ମୁମ୍ଵାଇ ୦୮।୧୧; ସଲମାନଙ୍କୁ ପୁଣି ହତ୍ୟା ଧମକ। ମୁମ୍ବାଇର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ସଲମାନଙ୍କ ପାଇଁ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା। ଗତକାଲି ବିଳମ୍ବିତ ରାତିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ଏହି ଧମକପୂର୍ଣ୍ଣ ମେସେଜ ମିଳିଥିବା ଜଣାପଡିଛି। ଗୁରୁବାର ରାତି ପ୍ରାୟ ୧୨ ଟା ସମୟରେ ଏହା ଘଟିଥିଲା । ଏଥିରେ କୁହାଯାଇଛି ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଗୀତ ଲେଖକଙ୍କୁ ଛଡ଼ାଯିବନି ।
ଧମକରେ କ’ଣ ଲେଖାଯାଇଛି?
ଏହି ଧମକରେ ଲେଖାଯାଇଛି - ଏକ ମାସ ମଧ୍ୟରେ ଗୀତ ଲେଖୁଥିବା ବ୍ୟକ୍ତିଙ୍କୁ ହତ୍ୟା କରାଯିବ। ଗୀତ ଲେଖୁଥିବା ବ୍ୟକ୍ତିଙ୍କ ଅବସ୍ଥା ଏପରି ହେବ ଯେ ସେ ନିଜ ନାମରେ ଗୀତ ଲେଖି ପାରିବେ ନାହିଁ । ଯଦି ସଲମାନଙ୍କ ସାହସ ଅଛି ତାଙ୍କୁ ବଞ୍ଚାଇ ଦେଖାନ୍ତୁ ବୋଲି ବି ଚେତାବନୀ ଦିଆଯାଇଛି।
ଏହି ମାମଲାରେ ମୁମ୍ବାଇର ୱର୍ଲି ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଯେଉଁ ନମ୍ବରରୁ ଧମକ ଆସିଥିଲା ପୋଲିସ ତାହାକୁ ଖୋଜିବାରେ ବ୍ୟସ୍ତ ଅଛି । ତେବେ, ଏହା କେଉଁ ଗୀତ ଏବଂ କିଏ ଏହାକୁ ଲେଖିଛନ୍ତି ... ଏହି ସୂଚନା ଧମକପୂର୍ଣ୍ଣ ବାର୍ତ୍ତାରେ ଦିଆଯାଇ ନାହିଁ । ଏପରି ଧମକପୂର୍ଣ୍ଣ ମେସେଜକୁ ନେଇ ପୂରା ବି-ଟାଉନ୍ରେ ଚହଳ ସୃଷ୍ଟି ହୋଇଥିବା ବେଳେ ବଲିଉଡର ଦବଙ୍ଗ ଖାନ ହାଇଦ୍ରାବାଦରେ ନିଜ ଅପକମିଙ୍ଗ ଫିଲ୍ମ ‘ସିକନ୍ଦର’ ର ସୁଟିଂରେ ବ୍ୟସ୍ତ ଅଛନ୍ତି।ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି।