ଆମେରିକା ତଡ଼ିବା ପରେ ପଶିଲା ଚିନ୍ତା; ବିଦେଶରେ କାମ କରୁଥିବା ଭାରତୀୟଙ୍କ ପାଇଁ ଆସିପାରେ ନୂଆ ଆଇନ

Published By : Prameya-News7 Bureau | February 06, 2025 IST

indiatoday

ନୂଆଦିଲ୍ଲୀ: ଆମେରିକା ବେଆଇନ ପ୍ରବାସୀଙ୍କୁ ତଡ଼ିବା ପରେ ଭାରତ ସରକାର ଏକ ବଡ଼ ପଦକ୍ଷେପ ନୋକୁ ଯାଉଛନ୍ତି। ବିଦେଶରେ ରହି କାମ କରୁଥିବା ଭାରତୀୟଙ୍କ ପାଇଁ ଏକ ନୂଆ ଆଇନ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ବିଶେଷ ସୂତ୍ରରୁ ଖବର ନେଇ ଏଭଳି ରିପୋର୍ଟ ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ।  

ଆମେରିକାରେ ବେଆଇନ ପ୍ରବାସୀଙ୍କ ବିରୋଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ପରେ ବୁଧବାର ୧୩ ଜଣ ଶିଶୁ ସମେତ ୧୦୪ ଜଣ ଅବୈଧ ଭାରତୀୟ ପ୍ରବାସୀ ପଞ୍ଜାବର ଅମୃତସରରେ ପହଞ୍ଚିଛନ୍ତି। ତାଙ୍କୁ ଆମେରିକୀୟ ସାମରିକ ବିମାନ ହାତଗୋଡ଼ ବାନ୍ଧୀ ଆଣି ଭାରତରେ ଛାଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ କେନ୍ଦ୍ର ସରକାର ଏନେଇ ଆଇନ ଆଣିବାକୁ ଚାହୁଁଛନ୍ତି।  

ତେବେ ଭାରତୀୟଙ୍କ ପ୍ରତି ଆମେରିକା ସେନାର ଏଭଳି ଆଚରଣକୁ ନେଇ ରାଜନୀତି ଜୋର ଧରିଛି। ଏଭଳି ଆଭିମୁଖ୍ୟ ନେଇ ସରକାରଙ୍କୁ ଘେରିଛି ବିରୋଧୀ। ଏନେଇ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛି। 

ଏନେଇ ସଂସଦରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ହୋଇଥିଲା। କଂଗ୍ରେସର କେସି ଭେନୁଗୋପାଳଙ୍କ ସମେତ ଅନେକ ବିରୋଧୀ ସାଂସଦ ଭାରତୀୟ ନିର୍ବାସିତଙ୍କ ଦୁର୍ଦ୍ଦଶାକୁ ଉଜାଗର କରିବା ପାଇଁ "ହାତକଡ଼ି" ପିନ୍ଧି ସଂସଦ ପରିସରରେ ପ୍ରତିବାଦ କରିଥିଲେ।

ବିରୋଧୀଙ୍କ ହଙ୍ଗାମା ପରେ ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ 'ଆମେରିକା ପକ୍ଷରୁ କରାଯାଉଥିବା ଡିପୋର୍ଟେସନ କାମ ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ ଏନ୍‌ଫୋର୍ସମେଣ୍ଟ (ଆଇସିଇ) ପକ୍ଷରୁ କରାଯାଉଛି । ICE ଯେଉଁ ଏସଓପି ଆଧାରରେ କାମ କରୁଛି, ତାହା ୨୦୧୨ରୁ ଆମେରିକାର କାର୍ଯ୍ୟକାରୀ ହୋଇ ଆସୁଛି। ଏହି ଏସଓପିରେ ବନ୍ଧା ଯିବା କଥା ମଧ୍ୟ ଉଲ୍ଲେଖ ରହିଛି। ତେବେ ମହିଳା ଏବଂ ପିଲାଙ୍କୁ ବନ୍ଧା ଯାଇନଥିବା ଆଇସିଇ ଆମକୁ ସୂଚନା ଦେଇଛି ବୋଲି ଜୟଶଙ୍କର କହିଛନ୍ତି। ଏଥିସହିତ ଅବୈଧ ପ୍ରବାସୀଙ୍କ ସହ ଯେପରି ଦୁର୍ବବ୍ୟହାର କରା ନଯିବ ତାହା ସୁନିଶ୍ଚିତ କରିବାକୁ  ଆମେରିକା ସରକାରଙ୍କ ସହ ଆଲୋଚନା କରିବୁ ବୋଲି ଜୟଶଙ୍କର କହିଛନ୍ତି।  

ପ୍ରଥମ ପର୍ଯ୍ୟାୟରେ ୧୦୪ ଜଣ ଅବୈଧ ପ୍ରବାସୀ ମଧ୍ୟରୁ ହରିୟାଣାର ୩୩ ଜଣ, ଗୁଜରାଟର ୩୩ ଜଣ, ପଞ୍ଜାବର ୩୦ ଜଣ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶର ତିନି ଜଣ ଲେଖାଏ ଏବଂ ଚଣ୍ଡିଗଡ଼ର ଦୁଇଜଣ ନାଗରିକ ଥିଲେ। ନିର୍ବାସିତଙ୍କ ମଧ୍ୟରେ ୧୯ ଜଣ ମହିଳା ଏବଂ ୧୩ ଜଣ ନାବାଳକ ଥିଲେ। ଯେଉଁଥିରେ ଜଣେ ଚାରି ବର୍ଷର ପୁଅ ଏବଂ ପାଞ୍ଚ ଏବଂ ସାତ ବର୍ଷର ଦୁଇଟି ଝିଅ ଥିଲେ। ରିପୋର୍ଟ ଅନୁଯାୟୀ, ଅଧିକାଂଶ ନିର୍ବାସିତ ବ୍ୟକ୍ତିଙ୍କୁ ଆମେରିକା-ମେକ୍ସିକୋ ସୀମାରେ ଧରାଯାଇଥିଲା।

ତେବେ ନିର୍ବାସିତମାନେ ଭାରତରେ ଅପରାଧୀ ନୁହଁନ୍ତି। ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ। ସେମାନେ ଦେଶ ଛାଡିବା ପାଇଁ ଆଇନଗତ ରାସ୍ତା ବ୍ୟବହାର କରିଥାନ୍ତେ, କିନ୍ତୁ ବେଆଇନ ଭାବେ ଚୋରା ବାଟ ଦେଇ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ବୋଲି ସେମାନେ କହିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆମେରିକାର ଅଧିକାରୀମାନେ ୧୮,୦୦୦ ପ୍ରବାସୀ ଭାରତୀୟଙ୍କ ତାଲିକା କରିଛନ୍ତି। ଏମାନେ ସମସ୍ତଙ୍କୁ ଭାରତ ପଠାଇ ଦେବ ଆମେରିକା।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.