ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ଟାରିଫ୍ ୱାର୍ ବଢିଯାଇଛି । ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍ ବଢାଇ ୮୪ ପ୍ରତିଶତ କରିଛି ଚୀନ । ଏହାର ଅର୍ଥ ଏହା ଯେ ଚୀନ ଏବେ ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୮୪ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବ । ରାଟିଫ୍ ହେଉଛି ଆମଦାନୀ କରାଯାଇଥିବା ସାମଗ୍ରୀ ଉପରେ ଲାଗୁ ହେଉଥିବା ଏକ ପ୍ରକାର ଟ୍ୟାକ୍ସ ।
ଚୀନ ଅର୍ଥ ମନ୍ତ୍ରଣାଳୟ ଗୁରୁବାର ସମସ୍ତ ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍ ବୃଦ୍ଧି ଘୋଷଣା କରିଛି । ପୂର୍ବରୁ ଘୋଷିତ ୩୪ ପ୍ରତିଶତ ଟାରିଫ୍ଠାରୁ ୫୦ ପ୍ରତିଶତ ଅଧିକ କରିଛି । ମନ୍ତ୍ରଣାଳୟ କହିଛି ଯେ ନୂଆ ଶୁଳ୍କ ଏପ୍ରିଲ୍ ୧୦ରୁ ଲାଗୁ ହେବ । ଉଚ୍ଚ ଟାରିଫ୍ ପରେ ଚୀନରେ ଆମେରିକୀୟ ସାମଗ୍ରୀ ମହଙ୍ଗା ହୋଇଯିବ । ଏହାସହ ଚୀନକୁ ଆମେରିକା ସାମଗ୍ରୀର ରପ୍ତାନୀ ମଧ୍ୟ ହ୍ରାସ ହୋଇପାରେ । ଚୀନ ଗ୍ରାହକଙ୍କୁ ଆମେରିକୀୟ ସାମଗ୍ରୀ କିଣିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ଏହି ପଦକ୍ଷେପ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଆହୁରି ତୀବ୍ର ହୋଇପାରେ ।
ଚୀନର ଏହି ପଦକ୍ଷେପ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ମଙ୍ଗଳବାର ଚୀନ ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ୍ ଲଗାଯିବା ପରେ ନିଆଯାଇଛି । ଟ୍ରମ୍ପଙ୍କ ଦ୍ୱାରା ୧୦୪ ପ୍ରତିଶତ ଟାରିଫ୍ ଲାଗୁ କରାଯିବା ପରେ ଚୀନ ଏହାକୁ 'ଅହଂକାରୀ ଓ ଧମକପୂର୍ଣ୍ଣ' ବ୍ୟବହାର ବୋଲି କହିଥିଲା । ଏହାସହ ଚୀନ ଟ୍ରମ୍ପଙ୍କ ଟାରିଫ୍ ବିରୋଧରେ ଶେଷ ପର୍ଯ୍ୟନ୍ତ ଲଢେଇ ଲଢିବ ବୋଲି ସଂକଳ୍ପ ନେଇଥିଲା । ଟାରିଫ୍ ପ୍ରସଙ୍ଗରେ ହ୍ୱାଇଟ୍ ହାଉସ ସହ କୌଣସି ପ୍ରକାର ଆଲୋଚନା କରିବ ନାହିଁ ବୋଲି ଚୀନ ସ୍ପଷ୍ଟ କରିଥିଲା ।