ନୂଆଦିଲ୍ଲୀ ୨୧/୦୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଦୁବାଇରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ବାଂଲାଦେଶକୁ ୬ ୱିକେଟ୍ରେ ପରାସ୍ତ କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ବିଜୟର ସବୁଠାରୁ ବଡ଼ ନାୟକ ଥିଲେ ଶୁଭମନ ଗିଲ୍ । ତାଙ୍କର ୧୦୧ ରନର ଅପରାଜିତ ଇନିଂସ ଯୋଗୁଁ ହିଁ ଭାରତୀୟ ଦଳ ଏହି ମ୍ୟାଚ୍ରେ ବାଂଲାଦେଶକୁ ପରାସ୍ତ କରିପାରିଥିଲା । ଯଦିଓ, ସ୍କୋର ବୋର୍ଡକୁ ଦେଖିଲେ ଏହି ବିଜୟ ସହଜ ମନେହୁଏ ।
କିନ୍ତୁ ଗୋଟିଏ ସମୟ ଆସିଥିଲା ଯେତେବେଳେ ଟିମ୍ ଇଣ୍ଡିଆ ବ୍ୟାକ୍ଫୁଟ୍କୁ ଚାଲିଯାଇଥିଲା । ମ୍ୟାଚ୍ ଧୀରେ ଧୀରେ ବାଂଲା ଆଡକୁ ଚାଲିଯାଉଥିଲା । ବିପର୍ଯ୍ୟୟର ସଙ୍କେତ ଦେଖାଯିବା ଆରମ୍ଭ ହୋଇଥିଲା । ହେଲେ ହଠାତ୍ ଗିଲ୍ଙ୍କୁ ଆସିଥିଲା ମେସେଜ୍ । ଆଉ ଚଟାଣ ପରି ଦୁବାଇରେ ଛିଡା ହୋଇ ରହିଗଲେ ଗିଲ୍ । ସେ କେବଳ ଶତକ ହାସଲ କରିନଥିଲେ, ବରଂ ଶେଷ ପର୍ଯ୍ୟନ୍ତ ରହି ଭାରତୀୟ ଦଳକୁ ସଫଳତା ମଧ୍ୟ ଦେଇଥିଲେ। ଏବେ ଆପମ ମାନେ ଭାବୁଥିବେ କିଏ ସେହି ମେସେଜ୍ ଦେଇଥିଲେ, ଆଉ କମ କହିଥିଲେ ।
ଦୁବାଇରେ ଗିଲଙ୍କ ଅପରାଜିତ ଇନିଂସ ପଛର ରହସ୍ୟ:
ଦୁବାଇରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ମାତ୍ର ୩୫ ରନରେ ୫ ୱିକେଟ ହରାଇଥିଲା। କିନ୍ତୁ ପରେ ଭାରତ ସମ୍ମୁଖରେ ୨୨୯ ରନର ଲକ୍ଷ୍ୟ ରଖିଥିଲା। ଏହାକୁ ପିଛା କରି, ରୋହିତ ଶର୍ମା ଏବଂ ଶୁଭମନ ଗିଲ ପ୍ରଥମ ୧୦ ଓଭରରେ ୬୯ ରନ କରିଥିଲେ। ଏପର୍ଯ୍ୟନ୍ତ ଏହି ଲକ୍ଷ୍ୟ ସହଜ ମନେ ହେଉଥିଲା। କିନ୍ତୁ ଭାରତୀୟ ଅଧିନାୟକ ଆଉଟ୍ ହେବା ମାତ୍ରେ ମ୍ୟାଚ୍ ଧୀରେ ଧୀରେ ଅଟକି ଯିବାକୁ ଲାଗିଲା । ଧୀର ୱିକେଟ୍ ଯୋଗୁଁ ରନ୍ ସଂଗ୍ରହ କରିବା କଷ୍ଟକର ହୋଇପଡୁଥିଲା।
ଅନ୍ୟପକ୍ଷରେ, ଭାରତୀୟ ଦଳ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ୍ ହରାଉଥିଲା। ୧୪୪ ରନ ସ୍କୋର ସୁଦ୍ଧା, ରୋହିତଙ୍କ ବ୍ୟତୀତ ବିରାଟ କୋହଲି, ଶ୍ରେୟସ ଆୟର ଏବଂ ଅକ୍ଷର ପଟେଲ ପାଭିଲିୟନ ଫେରିଯାଇଥିଲେ । ଏହି କାରଣରୁ ଟିମ୍ ଇଣ୍ଡିଆ ଚାପରେ ପଡ଼ିଥିଲା। ତଥାପି, ଗିଲ୍ ଥିଲେ କ୍ରିଜରେ ।
ଭାରତକୁ ଜିତିବାକୁ ଦରକାର ଥିଲା ୯୫ ରନ । ସେତେବେଳେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଗିଲଙ୍କୁ ପଡ଼ିଆରେ ବାର୍ତ୍ତା ଦେଇ ପଠାଇଥିଲେ । କହିଥିଲେ ଯେ ତାଙ୍କୁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିବାକୁ ଚେଷ୍ଟା କରିବାକୁ ପଡିବ । ଗିଲ୍ ତାଙ୍କ ପରାମର୍ଶ ପାଳନ କଲେ ଏବଂ ଧୈର୍ଯ୍ୟ ଦେଖାଇଲେ ଏବଂ ପଡ଼ିଆରେ ରହିଲେ । ଏହିପରି ଭାବରେ, ସେ ୧୦୧ ରନର ଇନିଂସ ଖେଳି ଦଳକୁ ବିଜୟୀ କରାଇଲେ। ମ୍ୟାଚ୍ ପରେ ଗିଲ୍ ନିଜେ ଏହା ପ୍ରକାଶ କରିଥିଲେ।