ନୂଆଦିଲ୍ଲୀ: ସେୟାର ବଜାର ଆଜି ଲଗାତାର ଚତୁର୍ଥ ଦିନରେ ଲାଲ୍ ସଂକେତରେ ବନ୍ଦ ହୋଇଛି । ସେନସେକ୍ସ ୪୨୫ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୨,୮୦୦ର ଗୁରୁତ୍ୱପୂର୍ଣ୍ଣ ସପୋର୍ଟ ସ୍ତର ତଳକୁ ଖସି ଆସିଛି । ନିଫ୍ଟି ମେଟାଲ୍ ଇଣ୍ଡେକ୍ସ ବ୍ୟତୀତ ଅନ୍ୟ ସମସ୍ତ ୧୨ ସେକ୍ଟୋରାଲ୍ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି । ଏହି କାରଣରୁ ଆଜି ଗୋଟିଏ ଦିନରେ ନିବେଶକଙ୍କୁ ୩.୦୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।
ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ୍ ସେୟାରର ବି ଗତ ୨ ଦିନ ଧରି ଚାଲିଥିବା ବୃଦ୍ଧିରେ ବ୍ରେକ୍ ଲାଗିଛି । ବିଏସ୍ଇ ମିଡକ୍ୟାପ୍ ଇଣ୍ଡେକ୍ସ ୧.୧୮ ପ୍ରତିଶତ ଏବଂ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ୦.୪୩ ପ୍ରତିଶତ ହ୍ରାସ ପାଇ ବନ୍ଦ ହୋଇଛି । ଏହା ଲଗାତାର ତୃତୀୟ ସପ୍ତାହ, ଯେତେବେଳେ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ସହ ବନ୍ଦ ହୋଇଛି ।
ସପ୍ତାହର ଶେଷ କାରବାର ଦିନରେ ମୁମ୍ୱାଇ ସେନ୍ସେକ୍ସ ୪୨୪.୯୦ ପଏଣ୍ଟ ବା ୦.୫୬ ପ୍ରତିଶତ ହ୍ରାସ ସହ ୭୫,୩୧୧.୦୬ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୧୧୭.୨୫ ଅଙ୍କ ବା ୦.୫୧ ପ୍ରତିଶତ ହ୍ରାସ ପାଇ ୨୨,୭୯୫.୯୦ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମୋଟ ମାର୍କେଟ୍ କ୍ୟାପ୍ ଆଜି ହ୍ରାସ ପାଇ ୪୦୧.୮୧ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ଗୁରୁବାର ଫେବ୍ରୁଆରୀ ୨୦ରେ ଏହା ୪୦୪.୮୫ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୩.୦୪ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ସରଳ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ୩.୦୪ ଲକ୍ଷ କୋଟି ଟଙ୍କା ବୁଡ଼ିଛି । ବିଏସଇ ସେନସେକ୍ସର ୩୦ ସେୟାର ମଧ୍ୟରୁ କେବଳ ୯ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି ।