ନୂଆଦିଲ୍ଲୀ: ପ୍ରଥମ ଇନିଂସରେ ଗୁଜରାଟ ବିପକ୍ଷରେ ମାତ୍ର ଦୁଇ ରନର ଅଗ୍ରଣୀ ହାସଲ କରିବା ପରେ କେରଳ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି । ରଣଜୀରେ ଡେବ୍ୟୁ କରିବା ପରେ କେରଳ ୬୮ ବର୍ଷରେ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଛି । ଏବେ ଫାଇନାଲ୍ରେ କେରଳର ମୁକାବିଲା ବିଦର୍ଭ ସହିତ ହେବ । ଦ୍ୱିତୀୟ ସେମିଫାଇନାଲରେ ମୁମ୍ବାଇକୁ ୮୦ ରନ୍ରେ ପରାସ୍ତ କରି ଫାଇନାଲରେ ପ୍ରଦେଶ କରିଛି ବିଦର୍ଭ ।
ଶେଷ ଦିନରେ ପ୍ରଥମ ଇନିଂସରେ ଅଗ୍ରଣୀ ପାଇବା ପାଇଁ ଗୁଜରାଟକୁ ମାତ୍ର ୨୯ ରନ ଆବଶ୍ୟକ ଥିଲା । ୨୦୧୬-୧୭ ରଣଜୀ ଟ୍ରଫି ଚାମ୍ପିଅନ ଟିମ୍ ଦିନର ଖେଳ ୭ ୱିକେଟରେ ୪୨୯ ରନରୁ ଆରମ୍ଭ କରିଥିଲା । କେରଳ ପାଇଁ ବାମହାତୀ ସ୍ପିନର ଆଦିତ୍ୟ ସେରାୱତ ଭଲ ପ୍ରଦର୍ଶନ କରି ତିନୋଟି ୱିକେଟ୍ ନେଇ ଗୁଜରାଟକୁ ୧୭୪.୪ ଓଭରରେ ୪୫୫ ରନ୍ରେ ଅଲ୍ଆଉଟ୍ କରିଥିଲେ । ଏହିପରି ଦଳ ଦୁଇ ରନ୍ ପାଇଁ ଫାଇନାଲରେ ପହଞ୍ଚିବାରୁ ବଞ୍ଚିତ ହେଲା ଗୁଜରାଟ ।
୧୯୫୭ ମସିହାରେ ରଣଜୀ ଡେବ୍ୟୁ କରିବା ପରେ, କେରଳ ଶେଷ ଥର ପାଇଁ ୨୦୧୮-୧୯ ସିଜିନରେ ସେମିଫାଇନାଲରେ ପ୍ରବେଶ କରିଥିଲା । କେରଳ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୮୭ ଓଭରରେ ୪୫୭ ରନ୍ କରିଥିଲା । ଟିମ୍ ପାଇଁ ୱିକେଟ୍ କିପର ମହମ୍ମଦ ଆଝାରୁଦ୍ଦିନ ସର୍ବାଧିକ ୧୭୭ ରନ୍ କରି ଅପରାଜିତ ରହିଥିଲେ । ଏହାର ଜବାବରେ ଗୁଜରାଟ ଟିମ୍ ୧୦ ୱିକେଟ୍ ହରାଇ ୪୫୫ ରନ୍ କରିଥିଲା । ଗୁଜରାଟ ପାଇଁ ପ୍ରିୟାଙ୍କ ପଞ୍ଚଲ ସର୍ବାଧିକ ୧୪୮ ରନ୍ କରିଥିଲେ । ଅନ୍ୟପଟେ କେରଳ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ୧୪୪ ରନ୍ କରିଥିଲା । ତେବେ ମ୍ୟାଚ୍ର ଅନ୍ତିମ ଦିନରେ ରେଜଲ୍ଟ ନବାହାରିବାରୁ ମ୍ୟାଚ୍ ଡ୍ର’ ହୋଇଥିଲା । ପ୍ରଥମ ଇନିଂସର ୨ ରନ୍ ଅଗ୍ରଣୀ ବଳରେ କେରଳ ଫାଇନାଲରେ ପ୍ରବେଶ କରିଛି ।