ଦୁବାଇ: ମହମ୍ମଦ ଶାମିଙ୍କ ୫ ଓ୍ଵିକେଟ୍ ସଫଳତା ଓ ଶୁଭମନ ଗିଲ୍ଙ୍କ ଦମଦାର ଅପରାଜିତ ଶତକ ବଳରେ ଏଠାରେ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଦ୍ଵିତୀୟ ମ୍ୟାଚ୍ରେ ଭାରତ ୬ ଓ୍ଵିକେଟ୍ରେ ବାଂଲାଦେଶକୁ ହରାଇ ସହଜ ବିଜୟ ହାସଲ କରିଛି। ଏଥିସହ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତୋହିଦ ହୃଦୟଙ୍କ ଶତକ ଓ ଜାକେର ଅଲ୍ଲୀଙ୍କ ୬୮ ରନ ବଳରେ ୨୨୮ ରନ କରିଥିଲା। ଜବାବରେ ଭାରତ ୪୬.୩ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶୁଭମନ ଗିଲ୍ ୧୦୧ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବେଳେ କେଏଲ ରାହୁଲ ୪୧ ରନ କରି ଅପରାଜିତ ଅଛନ୍ତି। ଏହି ମ୍ୟାଚ୍ରେ ମହମ୍ମଦ ଶାମି ୫ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆସନ୍ତା ୨୩ ତାରିଖରେ ଭାତର ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ।
Also read: ରୋହିତଙ୍କ ଡବଲ ରେକର୍ଡ: ପଛରେ ପଡ଼ିଲେ ଧୋନୀ, ସଚିନ ଓ ବିରାଟ
୨୨୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଉପ ଅଧିନାୟକ ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ। ରୋହିତ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରିଥିଲେ। ପ୍ରଥମ ଓ୍ଵିକେଟ୍ରେ ଦୁଇ ବ୍ୟାଟର ୬୯ ରନ ଯୋଡ଼ି ବିଜୟର ମୂଳଦୁଆ ପକାଇଥିଲେ। ରୋହିତ ବଡ଼ ସଟ୍ ଖେଳିବାକୁ ଯାଇ ୩୬ ବଲ୍ରୁ ୭ ଚୌକା ଜରିଆରେ ୪୧ ରନ କରିଥିଲେ। ବିରାଟ କୋହଲି କ୍ରିଜରେ ଜମି ଆସିଥିଲେ ହେଁ ୨୨ ରନ କରି ପାଭିଲିୟନ ଫେରିଥିଲେ। ମଧ୍ୟକ୍ରମରେ ଭାରତ ଶୀଘ୍ର ୨ଟି ଓ୍ଵିକେଟ୍ ହରାଇ ଟିକେ ଚାପଗ୍ରସ୍ତ ହୋଇଥିଲା। ଶ୍ରେୟସ ଆୟର(୧୫) ଓ ଅକ୍ଷର ପଟେଲ୍(୮) ଆଉଟ୍ ହୋଇଥିଲେ।
ଏହା ପରେ ଗିଲ୍ ଓ କେଏଲ ରାହୁଲ ଦଳର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଦୁଇ ବ୍ୟାଟର ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ଗିଲ୍କୁ ଉତ୍ତମ ସହାୟତା କରିଥିଲେ କେଏଲ ରାହୁଲ। ଗିଲ୍ ନିଜର ଫର୍ମ ବଜାୟ ରଖି ଦିନିକିଆ କ୍ୟାରିୟରରେ ଅଷ୍ଟମ ଶତକ ହାସଲ କରିଛନ୍ତି। ଗିଲ୍ଙ୍କ କ୍ରମାଗତ ଦୁଇଟି ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆରେ ଏହି ଉଦୀୟମାନ ବ୍ୟାଟର ଶତକ ଅର୍ଜନ କରିଥିଲେ। ଗିଲ୍ ଓ କେଏଲ ଅବିଭାଜିତ ପଞ୍ଚମ ଓ୍ଵିକେଟ୍ରେ ୮୭ ରନ ଯୋଡ଼ି ଦଳକୁ ୬ ଓ୍ଵିକେଟ୍ରେ ଜିତାଇଛନ୍ତି। ଗିଲ୍ ୧୨୯ ବଲ୍ରୁ ୯ ଚୌକା ଓ ୨ ଛକା ସହ ୧୦୧ ରନ ଓ କେଏଲ ରାହୁଲ ୪୧ ରନ କରି ଅପରାଜିତ ଅଛନ୍ତି।
