ମେକ୍‌ ଇନ୍‌ ଇଣ୍ଡିଆର ପ୍ରଭାବ, ପ୍ରତିରକ୍ଷା ରପ୍ତାନୀରେ ଭାରତର ନୂଆ ରେକର୍ଡ

Published By : Prameya-News7 Bureau | April 01, 2025 IST

ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆର ପ୍ରଭାବ। ପ୍ରତିରକ୍ଷା ରପ୍ତାନୀରେ ନୂଆ ରେକର୍ଡ କଲା ଭାରତ। ୨୦୨୪-୨୫ରେ ରେକର୍ଡ ସଂଖ୍ୟକ ପ୍ରତିରକ୍ଷା ଉତ୍ପାଦ ରପ୍ତାନୀ କରି ଏହି ନୂଆ ରେକର୍ଡ କରିଛି ଭାରତ। ଯାହା ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍‌ ଇଣ୍ଡିଆର ପ୍ରଭାବର ସ୍ପଷ୍ଟ ପ୍ରମାଣ ଦେଉଛି। ଆଉ ଭାରତ କିପରି ଏହି କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ତାହା ସହଜରେ ବାରି ହୋଇପଡ଼ୁଛି। 

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଭାରତ ଏବେ ଆମଦାନୀ ଉପର ନିର୍ଭର ବଦଳରେ ଆତ୍ମନିର୍ଭରତା କ୍ଷେତ୍ରରେ ଆଗକୁ ବଢ଼ୁଛି। ଏବେ ପ୍ରତିରକ୍ଷା ରପ୍ତାନୀ ବୃଦ୍ଧି କରିବା ପାଇଁ ଗୋଳା- ବାରୁଦ, ହତିଆର ଏବଂ ଅନ୍ୟ ପ୍ରତିରକ୍ଷା ଉତ୍ପାଦ ୮୦ ଦେଶଙ୍କୁ ରପ୍ତାନୀ କରାଯାଉଛି। ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କହିଛନ୍ତି, ୨୦୨୪-୨୫ରେ ଭାରତ ରେକର୍ଡ ସଂଖ୍ୟକ ୨୩ ହଜାର ୬୨୨ କୋଟି ଟଙ୍କାର ଡିଫେନ୍ସ ସାମଗ୍ରୀ ରପ୍ତାନୀ କରିଛି। ଯେଉଁଥିରେ ଗୋଳା-ବାରୁଦ, ହତିଆର ଏବଂ ଅନ୍ୟ ସାମଗ୍ରୀ ରହିଛି। ସେ କହିଛନ୍ତି ୨୦୨୪-୨୫ରେ କରାଯାଇଥିବା ପ୍ରତିରକ୍ଷା ରପ୍ତାନୀ ଗତ ବର୍ଷ ତୁଳନାରେ ୧୨.୦୪ ପ୍ରତିଶତ ଅଧିକ।

ସରକାରଙ୍କ ଦ୍ବାରା ସ୍ବଦେଶୀ ଉତ୍ପାଦନ ଏବଂ ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନକୁ ପ୍ରୋତ୍ସାହନ କରିବା ଯୋଗୁ ଭାରତ ବିଶ୍ବ ପ୍ରତିରକ୍ଷା ଚାହିଦା ଶୃଙ୍ଖଳାରେ ମହତ୍ବପୂର୍ଣ୍ଣ ଭୂମିକା ନେଇଛି। ଏହା ବାଦ୍ ୨୦୨୪- ୨୫ରେ ୧ ହଜାର ୭୬୨ ରପ୍ତାନୀ ପ୍ରାଧିକରଣ ଜାରି କରାଯାଇଛି। ଯାହା ଗତ ବର୍ଷ ତୁଳନାରେ ୧୭.୪ ପ୍ରତିଶତ ଅଧିକ। ଯାହା ଦର୍ଶାଉଛି ଅନ୍ତର୍ଜାତୀୟ ବଜାରରେ ଭାରତୀୟ ପ୍ରତିରକ୍ଷା ଉତ୍ପାଦର ଚାହିଦା ଦ୍ରୁତ ଭାବରେ ବଢ଼ୁଛି।

୫୦ ହଜାର କୋଟି ହେବ ପ୍ରତିରକ୍ଷା ରପ୍ତାନୀ

ଭାରତ ୨୦୨୯ ସୁଦ୍ଧା ୫୦ ହଜାର କୋଟି ଟଙ୍କାର ପ୍ରତିରକ୍ଷା ରପ୍ତାନୀ ଲକ୍ଷ୍ୟ ହାସଲ ପାଇଁ ପ୍ରସ୍ତୁତ। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ସରକାର ପ୍ରତିରକ୍ଷା ବିନିର୍ମାଣ କ୍ଷେତ୍ରରେ ନିବେଶ ବଢ଼ାଉଛନ୍ତି। ନୂଆ ଟେକ୍ନୋଲୋଜିକୁ ଆପଣାଇବା ଉପରେ ଜୋର ଦିଆଯାଉଛି। ପ୍ରତିରକ୍ଷା ଉଦ୍ୟୋଗରେ ଘରୋଇ କ୍ଷେତ୍ରର ଭାଗିଦାରୀକୁ ପ୍ରୋତ୍ସାହିତ କରାଯାଉଚି। ପ୍ରତିରକ୍ଷା କ୍ଷେତ୍ରରେ ଏହି ବୃଦ୍ଧି ଆତ୍ମନିର୍ଭର ଭାରତ ଅଭିଯାନକୁ ଆହୁରି ମଜଭୁତ କରୁଛି ଏବଂ ଦେଶକୁ ବିଶ୍ବରେ ପ୍ରତିରକ୍ଷା ବଜାରରେ ଏକ ପ୍ରମୁଖ ନିର୍ଣ୍ଣାୟକ ଭାବରେ ସ୍ଥାପିତ କରିବା ଦିଗରେ ମହତ୍ବପୂର୍ଣ୍ଣ ପଦକ୍ଷେପ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.