ଭୁବନେଶ୍ବର ୧୩।୭: ଫକୀରମୋହନ କଲେଜ ଛାତ୍ରୀ ଆତ୍ମହୂତୀ ଉଦ୍ୟମ ଘଟଣାରେ ବରିଷ୍ଠ ବିଜେଡ଼ି ନେତା ଦେବୀ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଛାତ୍ରୀ ଅସୁରକ୍ଷିତ । କଲେଜ କ୍ୟାମ୍ପସ୍ ହେଉ କି ବେଳାଭୂମି ସବୁଠି ଛାତ୍ରୀ ଅସୁରକ୍ଷିତ । ଫକୀରମୋହନ ଛାତ୍ରୀ ଆତ୍ମହତ୍ୟା ସହ ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ଯୋଡିଲେ ଦେବୀ ମିଶ୍ର । ସେ କହିଲେ ଶନିବାର ବିଜେଡି କମିଟି AIIMS ଯାଇଥିଲା । ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି, ଜାଣିବାକୁ ଆଉ ଏକ ଟିମ୍ ଆଜି ଯିବ । ଜଘନ୍ୟ ବୀଭତ୍ସ ଘଟଣା ଘଟିଛି । ସେ ଝିଅ ସମସ୍ତଙ୍କୁ ଜଣାଇଥିଲେ । ୧୦ ଦିନ ହୋଇଗଲା, କିଛି ହେଲାନି । ଛାତ୍ରୀ ସୁରକ୍ଷିତ ନୁହଁନ୍ତି । ଏହିସବୁ ଘଟଣା ରୋକିବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦେବୀ ମିଶ୍ର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ପରିସରରେ ଘଟିଥିଲା ଛାତିଥରା ଦୃଶ୍ୟ । ଭୋଗରାଇ ଅଞ୍ଚଳର ଛାତ୍ରୀ ଇଣ୍ଟିଗ୍ରେଟେଡ଼ ବିଇଡିର ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ହେଲେ ଏଚଓଡ଼ି ସମୀର କୁମାର ସାହୁ ତାଙ୍କୁ କିଛି ଦିନ ଧରି ମାନସିକ ନିର୍ଯାତନା ଦେଉଥିଲେ । ତାଙ୍କୁ ଫେବର ମାଗିବା ଭଳି ଛାତ୍ରୀ ଜଣକ ପୂର୍ବରୁ ଅଭିଯୋଗ ଆଣି ନ୍ୟାୟ ମାଗିଥିଲେ । ଏପରିକି ପ୍ରିନ୍ସିପାଲଙ୍କ ଠାରେ ଫେରାଦ ହୋଇଥିଲେ । ପରେ ତାଙ୍କୁ ଏଚ୍ଓଡ଼ି ଫେଲ୍ କରାଇ ଦେବାକୁ ଧମକ ଚମକ ଦେଇଥିଲେ ।
ପରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ଶେଷଥର ପାଇଁ ନ୍ୟାୟ ମାଗିବାକୁ ଆସିଥିଲେ । କିଏ ଜାଣିଥିଲା ନ୍ୟାୟ ମିଳିବା ବିଳମ୍ବ ହେଲେ ସେ ଆତ୍ମହତ୍ୟା କରିବେ ବୋଲି । ପ୍ରିନ୍ସିପାଲଙ୍କ ଚାମ୍ବରକୁ ଯିବାର ୧୦ ମିନିଟ୍ ପରେ ବାହାରକୁ ଆସି ଆଣିଥିବା ପେଟ୍ରୋଲକୁ ଦେହରେ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଜଳି ଜଳି ଦୌଡୁଥିବାର ଦୃଶ୍ୟ ବେଶ ହୃଦୟବିଦାରକ ଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ର ମଧ୍ୟ ଗୁରୁତର ହୋଇଥିଲେ । ଏହା ସିସିଟିଭିରେ କଏଦ ମଧ୍ୟ ହୋଇଛି ।
ତେବେ ଗୁରୁତର ଛାତ୍ରୀ ଜଣକ ବାଲେଶ୍ୱର ହସ୍ପିଟାଲ ଯିବାପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏମ୍ସ ସ୍ଥାନାନ୍ତର ହୋଇଥିଲେ । ପରେ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପ୍ରିନ୍ସିପାଲଙ୍କୁ ଘେରିଥିଲେ ଛାତ୍ରଛାତ୍ରୀ । ତେବେ ଆଇନ ଶୃଙ୍ଖଳା ପାଇଁ କଲେଜ ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଥିବାବେଳେ ଏସ୍ପି ଓ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିଥିଲେ ।
You Can Read: