ମୁମ୍ଵାଇ ୧୩।୦୭; ତେଲୁଗୁ ସିନେମା ଜଗତରେ ନିଜର ଅନନ୍ୟ ଅଭିନୟ ପାଇଁ ପ୍ରସିଦ୍ଧ ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ରବିବାର ସକାଳେ ହାଇଦ୍ରାବାଦରେ ଥିବା ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।
୧୯୪୨ ମସିହା ଜୁଲାଇ ୧୦ ତାରିଖରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର କଙ୍କିପାଡୁରେ ଜନ୍ମଗ୍ରହଣ କରିଥିବା କୋଟା ଶ୍ରୀନିବାସ ରାଓ ୧୯୭୮ରେ ତେଲୁଗୁ ଚଳଚ୍ଚିତ୍ର ‘ପ୍ରାଣମ ଖରୀଦୁ’ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ଼ ଓ ମଲୟାଲମ ସମେତ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଖଳନାୟକ, କମେଡ଼ି ଓ ଚରିତ୍ର ଭୂମିକାରେ ତାଙ୍କର ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲେ। ‘ଗାୟମ’, ‘ବୋମ୍ମାରିଲୁ’, ‘ଆହାନା ପେଲ୍ଲାଣ୍ଟା’, ‘ଶିବ’, ‘ଯମୁଦିକି ମୋଗୁଡ଼ୁ’, ‘ଆଥାଡୁ’ ଓ ‘ଜୁଲାୟୀ’ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଅବିସ୍ମରଣୀୟ। ସିନେମା ସହିତ ରାଜନୀତିରେ ମଧ୍ୟ ସେ ସକ୍ରିୟ ଥିଲେ। ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ସେ ବିଜେପି ଟିକେଟରେ ବିଜୟବାଡ଼ା ପୂର୍ବ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ସାମାଜିକ ଓ ସାଂସ୍କୃତିକ ଅବଦାନ ପାଇଁ ସେ ପଦ୍ମଶ୍ରୀ ସମେତ ନାନ୍ଦୀ ଓ ସିମା ପୁରସ୍କାର ପ୍ରାପ୍ତ କରିଥିଲେ।
ଅଭିନେତା ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ତେଲୁଗୁ ଚଳଚ୍ଚିତ୍ର ଓ ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, “କୋଟା ଶ୍ରୀନିବାସ ରାଓଙ୍କର ବିଚ୍ଛେଦ ସିନେମା ଓ ରଙ୍ଗମଞ୍ଚ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅଭିନୟ ତେଲୁଗୁ ଦର୍ଶକଙ୍କ ହୃଦୟରେ ଚିରସ୍ଥାୟୀ ରହିବ।” ଅଭିନେତାଙ୍କ ଅନ୍ତିମ ସଂସ୍କାର ହାଇଦ୍ରାବାଦରେ ତାଙ୍କ ବାସଭବନ ବାହାରେ ପ୍ରଶଂସକ ଓ ସମର୍ଥକମାନେ ଶେଷ ଦର୍ଶନ ପାଇଁ ଭିଡ଼ ଜମାଇଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।