ଲାଗାତାର ତୃତୀୟ ଦିନରେ ହ୍ରାସ ସହ ବନ୍ଦ ହେଲା ସେୟାର ବଜାର, ନିବେଶକଙ୍କ ୧.୧୭ ଲକ୍ଷ କୋଟି ଟଙ୍କା ସ୍ୱାହା

Published By : Prameya-News7 Bureau | February 07, 2025 IST

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସୁଧ ହାର ହ୍ରାସ କରାଯିବା ସତ୍ତ୍ୱେ ଆଜି ବି ସେୟାର ବଜାରରେ ହ୍ରାସ ଜାରି କରିଥିଲା । ସେନ୍‌ସେକ୍ସ ଏବଂ ନିଫ୍ଟି ଲଗାତାର ତୃତୀୟ ଦିନରେ ଲାଲ୍ ସଂକେତରେ ବନ୍ଦ ହୋଇଛି । ସେନସେକ୍ସ ୧୯୭ ଅଙ୍କ ହ୍ରାସ ପାଇଛି । ଅନ୍ୟପଟେ ୨୩,୬୦୦ ସ୍ତର ତଳେ ବନ୍ଦ ହୋଇଛି । ଏହି କାରଣରୁ ନିବେଶକଙ୍କୁ ଆଜି ପ୍ରାୟ ୧.୧୭ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । 

ଆରବିଆଇ, ବଜାର ଅନୁମାନ ଅନୁସାରେ ରେପୋ ରେଟ୍ ୦.୨୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା । ତେବେ ଏହା ସତ୍ତ୍ୱେ ବ୍ୟାଙ୍କିଂ ଏବଂ ଫାଇନାନ୍ସସିଆଲ୍ ସେୟାର ସୂଚକାଙ୍କ ଲାଲ୍ ସଂକେତରେ ହିଁ ବନ୍ଦ ହୋଇଛି । ଏହା ବ୍ୟତୀତ FMCG, ଅୟଲ୍ ଓ ଗ୍ୟାସ୍ ଏବଂ ଏନର୍ଜିରେ ମଧ୍ୟ ବଡ଼ ଧରଣ ବିକ୍ରି ଦେଖିବାକୁ ମିଳିଛି । ଅନ୍ୟପଟେ ଟେଲିକମ୍, କଞ୍ଜୁମର ଡ୍ୟୁରେବଲ୍ ଏବଂ ମେଟାଲ ସେୟାରରେ କ୍ରୟ ଦେଖିବାକୁ ମିଳିଥିଲା । ବ୍ରଡର ମାର୍କଟରେ ବି ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା । ବିଏସ୍‌ଇ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୦.୧୩ ପ୍ରତିଶତ ବଢି ବନ୍ଦ ହୋଇଛି । ଅନ୍ୟପଟେ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୦.୬୮ ପ୍ରତିଶତ ଖସି ବନ୍ଦ ହୋଇଛି ।

କାରବାର ଶେଷରେ ବିଏସ୍‌ଇ ସେନ୍‌ସେକ୍ସ ୧୯୭.୯୭ ଅଙ୍କ ବା ୦.୨୫ ପ୍ରତିଶତ ହ୍ରାସ ସହ ୭୭,୮୬୦.୧୯ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସ୍‌ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୪୩.୪୦ ଅଙ୍କ ବା ୦.୧୮ ପ୍ରତିଶତ ଖସି ୨୩,୫୫୯.୯୫ ସ୍ତରରେ ବନ୍ଦ ହୋଇଛି । ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ହ୍ରାସ ପାଇ ୪୨୩.୮୦ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଏହା ୪୨୪.୯୭ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକୁ ପ୍ରାୟ ୧.୧୭ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.