କ୍ରାଇମବ୍ରାଞ୍ଚ ଟିମ୍‌ର ସାନି ତଦନ୍ତ ୨ୟ ଦିନରେ, ନବ ଦାସଙ୍କୁ ଚିକିତ୍ସା କରିଥିବା ଡ଼ାକ୍ତରଙ୍କୁ ପଚରାଉଚରା

Published By : Prameya-News7 Bureau | March 19, 2025 IST

ଝାରସୁଗୁଡ଼ା ୧୯।୩: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍‌ର ତଦନ୍ତ ଜାରି ରହିଛି । ମଙ୍ଗଳବାର ନବ ଦାସଙ୍କ ଘରେ ତାଙ୍କ ପୁଅ, ଝିଅ ଓ ସ୍ତ୍ରୀଙ୍କ ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ । ନବଙ୍କ ଘରୁ ଫେରିବା ପରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ସେଠାରେ ମଧ୍ୟ ତଦନ୍ତ କରିଥିଲେ । 

ତେବେ ବୁଧବାର ସକାଳୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ନବ ଦାସଙ୍କୁ ଗୁଳିମାଡ଼ ପରେ ଚିକିତ୍ସା କରିଥିବା ଡାକ୍ତରଙ୍କୁ ମଧ୍ୟ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ନବଙ୍କୁ ଗୁଳି ମାଡ଼ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ଏୟାରଲିଫ୍ଟ କରାଯାଇଥିଲା । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପରିବାର ଲୋକ ଚାହୁଁଛନ୍ତି CBI ତଦନ୍ତ । କ୍ରାଇମବ୍ରାଞ୍ଚ ଟିମ୍‌ର ପଚରାଉଚରା ପରେ ମୁହଁ ଖୋଲିଥିଲେେ ନବ ଦାସଙ୍କ ପୁଅ ବିଶାଲ ଦାସ । ବିଶାଲ କହିଛନ୍ତି, ଆମେ CBI ତଦନ୍ତ ଦାବିରେ ଚିଠି ପ୍ରସ୍ତୁତ କରି ରଖିଛୁ । ମୁଖ୍ୟମନ୍ତ୍ରୀ ସମୟ ଦେଲେ ତାଙ୍କୁ ଦେଖା କରି ଆଲୋଚନା କରିବୁ ।

ସେପଟେ ୭ ଘଣ୍ଟା ଧରି ପଚରାଉଚରା ସହ ନବ ଦାସଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଆବଶ୍ୟକ ପଡ଼ିଲେ ଅନ୍ୟମାନଙ୍କ ବୟାନ ରେକର୍ଡ ହେବ ବୋଲି କହିଥିଲା କ୍ରାଇମବ୍ରାଞ୍ଚ । ଅନ୍ୟପଟେ ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ହେବ ବୋଲି ବିଧାନସଭାରେ ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ସେପଟେ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ ନବ ଦାସଙ୍କ ପରିବାର । ବୁଧବାର ସନ୍ଧ୍ୟା ୫ଟା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବେ ନବ ଦାସଙ୍କ ପରିବାର । ପୂର୍ବରୁ ଇ-ମେଲ୍ ଓ ଚିଠି ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ସମୟ ମାଗିଥିଲେ ନବ ଦାସଙ୍କ ପତ୍ନୀ ମିନତୀ ଦାସ । ମଙ୍ଗଳବାର ନବ ଦାସଙ୍କ ପୁଅ ବିଶାଲ ଦାସ ମଧ୍ୟ ଏକଥାକୁ ଦୋହରାଇଥିଲେ । କହିଥିଲେ, ମୁଖ୍ୟମନ୍ତ୍ରୀ ସମୟ ଦେଲେ ଆମ ପରିବାର ତାଙ୍କୁ ସାକ୍ଷାତ କରିବେ । ତେବେ ବୁଧବାର ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କୁ ନବ ଦାସଙ୍କ ପରିବାର ଭେଟିବାକୁ ସମୟ ଦିଆଯାଇଥିବା ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

You Can Read:

ଜାତିଆଣ ମାମଲାରେ ଦେଉଥିଲେ ମିଛ ସାକ୍ଷୀ, ଖବର ପାଇ ଉଠାଇ ନେଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.