ବିଭିନ୍ନ ସମୟରେ ଉଚ୍ଛେଦ ଯୋଗୁଁ ମେଘନାଦ ପାଚେରୀରେ ଫାଟ ହୋଇଛି : ଆଇନ ମନ୍ତ୍ରୀ

Published By : Prameya-News7 Bureau | November 05, 2024 IST

ଭୁବନେଶ୍ବର ୫।୧୧: ମେଘନାଦ ପାଚେରୀରେ ଥିବା ଫାଟ ଅନେକ ଦିନର । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଉଚ୍ଛେଦ ଯୋଗୁଁ ଏହି ଫାଟ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏ ନେଇ ଏଏସ୍‌ଆଇକୁ ଚିଠି ଲେଖା ହୋଇଥିଲା । ତେବେ ସେ ଫାଟର ଗୋଟିଏ ସ୍ଥାୟୀ ମରାମତି ପାଇଁ ଏଏସ୍‌ଆଇ ପ୍ରକ୍ରିୟା ଆରମ୍ଭ କରିଛି । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଫାଟ ଗୁଡ଼ିକର ସ୍ଥାୟୀ ମରାମତି କରିବା ସହ ମନ୍ଦିରର ବିଭିନ୍ନ ସ୍ଥାନରୁ ଯେଉଁ ପାଣି ଗଳୁଛି ତାକୁ ନେଇ ମଧ୍ୟ ଗୋଟିଏ କମ୍ପ୍ରେହେନସିଭ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି । ଖୁବ୍ ଶୀଘ୍ର ସେସବୁର କାମ ଶେଷ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ସେପଟେ ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳିବା ଖବର ପ୍ରସାରଣ ପରେ ଆକ୍ସନ ମୁଡ୍‌କୁ ଆସିଥିଲା ଏଏସ୍‌ଆଇ । ଘଟଣାକୁ ଗୁରୁତ୍ବର ସହ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲା ଏଏସ୍‌ଆଇ । ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ ଓ ଉତ୍ତର କୋଣରୁ ପାଣି ଝରୁଛି । ଶ୍ରୀମନ୍ଦିର ଭିତରର ବିଭିନ୍ନ ସ୍ଥାନର ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା, ହାତଧୂଆ ପାଣି ଓ ଏବଂ ପାଣି ପାଇପ୍‌କୁ ଶୀଘ୍ର ମରାମତି କରିବାକୁ ଏଏସ୍‌ଆଇ ମନ୍ଦିର ପ୍ରଶାସନକୁ କହିଥିଲା । ପ୍ରାଚୀନ କୀର୍ତ୍ତିରାଜି ମେଘନାଦ ପାଚେରୀର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଥିବା ରାମଦୟା ପରିଷଦ ନିକଟ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି । ଆନନ୍ଦ ବଜାରର ହାତ ଧୁଆ ପାଣି ଡ୍ରେନ୍‌ରେ ନିଷ୍କାସିତ ହେବା ପରିବର୍ତ୍ତେ ମେଘନାଦ ପାଚେରୀରେ ଥିବା ଫାଟ ଦେଇ ନିଷ୍କାସିତ ହେଉଛି । ମେଘନାଦ ପାଚେରୀରେ ପାଣି ଲିକେଜ୍ କରି ଶିଉଳି ଲାଗି ଲାଗିଯାଇଛି ।


You Can Read:

ସାବାଡ ହେବେ ଠକ ରାଜସ୍ୱ ଅଧିକାରୀ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ସଚିବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.