ବେଙ୍ଗାଲୁରୁ ୧୭।୨: ଗ୍ରୀଷ୍ମ ପାଖେଇ ଆସୁଥିବା ବେଳେ ଭୂତଳ ଜଳସ୍ତରରେ ହ୍ରାସ କାରଣରୁ ବେଙ୍ଗାଲୁରୁ ଜଳଯୋଗାଣ ଓ ସ୍ୱିରେଜ ବୋର୍ଡ (ବିଡବ୍ଲୁଏସଏସବି) ପିଇବା ପାଣିର ଅନାବଶ୍ୟକ ବ୍ୟବହାର ଉପରେ ୧୭ ଫେବୃଆରୀ ସୋମବାର ରୋକ ଲଗାଇଛନ୍ତି। ବିଡବ୍ଲୁଏସଏସବି ଅଧ୍ୟକ୍ଷ ଡ. ରାମପ୍ରସାଦ ମନୋହରଙ୍କ ଦ୍ୱାରା ଏ ନେଇ ଜାରି ଆଦେଶରେ ଗାଡ଼ି ଧୋଇବା. ବାରିବଗିଚା, ନିର୍ମାଣ କାର୍ଯ୍ୟ, ସାଜସଜ୍ଜା ଉଦ୍ଦେଶ୍ୟରେ ଅଥବା ସଡ଼କ ସଫା କରିବା ପାଇଁ ପାନୀୟ ଜଳର ବ୍ୟବହାର ଉପରେ କଡ଼ା କଟକଣା ଲଗାଯାଇଛି।
ଏହି ଆଦେଶ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ସ୍ଥଳରେ ଆର୍ଥିକ ଦଣ୍ଡ ମଧ୍ୟ ହୋଇପାରେ ଏହା ସହିତ ବାରମ୍ବାର ଆଦେଶ ଉଲ୍ଲଂଘନକାରୀଙ୍କ ବିରୋଧରେ ଅତିରିକ୍ତ ଜରିମନା ମଧ୍ୟ କରାଯାଇ ପାରେ। ପାନୀୟ ଜଳର ଅନାବଶ୍ୟକ ବ୍ୟବହାର କରି ଧରାପଡିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡ ହୋଇପାରେ। ଏହା ଛଡା ଲଗାତାର ଆଦେଶ ଅମାନ୍ୟ କଲେ ଦୈନିକ ୫୦୦ ଟଙ୍କା ହିସାବରେ ଜରିମନା ମଧ୍ୟ କରାଯାଇ ପାରେ।
ଅଧିକାରୀଙ୍କ ଅନୁସାରେ ଗ୍ରୀଷ୍ମ ଋତୁରେ ସହରରେ ବଢୁଥିବା ଜଳ ସଂକଟର ମୁକାବିଲା ନିମନ୍ତେ ଏଭଳି ପଦକ୍ଷେପ ଜରୁରି। ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସସି) ବୈଜ୍ଞାନିକ ରିପୋର୍ଟରେ ଆଗାମୀ ମାସମାନଙ୍କରେ ଭୂତଳ ଜଳସ୍ତରରେ ବ୍ୟାପକ ହ୍ରାସ ସହ ଅପର୍ଯ୍ୟାପ୍ତ ବର୍ଷା ଯୋଗୁ ସମ୍ଭାବିତ ଜଳାଭାବ ପାଇଁ ସତର୍କ କରିଛନ୍ତି। ଏଣୁ ବିଡବ୍ଲୁଏସଏସ ଅଧିନିୟମ ୧୯୬୪ର ଗାଇଡଲାଇନ ଅନୁସାରେ ପିଇବା ପାଣିକୁ ଯାନବାହନ ଧୋଇବା, ବାରିବଗିଚାରେ ମଡାଇବା, ସିନେମା ହଲ ଓ ମଲରେ ସାଜସଜ୍ଜା ନିମନ୍ତେ ବ୍ୟବହାର କରିବା, ନିର୍ମାଣ କାମରେ ପାଣି ଦେବା ତଥା ସଡ଼କ ସଫେଇ ଓ ରକ୍ଷଣାବେକ୍ଷଣ ନିମନ୍ତେ ବ୍ୟବହାର କରିବା ଉପରେ କଟକଣା ଲଗାଇଛନ୍ତି।
ଡ.ମନୋହରଙ୍କ ଅଧିକାରୀକ ଆଦେଶ ଅନୁସାରେ ଯଦି ଏପରି କେହି ପିଇବା ପାଣିର ଅପବ୍ୟବହାର କରୁଥାଏ ୧୯୧୬ରେ ଫୋନ କରି ବିଡବ୍ଲୁଏସଏସବିର କଲସେଣ୍ଟରକ ଜଣାଇ ପାରିବେ।