ବାଂଲାଦେଶ ଇନିଂସ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୩୫ ରନ ଭିତରେ ପ୍ରଥମ ୫ ଓ୍ଵିକେଟ୍ ହରାଇଥିଲା। ଦଳର ଟପ୍ ଅର୍ଡର ଦୟନୀୟ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନ ଥିଲେ। ସୌମ୍ୟ ସରକାର, ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଓ ମୁସଫିକର ରହିମ ଖାତା ଖୋଲି ପାରି ନ ଥିଲେ। ମେହଦି ହାସନ ମିରାଜ ୫ ରନ କରିଥିବା ବେଳେ ତଞ୍ଜିଦ ହସନ ୨୫ ରନ କରି ଆଉଟ୍ ହୋଇଥିଲେ।
୩୫ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟଜନକ ସ୍ଥିତିରେ ଥିଲା ବାଂଲାଦେଶ। ତେବେ ତୋହିଦ ହୃଦୟ ଓ ଜାକେର ଅଲ୍ଲୀ ଦଳର ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ସତର୍କତାର ସହ ବ୍ୟାଟିଂ କରି କ୍ରିଜରେ ଜମି ରହିବା ସହ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ଜାକେର ଅଲ୍ଲୀ ଓ ହୃଦୟ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଭାରତୀୟ ଦଳକୁ ନାକେଦମ ହେବାକୁ ପଡ଼ିଥିଲା। ୧୮୯ ରନ ସ୍କୋରରେ ଭାରତକୁ ଷଷ୍ଠ ସଫଳତା ପାଇଥିଲା। ଜାକେର ଅଲ୍ଲୀ ୬୮ ରନର ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ଦୁଇ ବ୍ୟାଟର ଷଷ୍ଠ ଓ୍ଵିକେଟ୍ରେ ୧୫୪ ରନ ଯୋଡ଼ି ଦଳର ସ୍କୋରକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଥିଲେ। ୪୩ତମ ଓଭରରେ ଶାମି ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ।
ଅନ୍ୟପଟେ ହୃଦୟ ଆହତ ହୋଇଥିଲେ ହେଁ କ୍ରିଜରେ ଜମି ରହି ନିଜ ୧୧୪ ବଲରୁ ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି। ରିସାଦ ହୁସେନ ୧୮ ରନ କରି ଆଉଟ୍ ହୋଇଥିଲେ। ହୃଦୟ ୧୧୮ ବଲ୍ରୁ ୬ ଚୌକା ଓ ୨ ଛକା ସହ ୧୦୦ ରନର ଲଢୁଆ ଇନିଂସ ଖେଳିଥିଲେ। ହୃଦୟଙ୍କୁ ଆଉଟ୍ କରି ଶାମି ବାଂଲାଦେଶ ଇନିଂସର ଇନିଂସ ୨୨୮ ରନରେ ଅନ୍ତ ଘଟାଇଥିଲେ ଶାମି।
ଭାରତ ପକ୍ଷରୁ ମହମ୍ମଦ ଶାମି ୧୦ ଓଭରରେ ୫୩ ରନ ଦେଇ ୫ ସଫଳତା ସହ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ହର୍ଷିତ ରାଣା ୩୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲଙ୍କୁ ୨ଟି ଓ୍ଵିକେଟ୍ ମିଳିଛି। ନିଜର ୫ ସଫଳତା ବଳରେ ମହମ୍ମଦ ଶାମି ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି।