ଯୁଦ୍ଧ ବନ୍ଦ୍‌ ନକଲେ ତେଲରେ ୫୦% ଟାରିଫ୍, ଚଳିତ ସପ୍ତାହରେ ଅନ୍ତିମ ଆଲୋଚନା

Published By : Prameya-News7 Bureau | March 31, 2025 IST

ନୂଆଦିଲ୍ଲୀ ୩୧/୦୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ତେଲ ଉପରେ ପୁଣି ଥରେ ଟାରିଫ ଲଗାଇବା ନେଇ ଘୋଷଣା କରିଛନ୍ତି । ରୁଷ ୟୁକ୍ରେନ ଯୁଦ୍ଧ ବନ୍ଦ କରାଇବା ଉଦ୍ୟମରେ ଯଦି ରୁଷ କୌଣସି ପ୍ରତିବନ୍ଧକ ସୃଷ୍ଟି କରେ ତେବେ ତୈଳ କ୍ଷେତ୍ରରେ ୨୫ରୁ ୫୦% ଟାରିଫ ଲାଗୁ କରାଯିବ ବୋଲି ଟ୍ରମ୍ପ ରବିବାର କହିଛନ୍ତି । ଯୁଦ୍ଧ ବିରତି ଘୋଷଣା ନ ହେଲେ ଗୋଟିଏ ମାସ ମଧ୍ୟରେ ଏହି ଟାରିଫ ଲାଗୁ ହେବାର ଢ଼େର ସମ୍ଭାବନା ରହିଛି । 

ଯୁଦ୍ଧ ପ୍ରସଙ୍ଗରେ ପୁଟିନଙ୍କ ସହ ଚଳିତ ସପ୍ତାହରେ ଆଲୋଚନା କରିବେ ବୋଲି କହିଛନ୍ତି ଟ୍ରମ୍ପ । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଅଭିଯାନରେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ କହିଥିଲେ ଟ୍ରମ୍ପ । ଜାନୁଆରି ୨୦ରେ ଦାୟିତ୍ୱ ଗ୍ରହଣ କରିବା ପରେ ଏ ନେଇ କାର୍ଯ୍ୟକ୍ରମ ସେ ଗ୍ରହଣ କରିଛନ୍ତି । ୟୁକ୍ରେନରେ ପୁଣି ଥରେ ନିର୍ବାଚନ କରାଇବା ଏବଂ ଜେଲେନେସ୍କିଙ୍କୁ ଏକଛାତ୍ରବାଦି ବୋଲି ସେ କହିଥିଲେ । 

ଟ୍ରମ୍ପ ଶୁକ୍ରବାର କହିଲେ, ୟୁକ୍ରେନ ଏବେ ଅନ୍ତରୀଣ ପ୍ରଶାସନ ବ୍ୟବସ୍ଥା ଗ୍ରହଣ କରୁ । ଏହା ପରେ ନୂଆ ନିର୍ବାଚନ ଲାଗି ପ୍ରକ୍ରିୟା ଆଗାଉ । ଏହା ଦ୍ୱାରା ଜେେଲେନେସ୍କିଙ୍କୁ ଗାଦିଚ୍ୟୁତ କରାଯାଉ । ରୁଷ ଏବଂ ଆମେରିକା ମିଳିତ ଭାବେ ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ଚାହୁଁଛୁ । ଏଭଳି ସ୍ଥିତିରେ ଯଦି ରୁଷ ମଧ୍ୟ ଯୁଦ୍ଧ ବନ୍ଦ କରିବାରେ କୌଣସି ସମସ୍ୟା ସୃଷ୍ଟି କରେ ରୁଷରୁ ଆସୁଥିବା ତେଲ ଉପରେ ପୁଣି ଥରେ ଟାରିଫ ଲାଗୁ ହେବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି । 

ରୁଷରୁ ଯଦି ତେଲ କିଣିବେ ତେବେ ଆମେରିକା ସହ ବାଣିଜ୍ୟ କରିବା ମୁସ୍କିଲ ହେବ ବୋଲି ଟ୍ରମ୍ପ କହିଛନ୍ତି । ଏବେ ରୁଷ-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ ଉଦ୍ୟମ ଜାରି ରଖିଛନ୍ତି । ଏହି ଯୁଦ୍ଧ ବନ୍ଦ ହେଲେ ବିଶ୍ୱ ଅର୍ଥନୀତି ଉପରେ ଭଲ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ।

  • odisha
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.