ନୂଆଦିଲ୍ଲୀ: ସେୟାର ବଜାରରେ ହାହାକାର । ଦଲାଲ୍ ଷ୍ଟ୍ରିଟ୍ରେ ବ୍ଲଡ୍ ବାଥ୍ । ସେୟାର ବଜାର ଲଗାତାର ୫ମ ଦିନରେ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ଏବଂ ନିଫ୍ଟି ନଭେମ୍ୱର ୧୩ କାରବାରରେ ଗତ କିଛି ମାସରେ ସବୁଠୁ ବଡ଼ ହ୍ରାସ ଦେଖିବାକୁ ମିଳିଛି । ନିଫ୍ଟି ବ୍ୟାଙ୍କ ଏକ୍ସପାଏରୀ ଦିନ ବଜାରରେ ଜୋରଦାର ବିକ୍ରି ଦେଖିବାକୁ ମିଳିଛି । ବିଏସଇର ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସରେ ବିକ୍ରିର ଚାପ ଦେଖିବାକୁ ମିଳିଛି । ଅନ୍ୟପଟେ ମିଡ୍କ୍ୟାପ୍, ସ୍ମଲକ୍ୟାପ୍ରେ ମଧ୍ୟ ଲାଭ ଅସୁଲ ପାଇଁ ସେୟାର ବିକ୍ରି ଦେଖିବାକୁ ମିଳିଛି । ବ୍ୟାଙ୍କିଂ, ଆଇଟି, ଫାର୍ମା ସବୁର ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି ।
ଦିନର କାରବାର ଶେଷରେ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୯୮୪.୨୩ ଅଙ୍କ ବା ୧.୨୫ ପ୍ରତିଶତ ହ୍ରାସ ପାଇଁ ୭୭,୬୯୦.୯୫ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୨୪.୪୦ ଅଙ୍କ ବା ୧.୩୬ ପ୍ରତିଶତ ହ୍ରାସ ସହ ୨୩,୫୫୯.୦୫ ସ୍ତରରେ ବନ୍ଦ ହୋଇଛି । ଆଜିର ଏହି ହ୍ରାସ ଯୋଗୁଁ ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ପ୍ରାୟ ୭.୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ବ୍ରଡର ମାର୍କେଟ୍ରେ ବି ହାହାକାର ସ୍ଥିତି ହୋଇଛି । ବିଏସଇର ମିଡ୍କ୍ୟାପ୍ ଇଣ୍ଡେକ୍ସ ୨ ପ୍ରତିଶତ ଏବଂ ସ୍ମଲକ୍ୟାପ୍ ଇଣ୍ଡେକ୍ସ ୩ ଶତାଂଶ ତଳକୁ ଖସି ବନ୍ଦ ହୋଇଛି ।
ଦରଦାମ ବୃଦ୍ଧିର ଭୟ ନିବେଶକଙ୍କୁ ଅସ୍ଥିର କରିଛି । ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨୧ ଶତାଂଶ ରହିଛି । ଗତ ୧୪ ମାସରେ ଏହା ମୁଦ୍ରାସ୍ଫୀତିର ସର୍ବୋଚ୍ଚ ସ୍ତର । ଏହାସହ ଆରବିଆଇର ୨-୬% ଲକ୍ଷ୍ୟଠାରୁ ମଧ୍ୟ ଉପରେ ରହିଛି । ମୁଦ୍ରାସ୍ଫୀତି ଉଚ୍ଚ ରହିବା କାରଣରୁ ଆରବିଆଇ ସୁଧ ହାର ହ୍ରାସରେ ବିଳମ୍ୱ କରିପାରେ । ଘରୋଇ ପୁଞ୍ଜି ବଜାର ଦୀର୍ଘ ଦିନରୁ ସୁଧ ହାର ହ୍ରାସକୁ ଅପେକ୍ଷା କରିଛି ।
ସେୟାର ବଜାର ପାଇଁ କମ୍ପାନିଗୁଡ଼ିକ ଅର୍ଣ୍ଣିଂ ଗ୍ରୋଥ୍ ବଡ଼ ସମସ୍ୟା ହୋଇ ରହିଛି । ଏବେ ସୁଦ୍ଧା ଅଧିକାଂଶ କମ୍ପାନିର ସେପ୍ଟେମ୍ୱର ପରିଣାମ ଅନୁମାନଠାରୁ କମ ରହିଛି । ସେପଟେ ବିଦେଶୀ ନିବେଶକ ମଧ୍ୟ ଲଗାତାର ଭାରତୀୟ ବଜାରରୁ ଟଙ୍କା ନିବେଶ ବାହାର କରିବାର ଲାଗିଛନ୍ତି । କେବଳ ନଭେମ୍ୱରରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫,୧୮୦.୭୨ କୋଟି ଟଙ୍କା ବାହାର କରିସାରିଛନ୍ତି । ସେୟାର ବଜାରରେ ଗତ କିଛି ମାସ ଧରି ଲଗାତାର ନିମ୍ନମୁଖୀ ରହିଛି । ସେନସେକ୍ସ ଏବଂ ନିଫ୍ଟି ନିଜର ସର୍ବକାଳୀନ ଉଚ୍ଚ ସ୍ତରଠାରୁ ୧୦ ଶତାଂଶରୁ ଅଧିକ ହ୍ରାସ ପାଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ମିଡ୍କ୍ୟାପ୍ ଏବଂ ଲାର୍ଜକ୍ୟାପ୍ ସେଗମେଣ୍ଟର ଭାଲ୍ୟୁଏସନ୍ ଏବେ ବି ଉଚ୍ଚ ରହିଛି ।