ନୂଆଦିଲ୍ଲୀ ୧୪।୨: ମୁଖ୍ୟ ନିର୍ବାଚନ କମିଶନ (ସିଇସି) ରାଜୀବ କୁମାରଙ୍କ କାର୍ଯ୍ୟକାଳ ଫେବୃଆରୀ ୧୮ରେ ସମାପ୍ତ ହେଉଛି। ଏଣୁ ନୂଆ ସିଇସି ଚୟନ ନିମନ୍ତେ ରବିବାର ଅଥବା ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ପ୍ୟାନେଲ ବୈଠକ ହୋଇପାରେ। ଏବେ ୩ ସଦସୀୟ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ରେ ସିଇସି ରାଜୀବ କୁମାରଙ୍କ ବ୍ୟତୀତ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସନ୍ଧୁ ନିର୍ବାଚନ କମିଶନ ଅଛନ୍ତି।
ନୂଆ ମୁଖ୍ୟ ନିର୍ବାଚନ କମିଶନ ଚୟନ ନିମନ୍ତେ ପ୍ୟାନେଲରେ ପ୍ରଧାନମନ୍ତ୍ରୀ ମୋଦି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କେନ୍ଦ୍ରୀୟ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ସାମିଲ ହେବେ। ଏପର୍ଯ୍ୟନ୍ତ ଥିବା ପରମ୍ପରା ଅନୁସାରେ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ନିର୍ବାଚନ କମିଶନ (ଇସି)ଙ୍କୁ ମୁଖ୍ୟ ନିର୍ବାଚନ କମିଶନ (ସିଇସି) ରୂପେ ନିଯୁକ୍ତ କରାଯାଉଛି। ସିଇସି ଓ ଇସି ନିଯୁକ୍ତି, ସେବା ସର୍ତ୍ତ ଓ କାର୍ଯ୍ୟକାଳ ଅଧିନିୟମ ୨୦୨୩ ଅନୁସାରେ ଏହି ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି।
ଏହି ଆଇନ ଅନୁସାରେ ଏକ ସର୍ଚ୍ଚ କମିଟି କେନ୍ଦ୍ର ସରକାରଙ୍କ ସଚିବ ସ୍ତରର ୫ ଅଫିସରଙ୍କ ନାମକୁ ସର୍ଟଲିଷ୍ଟ କରିବେ। ଏଥିରୁ ଚୟନ କମିଟି ଗୋଟିଏ ନାମକୁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବେ। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ନୂଆ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତ ହେବେ। ରାଜୀବ କୁମାରଙ୍କ ପରେ ଜ୍ଞାନେଶ କୁମାର ସବୁଠୁ ବରିଷ୍ଠ ନିର୍ବାଚନ କମିଶନର ଅଟନ୍ତି। ତାଙ୍କ କାର୍ଯ୍ୟକାଳ ୨୬ଜାନୁୟାରୀ ୨୦୨୯ ପର୍ଯ୍ୟନ୍ତ ରହିଛି। ଏହା ଛଡା ସୁଖବୀର ସିଂହ ସନ୍ଧୁ ମଧ୍ୟ ନିର୍ବାଚନ କମିଶନ ରୂପେ କାର୍ଯ୍ୟରତ ଅଛନ୍ତି।
ଏଣୁ ପରମ୍ପରାକୁ ଜାରି ରଖି ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ କରାଯିବ କି ସର୍ଚ୍ଚ କମିଟି ପ୍ୟାନେଲରୁ କାହାକୁ ବଛାଯିବ ତା ଉପରେ ଏବେ ସମସ୍ତଙ୍କ ନଜର। ରାଜୀବ କୁମାରଙ୍କ ଅବସର ପରେ ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ଜଣେ ନୂଆ ନିର୍ବାଚନ କମିଶନରଙ୍କୁ ମଧ୍ୟ ନିଯୁକ୍ତ କରାଯିବ। କାରଣ ରାଜୀବ କୁମାରଙ୍କ ଅବସରରେ ୩ ସଦସୀୟ ନିର୍ବାଚନ ଆୟୋଗରେ ଜଣେ ସଦସ୍ୟଙ୍କ ପଦବୀ ଖାଲି ହୋଇଯିବ। ଏହା ପୂର୍ବରୁ ନୂଆ ଆଇନ ଅନୁସାରେ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସନ୍ଧୁଙ୍କୁ ନିର୍ବାଚନ କମିଶନର ନିଯୁକ୍ତ କରାଯାଇଥିଲା। ତେବେ ଏହି ଆଇନରେ ଦେଶରେ ପ୍ରଥମ ଥର ସିଇସିଙ୍କ ନିଯୁକ୍ତି ହେବ।
ନୂଆ ଆଇନ ଅନୁସାରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିସନଙ୍କ ଲାଗି ଏହା ଆବଶ୍ୟକ ଯେ ସେ ଭାରତ ସରକାରଙ୍କ ସଚିବ ସ୍ତରୀୟ ଅଧିକାରୀ ଥିବେ ଅଥବା ଏହି ସମକକ୍ଷ ପଦବୀରେ କାର୍ଯ୍ୟ କରିଥିବେ। ଏହା ଛଡା ତାଙ୍କର ନିର୍ବାଚନ ପ୍ରବନ୍ଧନ ଓ ସଞ୍ଚାଳନର ଅଭିଜ୍ଞତା ଥିବ। ସେ ଜଣେ ନିରପେକ୍ଷ ଓ ସଚ୍ଚୋଟ ବ୍ୟୁରୋକ୍ରାଟ ହୋଇଥିବା ଆବଶ୍ୟକ। ଏହି ଭଳି ସେବାରେ କାର୍ଯ୍ୟରତ ତଥା ଅବସର ପ୍ରାପ୍ତ ସଚିବ ସ୍ତରର ଅଧିକାରୀ ଏହି ପଦବୀ ଲାଗି ଯୋଗ୍ୟ ହୋଇ ପାରନ୍ତି।