ଭୁବନେଶ୍ବର ୫।୧୧: ମେଘନାଦ ପାଚେରୀ ଫାଟ ନେଇ ବିଜେପି ଅଭିଯୋଗର କଡା ଜବାବ ରଖିଲା ବିଜେଡି । ବିଜେପି ନେତା କ’ଣ ବୈଷୟିକ ବିଶେଷଜ୍ଞ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ସେ କହିଛନ୍ତି, ବିଜେପି ନେତାଙ୍କୁ ମୋର ପରାମର୍ଶ ଯାହା କହୁଛନ୍ତି ଭାବିଚିନ୍ତି କୁହନ୍ତୁ । ଯିଏ ଏତେ ବଡ଼ ପରିକ୍ରମା ପ୍ରକଳ୍ପ କଲା ସେ କ’ଣ ମନ୍ଦିରର କ୍ଷତି କରିବା ପାଇଁ କରିଛି । ଏମିତି ଯିଏ ଭାବୁଛନ୍ତି ସେମାନେ ତାଙ୍କ ଭାବନା ସଂଶୋଧନ କରନ୍ତୁ । ବିଜେପି ନେତା ସୁସ୍ଥ ମାନସିକତା ରଖି ନିଜ ବିବୃତିର ଓଜନ ରଖନ୍ତୁ ବୋଲି ଗଣେଶ୍ବର କହିଛନ୍ତି ।
ସେପଟେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମେଘନାଦ ପାଚେରୀରେ ଥିବା ଫାଟ ଅନେକ ଦିନର । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଉଚ୍ଛେଦ ଯୋଗୁଁ ଏହି ଫାଟ ହୋଇଛି । ଏ ନେଇ ଏଏସ୍ଆଇକୁ ଚିଠି ଲେଖା ହୋଇଥିଲା । ତେବେ ସେ ଫାଟର ଗୋଟିଏ ସ୍ଥାୟୀ ମରାମତି ପାଇଁ ଏଏସ୍ଆଇ ପ୍ରକ୍ରିୟା ଆରମ୍ଭ କରିଛି । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଫାଟ ଗୁଡ଼ିକର ସ୍ଥାୟୀ ମରାମତି କରିବା ସହ ମନ୍ଦିରର ବିଭିନ୍ନ ସ୍ଥାନରୁ ଯେଉଁ ପାଣି ଗଳୁଛି ତାକୁ ନେଇ ମଧ୍ୟ ଗୋଟିଏ କମ୍ପ୍ରେହେନସିଭ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି । ଖୁବ୍ ଶୀଘ୍ର ସେସବୁର କାମ ଶେଷ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଥିବା ରାମଦୟା ପରିଷଦ ନିକଟ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି । ଆନନ୍ଦ ବଜାରର ହାତ ଧୁଆ ପାଣି ଡ୍ରେନ୍ରେ ନିଷ୍କାସିତ ହେବା ପରିବର୍ତ୍ତେ ମେଘନାଦ ପାଚେରୀରେ ଥିବା ଫାଟ ଦେଇ ନିଷ୍କାସିତ ହେଉଛି । ମେଘନାଦ ପାଚେରୀରେ ପାଣି ଲିକେଜ୍ କରି ଶିଉଳି ଲାଗି ଲାଗିଯାଇଛି ।
You Can Read:
ବିଭିନ୍ନ ସମୟରେ ଉଚ୍ଛେଦ ଯୋଗୁଁ ମେଘନାଦ ପାଚେରୀରେ ଫାଟ ହୋଇଛି : ଆଇନ ମନ୍ତ୍ରୀ