ଏଫଏମ କଲେଜ ଛାତ୍ରୀ ଘଟଣାକୁ ନେଇ ତେଜିଲା ରାଜନୀତି, ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନବାଣ

Published By : Prameya-News7 Bureau | July 13, 2025 IST

ଭୁବନେଶ୍ଵର: ବାଲେଶ୍ଵର ଏଫଏମ କଲେଜର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ତେଜିଛି ରାଜନୀତି। ଏହି ଘଟଣାରେ ସରକାରକୁ ଘେରିଛନ୍ତି ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ। ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏମ୍ସ ଯାଇ ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

କଂଗ୍ରେସ ନେତା ସୁର ରାଉତରାୟଙ୍କ ସାଙ୍ଘାତିକ ଅଭିଯୋଗ ଆଣି ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି । ଝିଅକୁ ଭେଟିବାକୁ ଦେଲେ ନାହିଁ କାହିଁକି ? ଝିଅ ବଞ୍ଚିଛି କି ନାହିଁ ସନ୍ଦେହ ଉପୁଜୁଥିବା ନେଇ ଆଣିଲେ ପ୍ରଶ୍ନ । ଆସନ୍ତାକାଲି ରାଷ୍ଟ୍ରପତି ଆସୁଥିବା ବେଳେ ତାଙ୍କ ଗସ୍ତ ଦୃଷ୍ଟିରୁ ମୃତ୍ୟୁ କଥା ଲୁଚାଉଥିବା ନେଇ ସନ୍ଦେହ ସୃଷ୍ଟି କରୁଛି। ରାଷ୍ଟ୍ରପତି ଆମ ମାଟିର ଝିଅ ତାଙ୍କ ପାଇଁ ଢେର ସମ୍ମାନ ରହିଛି ଆମର କିନ୍ତୁ ଯଦି ମିଛ କୁହାଯାଇଛି ତେବେ ଏହା ସାଙ୍ଘାତିକ ବୋଲି ସେ କହିଛନ୍ତି । ଏମ୍ସ ବର୍ଣ୍ଣ ୱାର୍ଡକୁ ଯାଇ ପରିବାର ସହ ଆଲୋଚନା କରିଥିବା ବେଳେ ପୁଲିସ ବାହାରୁ ମଧ୍ୟ ଦେଖିବାକୁ ଦେଲା ନାହିଁ ବୋଲି କହିଛନ୍ତି ସୁର ରାଉତରାୟ । ଏହା ସହ ବିଜେପି ସରକାର ମା ଭଉଣୀଙ୍କୁ ସମ୍ମାନର କଥା କହୁଛି କିନ୍ତୁ ଏଠାରେ ଭଉଣୀଟେ ଜୀବନ ସହ ଲଢିଲା କେହି ତା କଥା ଶୁଣିଲେ ନାହିଁ କିମ୍ବା ସୁରକ୍ଷା ଦେଇ ପାରିଲେନି କହି ଘୋର ନିନ୍ଦା କରିଛନ୍ତି ।  ଅନ୍ୟପକ୍ଷରେ ପୀଡିତାଙ୍କ ବାପା ଖୋଦ ଦୁଃଖ କରିଛନ୍ତି । ଝିଅ ଯଦି ବଞ୍ଚିଛି ଉନ୍ନତ ମାନର ଚିକିତ୍ସା ଯୋଗାଇ ଦିଆଯାଉ ନଚେତ ଶୀଘ୍ର ସତ କୁହନ୍ତୁ ବୋଲି କହିଛନ୍ତି ସୁର ରାଉତରାୟ । 

ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସାଙ୍ଗକୁ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ସିଧାସଳଖ ଆରୋପ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଡାକ୍ତରଙ୍କ ସହ କଥା ହୋଇଛି । ଡାକ୍ତରଙ୍କ କହିବା ଅନୁଯାୟୀ ଆଉ ଦୁଇଘଣ୍ଟା ବିଳମ୍ବ ହୋଇଥିଲେ ଅନେକ ଅସୁବିଧା ହୋଇଥାନ୍ତା । ବଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ ଚାଲିଛି ଓ ସମସ୍ତ ଅତ୍ୟାଧୁନିକ ସେବା ଚାଲିଛି । ଶରୀରର ଫ୍ଲୁଏଡ଼ ଯାହା ଥିଲା ଶେଷ ହୋଇଯାଇଛି । ଉତ୍ତମ ଡ୍ରେସିଂ ଟ୍ରିଟମେଣ୍ଟ ଚାଲିଛି। ଡାକ୍ତର ମାନେ କହିଛନ୍ତି ଏମ୍ସ ଦିଲ୍ଲୀ ସହ ବି ଚାଲିଛି ଆଲୋଚନା । କିନ୍ତୁ ୬ ମାସ ହେଲା ଝିଅଟି ମାନସିକ ଉତ୍ପୀଡ଼ନର ଶିକାର ହେଉଥିଲା । ସମସ୍ତଙ୍କ ନିକଟରେ ସେ ଫେରାଦ ହୋଇଥିଲେ । ପରିବାର ଲୋକ ସମ୍ପୂର୍ଣ୍ଣ ଭାବେ  ଜାଣି ନଥିଲେ।  ଲୋକଲଜ୍ଜ୍ୟା ଭୟରେ ମୁହଁ ଖୋଲି ନ ଥିଲେ। ଝିଅ ଟ୍ୱିଟ କରିଛି, ଭିଡ଼ିଓ ଆସୁଛି ସାମ୍ନାକୁ ତଥାପି କେହି ଶୁଣିଲେନି । ଏବିଭିପି ପକ୍ଷରୁ ସେ ବିଧାୟକ ପାଖକୁ ଯାଇଥିଲେ। କିନ୍ତୁ ବିଧାୟକ ଥାନାରେ କଣ କଥା ହେଲେ ତାହା ଏକ ପ୍ରଶ୍ନ । 

