ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ସଂଧ୍ୟା ୫ ସୁଦ୍ଧା ଦିଲ୍ଲୀରେ ୫୭.୭୦ ପ୍ରତିଶତ ମତଦାନ ହୋଇଛି । ଦିଲ୍ଲୀର ଉତ୍ତର-ପୂର୍ବ ଜିଲ୍ଲାରେ ସବୁଠୁ ଅଧିକ ୬୩.୩୩ ପ୍ରତିଶତ ମତଦାନ ହୋଇଛି । ଅନ୍ୟପଟେ ସବୁଠୁ କମ ମତଦାନ ଦକ୍ଷିଣ ପୂର୍ବ ଜିଲ୍ଲାରେ ୫୩.୭୭ ପ୍ରତିଶତ ରେକର୍ଡ ହୋଇଛି । ତେବେ ବୁଥ ଭିତରେ ଭୋଟ ଥିବା କାରଣରୁ ମତଦାନ ପ୍ରତିଶତ ବଢିପାରେ । ମତଦାନ ଶେଷ ପରେ ଇଭିଏମରେ ସିଲ୍ ହେବ ପ୍ରାର୍ଥୀଙ୍କ ଭାଗ୍ୟ । ଫେବ୍ରୁଆରୀ ୮ ଭୋଟ୍ ଗଣତି ହେବ ।
ଦିଲ୍ଲୀରେ ଭୋଟିଂ ଶେଷ ହେବା ସହ ବିଭିନ୍ନ ଏଜେନ୍ସିଙ୍କ ଦ୍ୱାରା କରାଯାଇଥିବା ବୁଥ୍ ବାହୁଡ଼ା ମତ ମଧ୍ୟ ଆସିବାରେ ଲାଗିଛି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ୱର ହେଉଛି ୩୬ । ଏକଜିଟ୍ ପୋଲରେ ଦିଲ୍ଲୀରେ ସରକାର ବଦଳୁଥିବା ଅନୁମାନ କରାଯାଇଛି । ୨୭ ବର୍ଷ ପରେ ବିଜେପି ପୁଣି ଥରେ କେନ୍ଦ୍ର ଶାସିତ ପ୍ରଦେଶର ଶାସନରେ ବସିପାରେ ବୋଲି ଏକଜିଟ୍ ପୋଲ୍ ଅନୁମାନରୁ ଜଣାପଡ଼ୁଛି । ପିପୁଲ୍ସ ପଲ୍ସ ଏବଂ କୋଡମୋ ଅନୁସାରେ ବିଜେପି ଦିଲ୍ଲୀରେ ୫୧-୬୦ ଆସନ ଜିତିପାରେ । ଅନ୍ୟପଟେ ଆପ୍ ଆସନ ସଂଖ୍ୟା ୨୦ ତଳକୁ ଖସିପାରେ ।
-ପିପୁଲ୍ସ ଇନସାଇଟ୍ ଏକଜିଟ୍ ପୋଲରେ ଭାରତୀୟ ଜନତା ପାର୍ଟି ସରକାର ଗଢୁଛି । ବିଜେପିକୁ ୪୦-୪୪ ଆସନ, ଆପ୍କୁ ୨୫-୨୯ ଆସନ ଏବଂ କଂଗ୍ରେସକୁ ୦-୨ ଆସନ ମିଳିପାରେ ।
- ଡିଭି ରିସର୍ଚ୍ଚର ଏକଜିଟ୍ ପୋଲ୍ ଅନୁସାରେ ବିଜେପିକୁ ୩୬-୪୪, ଆପ୍କୁ ୨୬-୩୪ ଆସନ ମିଳିପାରେ । କଂଗ୍ରେସ ପୁଣି ଥରେ ନିଜ ଖାତା ଖୋଲିନପାରେ ।
-ଚାଣକ୍ୟ ଷ୍ଟ୍ରାଟେଜିସ୍ ଅନୁସାରେ ବିଜେପି ଖାତାକୁ ୩୯-୪୪ ଆସନ ଯାଇପାରେ । ଅନ୍ୟପଟେ ଆପ୍ ୨୫-୨୮ରେ ଜିତିପାରେ । କଂଗ୍ରେସ ୨-୩ ଆସନ ଜିତିବାରେ ସଫଳ ହୋଇପାରେ ।
-ମାଟ୍ରିଜ୍ର ଏକଜିଟ୍ ପୋଲ୍ ଅନୁସାରେ ବିଜେପିକୁ ୩୫-୪୦, ଆପ୍କୁ ୩୨-୩୭ ଏବଂ କଂଗ୍ରେସକୁ ୦-୧ ଆସନ ମିଳିପାରେ ।
-ପି-ମାର୍କ ଏକଜିଟ୍ ପୋଲରେ ବି ବିଜେପିକୁ ବହୁମତ ମିଳିଛି । ପି-ମାର୍କ ଏକଜିଟ୍ ପୋଲରେ ବିଜେପିକୁ ୩୯-୪୯, ଆପକୁ ୨୧-୩୧ ଏବଂ କଂଗ୍ରେସକୁ ୦-୧ ଆସନ ମିଳିପାରେ ।