ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ଚନ୍ଦ୍ରଯାନ-୩କୁ ନେଇ ଏକ ଭଲ ଖବର ଦେଇଛନ୍ତି। ଏସ ସୋମନାଥ ଗୁରୁବାର କହିଛନ୍ତି ଯେ, ଚନ୍ଦ୍ରଯାନ-୩ର ରୋଭର ‘ପ୍ରଜ୍ଞାନ’ ଏବେ ଚନ୍ଦ୍ର ପୃଷ୍ଠରେ ସ୍ଲିପ୍ ମୋଡ୍ରେ ରହିଛି। କିନ୍ତୁ ଏହା ପୁଣି ଥରେ ସକ୍ରିୟ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।
ଏସ ସୋମନାଥ ମଲୟାଲା ମନୋରମା ସଂସ୍ଥା ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ସମ୍ବୋଧନରେ କହିଛନ୍ତି ‘ଏବେ ସେ ଶାନ୍ତିରେ ଶୋଇଛି, ଏହାକୁ ଶୋଇବାକୁ ଦେବା। ସମ୍ଭାବନା ରହିଛି ତାହା ନିଜେ ଉଠିବ।’’ ‘‘ଚନ୍ଦ୍ରଯାନ-୩ ମିଶନର ଉଦ୍ଦେଶ୍ୟ ଥିଲା ‘ସଫ୍ଟ ଲ୍ୟାଣ୍ଡିଂ’ କରିବା ଆଉ ଏହା ପରେ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ କରିଥିବା ସବୁ ତଥ୍ୟକୁ ସଂଗ୍ରହ କରାଯାଇସାରିଛି। ଇସ୍ରୋ ବୈଜ୍ଞାନିକ ତଥ୍ୟର ବିଶ୍ଲେଷଣ କରୁଛନ୍ତି ।’’
ସେ ଆହୁରି କହିଛନ୍ତି ଲ୍ୟାଣ୍ଡର ବିକ୍ରମ ଏକ ବଡ଼ ସଂରଚନା ତେଣୁ ଏହାର ସଂପୂର୍ଣ୍ଣ ଭାବରେ ପରୀକ୍ଷଣ କରାଯାଇପାରିନାହିଁ। କିନ୍ତୁ ପରୀକ୍ଷଣ ବେଳେ ରୋଭର ଶୂନ୍ୟରୁ ୨୦୦ ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରାରେ ମଧ୍ୟ କାମ କରିପାରୁଥିଲା। ଗତ ଅଗଷ୍ଟ ୨୩ରେ ଚନ୍ଦ୍ରରେ ଓହ୍ଲାଇବା ପରେ, ଲ୍ୟାଣ୍ଡର ଏବଂ ରୋଭର ପେଲୋଡ ଗୋଟିଏ ପରେ ଗୋଟିଏ ପ୍ରୟୋଗ କରାଯାଇଥିଲା ଯାହା ୧୪ ଦିନ ଭିତରେ ପୂରା ହୋଇଥିଲା।
ଆହୁରି ପଢ଼ନ୍ତୁ: ମିଶନ ଗଗନଯାନ: ଅକ୍ଟୋବର ୨୧ରେ ପରୀକ୍ଷାମୂଳକ ଭାବେ ମହାକାଶ ଯିବ tv-d1
ଏହା ପୂର୍ବରୁ ଇସ୍ରୋ ସେପ୍ଟେମ୍ବର ୨୨ରେ କହିଥିଲା ଯେ, ଚନ୍ଦ୍ରଯାନ-୩ର ଲ୍ୟାଣ୍ଡ ଏବଂ ରୋଭର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, ଫଳରେ ସେମାନଙ୍କର ସ୍ଥିତିର ପତ୍ତା ଲଗାଯାଇପାରିବ କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଙ୍କେତ ମିଳିନାହିଁ।