ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କଲା ବିଜେପି, ୫ ପ୍ରସ୍ତାବ ଉପରେ ମୋହର

Published By : Prameya-News7 Bureau | July 20, 2024 IST

ଭୁବନେଶ୍ବର ୨୦: ରାଜ୍ୟ କାର୍ଯ୍ୟକାରିଣୀର ଦ୍ଵିତୀୟ ଦିନରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କଲା ବିଜେପି । ୫ ପ୍ରସ୍ତାବ ଉପରେ ମୋହର ମାରିଲା କାର୍ଯ୍ୟକାରିଣୀ । ସନ୍ତୁଳିତ, ସାମଗ୍ରିକ ଏବଂ ସମତୁଲ ବିକାଶ ଉପରେ ଗୁରୁତ୍ଵ । ଦୁର୍ନୀତି ମୁକ୍ତ, ସ୍ୱଚ୍ଛ ଶାସନ ପାଇଁ ନିଆଗଲା ସଂକଳ୍ପ । ୨୦୩୬କୁ ଟାର୍ଗେଟ ରଖି ୧୨ ବର୍ଷର ରୋଡ଼ ମ୍ୟାପ ପ୍ରସ୍ତୁତ । ତୃଣମୂଳ ସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ୧୨ ହାଜର କର୍ମୀ 24*7 କାମ କରିବେ । 

ବିକଶିତ ଓଡ଼ିଶା ପାଇଁ ୧୨ ବର୍ଷର ରୋଡ଼ ମ୍ୟାପ ପ୍ରସ୍ତୁତ କଲା ଦଳ । ୨୦୩୬ ସୁଦ୍ଧା ଆଧୁନିକ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଯେମିତି କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ୧୨ ବର୍ଷ ଲାଗିଥିଲା । ୧୨୦୦ ବଢେଇ ୧୨ ବର୍ଷର ଅକ୍ଲାନ୍ତ ପରିଶ୍ରମରେ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ । ସେମିତି ବିଜେପି ମଧ୍ୟ ୧୨ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଗାମୀ ୧୨ ବର୍ଷ ଭିତରେ ତୃଣମୂଳ ସ୍ତରରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ୧୨ ହାଜର କର୍ମକର୍ତ୍ତା ନୂଆ ଓଡ଼ିଶା ଏବଂ ଆଧୁନିକ ଓଡ଼ିଶା ଗଠନ କରିବେ । ୨୦୩୬ ସୁଦ୍ଧା ଓଡ଼ିଶା ଯେତେବେଳେ ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଥିବ, ସେତେବେଳେ ବିକଶିତ ଏବଂ ଆଧୁନିକ ଓଡ଼ିଶା ଗଠନ କରିବା ପାଇଁ କାର୍ଯ୍ୟକାରିଣୀରେ ସଂକଳ୍ପ ନେଇଛି ବିଜେପି ।

କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସର ଆଚରଣ ଏବଂ ଉଚ୍ଚାରଣକୁ ନିନ୍ଦା କଲା ବିଜେପି । କଂଗ୍ରେସର ଆଚରଣ ସାରା ଭାରତ ବର୍ଷକୁ ବ୍ୟଥିତ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିନ୍ଦୁ ସମାଜକୁ ହିଂସ୍ର କହିବାକୁ ନିନ୍ଦା କଲା କାର୍ଯ୍ୟକାରିଣୀ । 

ଜରୁରୀ ପରିସ୍ଥିତି ପାଇଁ ଜୁନ ୨୫କୁ କଳା ଦିବସ ଭାବେ ପାଳନ କରୁଥିଲା ବିଜେପି । ଗଣତନ୍ତ୍ରକୁ ହତ୍ୟା କରିଥିବା ଲୋକମାନେ ଆଜି ଗଣତନ୍ତ୍ରର ବାର୍ତ୍ତାବହ ହେବା ପାଇଁ ଚେଷ୍ଟା କରୁଛନ୍ତି । ୨୫ ଜୁନକୁ ସରକାରୀ ସ୍ତରରେ ଗଣତନ୍ତ୍ର ହତ୍ୟା ଦିବସ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପାଇଁ କାର୍ଯ୍ୟକାରିଣୀରେ ପ୍ରଶଂସା କରିବା ସହ ସ୍ବାଗତ କରାଯାଇଛି । 

ଓଡ଼ିଶାର ଅସ୍ମିତା ଉପରେ ଆକ୍ରମଣ କରିଥିଲା ବିଜେଡ଼ି । ଓଡ଼ିଶାର ଅସ୍ମିତାକୁ ରକ୍ତାକ୍ତ କରିଥିଲା ବିଜେଡ଼ି । ତେବେ ଓଡ଼ିଶା ଅସ୍ମିତାକୁ ଆଗାମୀ ଦିନରେ ରକ୍ଷା କରିବା ସହ ଆହୁରି ରୁଦ୍ଧିମନ୍ତ କରି ବିଶ୍ଵସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଛି । ଆଗାମୀ ଦିନରେ କେବଳ ବିକାଶ ନୁହେଁ, ଓଡ଼ିଶାର ଅସ୍ମିତାକୁ ମଧ୍ୟ ବିଶ୍ଵ ଦରବାରରେ ପହଞ୍ଚିବା ପାଇଁ କର୍ମକର୍ତ୍ତାଙ୍କ ଲକ୍ଷ୍ୟ ରହିବ । 

ସନ୍ତୁଳିତ, ସାମଗ୍ରିକ ଏବଂ ସମତୁଲ ବିକାଶକୁ ଗୁରୁତ୍ଵ । ଓଡ଼ିଶାର ସନ୍ତୁଳିତ ବିକାଶ ହେବ, ସମଗ୍ର ଅଞ୍ଚଳର ବିକାଶ, ସମତୁଲ ବିକାଶ ହେବ । ବିକାଶ ଯେତିକି ମହତ୍ତ୍ୱପୂର୍ଣ୍ଣ, ବିକାଶର ଚରିତ୍ର ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ । ଦୁର୍ନୀତି ମୁକ୍ତ ସରକାର ପାଇଁ ସଂକଳ୍ପ ନିଆଯାଇଛି । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିରେ ଚାଲିବ ସରକାର । ବିଜେଡ଼ି ସରକାର 5T ନାଁରେ ବର୍ଷକୁ ୫୦ ହାଜର କୋଟି ଟଙ୍କାରୁ ଅଧିକ ଟଙ୍କା ଲୁଟୁଥିଲା । ସାରା ଭାରତରେ ସ୍ପଷ୍ଟ ଦିବାଲୋକରେ ଦୁର୍ନୀତି କରିବାର ଏନ୍ତୁଡ଼ିଶାଳ ଥିଲା ଓଡ଼ିଶା । ତେଣୁ ସ୍ୱଚ୍ଛ, ଦୁର୍ନୀତି ମୁକ୍ତ ଏବଂ ଲୋକାଭିମୁଖୀ ସରକାର ଦେବା ପାଇଁ ସଂକଳ୍ପ ନେଇଛି ବିଜେପି । ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ବିକାଶ ପହଞ୍ଚିବା ସରକାରଙ୍କର ପ୍ରାଥମିକତା ରହିବ । 24*7 ପରିଶ୍ରମ କରିବ ମୋହନ ମାଝୀ ସରକାର । 

You Can Read:

ମଦ ଦୋକାନ ସଟର ତାଡି ଲୁଟ୍, ମଦ ପେଟି ଭର୍ତ୍ତି ପିକଅପ୍ ଭ୍ୟାନ୍ ସହ ୩ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.