୧୩୦ ବର୍ଷରେ ସ୍କୋଡା; ସାଇକେଲ୍‌ରୁ କାର ଯାଏଁ ଯାତ୍ରା, ଜାଣନ୍ତୁ କମ୍ପାନୀର ରୋଚକ କାହାଣୀ...

Published By : Prameya-News7 Bureau | April 17, 2025 IST

ନୂଆଦିଲ୍ଲୀ ୧୭।୦୪: କୋଡିଏକ୍ ଭଳି ଲଗଜରୀ SUV । ତିଆରି କରିଛି ସ୍କୋଡା । ଏବେ ହୋଇଛି ୧୩୦ ବର୍ଷ ପୁରୁଣା। ବର୍ଷ ବର୍ଷ ଧରି ଲୋକଙ୍କର ହୋଇଛି ପ୍ରିୟ । କିନ୍ତୁ ବର୍ତ୍ତମାନର ଏହି ଦିଗ୍ଗଜ କମ୍ପାନୀ, ଦିନେ ସାଇକେଲ୍‌ ତିଆରିରୁ ଆରମ୍ଭ କରିଥିଲା ଯାତ୍ରା । ପରେ ମୋଟର ସାଇକେଲ୍‌ ଆଉ ପରେ କାର୍‌ ତିଆରି କରିଥିଲା । ବିଗତ ୧୩୦ ମଧ୍ୟରେ ଅନେକ ଉତ୍ଥାନ ପତ୍ତନ ଦେଖିଛି କମ୍ପାନୀ । କେତେବେଳେ ଭଲ ଉତ୍ପାଦନ ହୋଇଛି ତ, ଆଉ କେତେବେଳେ କମ୍ପାନୀ ଜଳିପୋଡି ପାଉଁଶ ହୋଇଯାଇଛି । 

ତଥାପି କମ୍ପାନୀ ଲୋକଙ୍କ ନଜରରୁ ହଟିନି । ଯେତେଥର ତଳକୁ ଖସିଛି ସେତେଥର ଉଠିଛି । ଖୁବ୍‌ ରୋଚକ ସ୍କୋଡାର ଐତିହ୍ୟ । କମ୍ପାନୀର କାହାଣୀର ଆରମ୍ଭ ହୋଇଥିଲା ୧୮୯୫ ମସିହାରେ । ଭାକ୍ଲାଭ ଲୌରିନ୍ ଏବଂ ଭାକ୍ଲାଭ କ୍ଲେମେଣ୍ଟ ନାମକ ଉଦ୍ୟୋଗୀ ଏକ ବ୍ୟବସାୟ କରିବାକୁ କରିଥିଲେ ଯୋଜନା । ଆଉ ସେମାନେ ସାଇକେଲ୍ ତିଆରି କରିବାକୁ ଚିନ୍ତା କରିଥିଲେ । ଏହା ସେହି ସମୟ ଥିଲା ଯେତେବେଳେ ୟୁରୋପରେ ଚାଲିଥିଲା ଶିଳ୍ପ ବିପ୍ଳବ । 

କାରଖାନାଟି ପ୍ରଚୁର ପରିମାଣରେ ଉତ୍ପାଦନ ଆରମ୍ଭ କରିଥିଲା । ତେଣୁ ଶ୍ରମିକଙ୍କ ଆବଶ୍ୟକତା ବୃଦ୍ଧି ପାଇଲା। ଶ୍ରମିକମାନଙ୍କୁ କାରଖାନାକୁ ଯିବା ଆସିବା ପାଇଁ ସାଇକେଲର ଆବଶ୍ୟକତା ଥିଲା । କମ୍ପାନୀ ସେହି ସମୟରେ ସାଇକେଲ ତିଆରି କରିବା ଥିଲା ଏକ ଭଲ ବିକଳ୍ପ । କମ୍ପାନୀର ସାଇକେଲ ବ୍ୟବସାୟ ଭଲ ଚାଲିଥିଲା । ତେଣୁ ଉଭୟ ଉଦ୍ୟୋଗୀ ସେମାନଙ୍କର ପୋର୍ଟଫୋଲିଓକୁ ବିସ୍ତାର କରିବା ପାଇଁ ଚାହିଁଥିଲେ । ସେମାନେ 'ମୋଟରବାଇକ୍' ତିଆରି କରିବା ଆରମ୍ଭ କରିଥିଲେ । ୧୮୯୯ ମସିହାରେ ବଜାରକୁ ଆସିଥିଲା ପ୍ରଥମ ମୋଟରବାଇକ । 