ଭକ୍ତ କହିଛନ୍ତି, ସାଂସଦ କହିଥିଲେ ପ୍ରଫେସର ଜଣକ ଚାଳିଶା କରୁଛନ୍ତି । ଏହାର ଅର୍ଥ କଣ ବୋଲି ପଚାରିବା ସାଙ୍ଗକୁ ସାଂସଦ ନିଜେ ଉତ୍ତରଦାୟୀ କି ନୁହଁ ବୋଲି ପଚାରିଛନ୍ତି ଭକ୍ତ ଦାସ । ଏହା ସହ ପ୍ରିନ୍ସିପାଲଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିବା ସହ କୌଣସି କଲେଜରେ ସ୍ଥାୟୀ ପ୍ରିନ୍ସିପାଲ ନାହାନ୍ତି କାହିଁକି ବେଲାି ପଚାରିଛନ୍ତି । ନୈତିକତା ଦୃଷ୍ଟିରୁ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଜଗନ୍ନାଥ ରଥଯାତ୍ରାରେ କାକରା ଖାଇ ରଥଯାତ୍ରା ବନ୍ଦ କଲେ । ଡାଇରିଆ ସମୟରେ ଉତ୍ସବ ମନାଇଛି ସରକାର । ଆଗକୁ ଛାତ୍ରମାନେ ଯୁବକ ମାନେ ସମଗ୍ର ରାଜ୍ୟରେ ଚିତ୍କାର କରିବେ ।  ରାଜ୍ୟରେ ମହିଳା ଏକ ପ୍ରସଙ୍ଗ ନୁହଁ ବୋଲି କହୁଥିବା ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ । ମୁଖ୍ୟମନ୍ତ୍ରୀ ନୀରିହ ବ୍ୟକ୍ତି ହେଲେ ବି ଆପଣଙ୍କ ଲୋକ ଓ ଶାସନ କ୍ଷମତାରେ ଥିବା ଲୋକମାନେ ଆପଣଙ୍କୁ କମଜୋର କରି ରଖିଛନ୍ତି । ଯଦି ନୈତିକତା ଅଛି ଏମାନଙ୍କୁ ଗାଦି ଚ୍ୟୁତ କର ବହିଷ୍କାର କର ବୋଲି କହିବା ସାଙ୍ଗକୁ ଆଗକୁ କଂଗ୍ରେସ ପକ୍ଷରୁ ପ୍ରତିନିଧି ଦଳ ବାଲେଶ୍ୱର ଯିବେ ଓ ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇବ ବୋଲି କହିଛନ୍ତି ଭକ୍ତଚରଣ ଦାସ ।

ସିମୁଳିଆ ବିଧାୟକ  କହିଛନ୍ତି, ଅତ୍ୟନ୍ତ ଦୁଃଖଦ ଘଟଣା। ଏଥିରେ ପ୍ରିନ୍ସିପାଲ ଓ ଅଧ୍ୟାପକ ସିଧାସଳଖ ଦାୟୀ। ଆଜି ମୁଖ୍ୟମନ୍ତ୍ରୀ ନିଜେ ପୀଡ଼ିତାଙ୍କୁ  ଦେଖିକି ଯାଇଛନ୍ତି । ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇ ଚିକିତ୍ସା ଚାଲିଛି । ଆସନ୍ତା ୯ ଘଣ୍ଟା ପୀଡିତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବ୍ୟତୀତ ଆଉ କିଛି ନାହିଁ ।  ଡାକ୍ତର ନିଜେ କହୁଛନ୍ତି ତାଙ୍କ ପାଖକୁ କେହି ଯାଇପାରିବେ ନାହିଁ । ପରିଶ୍ରା ହୋଇ ପାରୁନାହିଁ । ୯୫ ପ୍ରତିଶତ ପୋଡି ଯାଇଥିବାରୁ ପ୍ରାର୍ଥନା ବ୍ୟତୀତ ଆଉ କିଛି ଉପାୟ ନାହିଁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.