ଭୁବନେଶ୍ୱର୮/୧୧: ସରିଲା ଛଠ୍ ପୂଜା । ଭୋରୁ ଉଦୟଗାମୀ ସୂର୍ଯ୍ୟଙ୍କୁ ପୂଜା କରି ବ୍ରତ ସମାପନ କରିଲେ ବିହାର ସମ୍ପ୍ରଦାୟର ଲୋକମାନେ। ଦୀର୍ଘ ୪ ଦିନ ଧରି ବ୍ରତ ପାଳାନ କରିଥିଲେ ଶ୍ରଦ୍ଧାଳୁ । ମନସ୍କାମନା ପୂର୍ଣ୍ଣ ହୋଇଥିବା ହଜାର ହଜାର ଭକ୍ତ ମାନେ ସୂର୍ଯ୍ୟ ଦେବଙ୍କୁ କରିଲେ ପୁଜା।
ଗୁରୁବାର ସୂର୍ଯ୍ୟାସ୍ତରୁ ଆରମ୍ଭ ହୋଇ ଶୁକ୍ରବାର ସୂର୍ଯ୍ୟଙ୍କ ପ୍ରଥମ କିରଣ ଧରାପୃଷ୍ଠରେ ସ୍ପର୍ଶ କରିବା ପରେ ସମାପନ ହୋଇଛି ଛଠ୍ ପୂଜା। କାର୍ତ୍ତିକ ଶୁକ୍ଲପକ୍ଷ ଚତୁର୍ଥୀରୁ ଆରମ୍ଭ ହୋଇଥିବା ଛଠ୍ ପର୍ବର ଗୁରୁବାର ଥିଲା ଷଷ୍ଠୀ ପୂଜା । ୪ ଦିନ ଏହାକୁ ନିଷ୍ଠାର ସହିତ ପାଳନ କରିଛନ୍ତ ଶ୍ରଦ୍ଧାଳୁ । ଏହି ପର୍ବରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ଓ ଛଠ୍ ମାତାଙ୍କୁ ଉପାସନା କରାଯାଏ । ଆସ୍ଥା, ପରମ୍ପରା ଓ ଭାଇଚାରାର ବାର୍ତ୍ତା ଦେଉଥିବା ଛଠ୍ ପୂଜାକୁ ପୁଣି ଭକ୍ତମାନେ ଅପେକ୍ଷା କରିବେ ଆର ବର୍ଷକୁ ।
ପ୍ରଥମ ଦିନ ଅର୍ଥାତ୍ ଚତୁର୍ଥୀରେ ବ୍ରତଧାରୀ ନଦୀ ବା ପୋଖରୀରେ ସ୍ନାନ କରି ଅରୁଆ ଅନ୍ନ, ଚଣାଡାଲି ଓ ଲାଉରେ ପ୍ରସ୍ତୁତ କାଦୁଅନ୍ନ ଭାବେ କୁହାଯାଉଥିବା ବ୍ୟଞ୍ଜନକୁ ପୂଜା କଲାପରେ ପ୍ରସାଦ ଭାବେ ଭୋଜନ କରିଥାନ୍ତି । ଏହି ଦିନ ବଡ଼ଦାନା ଲୁଣ ଖାଇବା ପରମ୍ପରା ରହିଛି । ଦ୍ୱିତୀୟ ଦିନ ବା ପଞ୍ଚମୀକୁ ଖରନ୍ନା କୁହାଯାଏ । ଏହି ଦିନ ଗୁଡ଼ରେ ଖିରୀ, ଅଟା ରୁଟି କାଠଚୁଲିରେ ପ୍ରସ୍ତୁତ ହୋଇ ଛଠ୍ମାତାଙ୍କ ନିକଟରେ ପୂଜା ହେବା ପରେ ସନ୍ଧ୍ୟାରେ ବ୍ରତଧାରୀ ଉପବାସ ଭଙ୍ଗ କରିଥାନ୍ତି ।
ତୃତୀୟ ଦିନ ତଥା ଷଷ୍ଠୀରେ ସୂର୍ଯ୍ୟାସ୍ତ ପୂର୍ବରୁ ନଦୀ ବା ପୁଷ୍କରିଣୀରେ ବ୍ରତଧାରୀ ଛିଡା ହୋଇ ସୂର୍ଯ୍ୟଦେବଙ୍କୁ ପୂଜା କରିଥାନ୍ତି । ସେହି ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ବିଭିନ୍ନ ନଦୀପଠା ଓ ପୁଷ୍କରିଣୀ କୂଳରେ ଭିଡ଼ ଦେଖିବାକୁ ମିଳିଥିଲା । ବିହାରୀ ମହିଳାମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ସହ ଛଠ୍ ମା’ଙ୍କ ପାଖରେ ପରିବାରର ମଙ୍ଗଳ ମନାସିଛନ୍ତି ।
ଗତ ୫ତାରିଖ ମଙ୍ଗଳବାର ଠାରୁ ଛଠ୍ ପୂଜା ଆରମ୍ଭ ହୋଇଥିଲା । ଗୁରୁୂବାର ସକାଳୁ ନିର୍ଜଳା ଉପବାସ ରହିବା ପରେ ସନ୍ଧ୍ୟାରେ ଆରମ୍ଭ ହେଲା ପୂଜାର୍ଚ୍ଚନା । ବିଧି ଅନୁସାରେ ସେମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୂଜା କରିଥିଲେ । ଭୁବନେଶ୍ୱରରେ ଥିବା ଜଳାଶୟ ଓ ଛାତ ଉପର କୃତ୍ରିମ କୁଣ୍ଡରେ କେତେକ ମହିଳା ଛଠ୍ ପୂଜା କରିଥିବା ଦେଖିବାକୁ ମିଳିଥିଲା ।
କୁଆଖାଇରେ ସନ୍ଧ୍ୟା ପୂଜାରେ ମହିଳାମାନେ ପାଣିରେ ପଶି କୁଲାରେ ବିଭିନ୍ନ ପ୍ରକାର ଫଳଫୁଲ ଧରି ଅସ୍ତ ହେଉଥିବା ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ । ନାହାୟ ଓ ଖାୟଠାରୁ ପ୍ରଥମ ଦିନ ଆରମ୍ଭ ହୋଇ ଉଷା ଅର୍ଘ୍ୟରେ ଶେଷ ହୁଏ । ପୂଜା ଆରମ୍ଭରୁ ଶେଷ ଯାଏ ବିନା ପିଆଜ ରସୁଣରେ ଖାଦ୍ୟ ପ୍ରସ୍ତୁତ ହୁଏ । ଦ୍ୱିତୀୟ ଦିନରେ କ୍ଷୀର, ଗୁଡ଼ ଓ ଅରୁଆ ଚାଉଳରେ ଖିରି ପ୍ରସ୍ତୁତ କରି ପୂଜା କରାଯାଏ । ସେବେଠାରୁ ଉପବାସ ଆରମ୍ଭ ହୁଏ । ପରିବାରର ମହିଳା, ପୁରୁଷ ସମସ୍ତେ ଏହି ଉପବାସ କରନ୍ତି ।