ସରପଞ୍ଚ ମମତା ନାହାକଙ୍କ ଘରକୁ ବୋମା ମାଡ଼

Published By : Prameya-News7 Bureau | October 17, 2024 IST

ବ୍ରହ୍ମପୁର 16/10 :  ବ୍ରହ୍ମପୁର ନିକଟ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରକୁ ବୋମା ମାଡ଼। ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ବୋମା ମାଡ କରି ଫେରାର ହୋଇଯାଇଥିବା ବେଳେ ଗ୍ରାମରେ ଆତଙ୍କ ଖେଳିଯାଇଛି। ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ଜଣା ପଡିଛି। ଆଜି ପୂର୍ବାହ୍ନରେ ଗାଁରେ ବୈଠକ ଚାଲିଥିବା ବେଳେ ଆଉ ଏକ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। କିଏ ବୋମା ମାଡ଼ କରିଛି ଜାଣି ନଥିବା କହିଛନ୍ତି ଗ୍ରାମବାସୀ। ସରପଞ୍ଚ ଘରେ ନିଜେ ନିଜେ ବୋମାମାଡ଼ କରି ମିଥ୍ୟା ମାମଲା ଦେଇଥିବା ଅଭିଯୋଗ କରିଛନ୍ତି।

ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ସାଇଣ୍ଟିଫିକ ଟିମ୍ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି।  2007 - 08 ମସିହାର ଏକ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଏଭଳି ଅଶାନ୍ତ ପରିବେଶ ସୃଷ୍ଟି କରିଥିବା ତଦନ୍ତରୁ ଜଣା ପଡ଼ିଥିବା ବ୍ରହ୍ମପୁର ଏସ. ପି କହିଛନ୍ତି।  ଗ୍ରାମରେ ଅଶାନ୍ତ ବାତାବରଣ ଥିବାରୁ ଏକ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି। ପାର୍ବଣ ସମୟରେ ଏଭଳି ଘଟଣା  ଆତଙ୍କ ଖେଳାଇ ଦେଇଛି। ଗାଁରେ କିଛିଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଗାଁରେ ଶାନ୍ତି ବାତାବରଣ ସୃଷ୍ଟି ପାଇଁ ଦୁଇ ଗୋଷ୍ଠୀକୁ ଡାକି ଆଲୋଚନା କରିବାକୁ ପ୍ରୟାସ କରା ଯାଉଥିବା କହିଛନ୍ତି ବ୍ରହ୍ମପୁର ଏସ. ପି। ଗାଁରେ ଶାନ୍ତି ବାତାବରଣ ପାଇଁ ପୁଲିସ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ଏବଂ ବୋମା ମାଡ଼ ଘଟଣାରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି, ତା ଉପରେ ରହିଛି ସମସ୍ତଙ୍କ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.