ନୂଆଦିଲ୍ଲୀ: କରାଚୀରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ତୃତୀୟ ମୁକାବିଲାରେ ଆଫଗାନିସ୍ତାନକୁ ୧୦୭ ରନ୍ରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଓପନର ରୟାନ ରିକେଲଟନଙ୍କ ଶତକୀୟ ଇନିଂସ ବଳରେ ଛଅ ୱିକେଟରେ ୩୧୫ ରନ୍ କରିଥିଲା । ଏହାପରେ ଆଫଗାନିସ୍ତାନ ଟିମ୍ ୪୩.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୮ ରନ୍ କରିବାରେ ସକ୍ଷମ ହେଲା । ଆଫଗାନିସ୍ତାନର ଷ୍ଟାର୍ ବ୍ୟାଟର ରହମତ ଶାହ ୯୨ ବଲରେ ୯୦ ରନ୍ କରି ଆଉଟ୍ ହୋଇଥିଲେ ।
୩୧୬ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଆଫଗାନିସ୍ତାନର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ୫୦ ରନ୍ରେ ହିଁ ଟିମ୍ ୪ ୱିକେଟ୍ ହରାଇଥିଲା । ରହମତଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ । ଅଜମତୁଲ୍ଲାହ ଉମରଜଇ (୧୮), ରାଶିଦ ଖାନ୍ (୧୮), ଇବ୍ରାହିମ୍ ଜାରଦାନ (୧୭), ସେଦିକୁଲ୍ଲାହ ଅଟଲ (୧୬), ଗୁଲବଦିନ ନାୟବ (୧୩) ଓ ରହମାନୁଲ୍ଲାହ ଗୁରବାଜ (୧୦) କରି ଆଉଟ୍ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପାଇଁ କାଗିଶୋ ରାବାଡା ସର୍ବାଧିକ ୩ ୱିକେଟ୍ ନେଇଥିଲେ । ଅନ୍ୟପଟେ ଏନଗିଡି ଏବଂ ବିୟାନ ମୁଲଡରଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା ।
ଟସ୍ ଜିତି ପ୍ରଥମ ବ୍ୟାଟିଂ କରିଥିବା ସାଉଥ୍ ଆଫ୍ରିକା ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୫ ରନ୍ କରିଥିଲା । ୱିକେଟ୍ କିପର ବ୍ୟାଟର ରୟାନ ରିକେଲଟନ ୧୦୬ ବଲରେ ୧୦୩ ରନ୍ କରିଥିଲେ । ଅଧିନାୟକ ଟେମ୍ୱା ବାଭୁମା (୫୮), ଆଡେନ ମାର୍କରମ (୫୨) ଓ ଭନ ଡର୍ ଡ୍ଡୁସେନ (୫୨) ବି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ।