦେଲେ ଏବଂ ସଫଳ ହେଲେ।

Biocon Limited – The Pharmaceutical Giant With A Gentle Heart | Growfers

ସ୍ବାମୀ ଜନ୍ ଶ’ଙ୍କ ସହ ମିଶି କିରଣ ମଜୁମଦାର ଶ ଫା‌ଉଣ୍ଡେସନ୍ ପ୍ରତିଷ୍ଠା କରିଛନ୍ତି। ଏହି ସଂସ୍ଥା ଗରିବ ପରିବାରର ଶିକ୍ଷା, ସ୍ବାସ୍ଥ୍ୟ, କଳା ଓ ସଂସ୍କୃତି ଦିଗରେ କାର୍ଯ୍ୟ କରିଥାଏ। ‌ବେଙ୍ଗାଲୁରୁରେ ଏହି ସଂସ୍ଥା ତରଫରୁ ୧୪ ଶହ ଶଯ୍ୟା ବିଶିଷ୍ଟ କ୍ୟାନ୍‌ସର ହସ୍‌ପିଟାଲ୍‌ ଖୋଲାଯାଇଛି। ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ହେତୁ ପ୍ରାକ୍ତନ ରାଷ୍ଟ୍ରପତି ଅବଦୁଲ କଲାମ କିରଣଙ୍କୁ ସମ୍ମାନିତ କରିଥିଲେ। ବ୍ୟବସାୟିକ ସଫଳତା ଏବଂ ନୂଆ ନୂଆ ଉଦ୍ଭାବନ ପାଇଁ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ବୀକୃତି ଲାଭ କରିଥିବା କିରଣ ମଜୁମଦାରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୮ ହଜାର ୯୫୦ କୋଟି ଟଙ୍କ‌ା। ଦିନେ ଅର୍ଥାଭାବରୁୁ ଡାକ୍ତରୀ ପାଠରୁ ବଞ୍ଚିତ ହୋଇଥିବା କିରଣ ନିଜ ଦକ୍ଷତା ବଳ‌ରେ ଆଜି ସଫଳତାର ଶିଖର ଛୁଇଁଛନ୍ତି। ତାଙ୍କ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.