କମ୍ପାନୀ ଆରମ୍ଭ ହେବାର ମାତ୍ର ୪ ବର୍ଷ ପରେ କମ୍ପାନୀ ନିଜ ନାଁ ପରିବର୍ତ୍ତନ କରିଥିଲା । ପ୍ରାରମ୍ଭରେ କମ୍ପାନୀର ନାମ ସ୍କୋଡା ନଥିଲା । ସେତେବେଳେ ଏହାର ନାଁ 'ସ୍ଲାଭିଆ' ଥିଲା। କିନ୍ତୁ ପରେ ଏହାର ନାଁ ପରିବର୍ତ୍ତନ କରାଯାଇ 'ଲରିନ୍ ଆଣ୍ଡ୍ କ୍ଲେମେଣ୍ଟ କମ୍ପାନୀ' କରାଯାଇଥିଲା । କମ୍ପାନୀର ବାଇକ୍ ମଧ୍ୟ ଏକ ବଡ଼ ସଫଳତା ପାଇଥିଲା। ପ୍ରାୟ ୪ ହଜାର ମୋଟରବାଇକ ନିର୍ମାଣ କରିବା ପରେ, ଏହି ଦୁଇ ଉଦ୍ୟୋଗୀ କାର୍ ନିର୍ମାଣରେ ଭାଗ୍ୟ ପରୀକ୍ଷା କରିଥିଲେ । ଏମାନେ ୧୯୦୫ ମସିହାରେ କମ୍ପାନୀ ମୁଖ୍ୟତଃ କାର୍ ନିର୍ମାଣ ଆରମ୍ଭ କରିଥିଲା। 

ଏବେ ପ୍ରଶ୍ନ ଆସୁଛି କମ୍ପାନୀର ନାଁ ସ୍କୋଡା କେବେ ହେଲା ? ବାସ୍ତବରେ ଏହାର କାହାଣୀ ମଧ୍ୟ ବେଶ୍‌ ଆକର୍ଷଣୀୟ। ୧୯୧୪ ରୁ ୧୯୧୮ ମଧ୍ୟରେ ବିଶ୍ୱ ଦେଖିଥିଲା ପ୍ରଥମ ବିଶ୍ୱଯୁଦ୍ଧ । ଏହି ସମୟ ମଧ୍ୟରେ ବିଶ୍ୱର ଅଧିକାଂଶ କମ୍ପାନୀ କାର ନିର୍ମାଣ ବନ୍ଦ କରିଦେଇଥିଲେ । ସମସ୍ତ କମ୍ପାନୀ କାର ବଦଳରେ ସାମରିକ ଯାନ ତିଆରି କରିବା ଆରମ୍ଭ କଲେ । ସ୍କୋଡା ମଧ୍ୟ ସମାନ କାମ କରିଥିଲା । କିନ୍ତୁ ୧୯୨୪ ମସିହାରେ କମ୍ପାନୀର କାରଖାନାରେ ହୋଇଥିଲା ଏକ ଭୟଙ୍କର ଅଗ୍ନିକାଣ୍ଡ । 

ଯେଉଁଥିରେ କମ୍ପାନୀର କାରଖାନାକୁ ପ୍ରାୟ ସବୁ ନଷ୍ଟ ହୋଇଯାଇଥିଲା । ଶେଷରେ ଏହାର ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ଲରିନ୍ ଏବଂ କ୍ଲେମେଣ୍ଟ ୧୯୨୫ରେ ଏମିଲ୍ ସ୍କୋଡାଙ୍କ କମ୍ପାନୀ, ସ୍କୋଡା ୱାର୍କ୍ସ ସହିତ ମିଶିଥିଲା । ଏହାପରେ ସ୍କୋଡା ନିଜର ନୂଆ ଲୋଗୋ ଏବଂ ନୂଆ ନାଁ ପାଇଥିଲା ।  ଚେକ୍ ଗଣରାଜ୍ୟ କମ୍ପାନୀ ସ୍କୋଡା ଅଟୋର ଜୀବନରେ ୧୯୯୧ ମସିହାରେ ଆଉ ଏକ ବଡ଼ ପରିବର୍ତ୍ତନ ଆସିଥିଲା । ଏହାପରେ କମ୍ପାନୀଟି ଜର୍ମାନୀର ଫୋକ୍ସୱାଗନ୍ ସହିତ ସହଭାଗୀତା ଆରମ୍ଭ କରିଥିଲା ଏବଂ ଆଜି ଏହା ଦାସ ଅଟୋ ଗ୍ରୁପ୍‌ର ଏକ ଅଂଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.