ନୂଆଦିଲ୍ଲୀ ୨୧।୨: ଆମେରିକୀୟ ଇଲେକ୍ଟ୍ରିକ୍ କାର ନିର୍ମାତା ଟେସ୍ଲା ଭାରତରେ କାରବାର ଆରମ୍ଭ କରିବ। ଏଥି ପାଇଁ କମ୍ପାନୀ ଏବେ କର୍ମଚାରୀ ନିଯୁକ୍ତି କରୁଥିବାର ଚର୍ଚ୍ଚା ଜୋର ଧରିଛି। ଏହା ବି ଦାବି କରାଯାଉଛି ଯେ ଟେସ୍ଲା ନୂଆଦିଲ୍ଲୀ ଓ ମୁମ୍ବାଇରେ ପ୍ରଥମ ସୋ ରୁମ ସ୍ଥାପନା କରିବ। ମିଡିଆ ରିପୋର୍ଟ ଅନୁସାରେ ଭାରତରେ ଟେସ୍ଲାର ପ୍ରଥମ କାର ୨୫ ଲକ୍ଷ ଟଙ୍କାରୁ କମ ଦରରେ ଲଞ୍ଚ ହୋଇପାରେ। ତେବେ ଆପଣ ଜାଣନ୍ତିକି ବିଶ୍ୱର ଅଲଗା ଅଲଗା ଦେଶରେ ଏହି କମ୍ପାନୀର କାର ମଡେଲ କେତେ ଦରରେ ବିକ୍ରି ହେଉଛି? ଯଦି ଜାଣି ନାହାନ୍ତି ଆସନ୍ତୁ ଜାଣିବା।
ଇଲେକ୍ଟ୍ରିକ୍ କାର ଜଗତରେ ଟେସ୍ଲା ଏକ ଚର୍ଚ୍ଚିତ ନାମ। ଏଲନ ମସ୍କଙ୍କ କମ୍ପାନୀର ଏହି କାର ଆଡଭାନ୍ସ ଟେକ୍ନୋଲଜି, ଉନ୍ନତ ପରଫର୍ମାନ୍ସ ଓ ଲମ୍ବା ରେଞ୍ଜ ପାଇଁ ଜଣାଶୁଣା। ତେବେ ଟେସ୍ଲା କାରଗୁଡିକ ଅଲଗା ଅଲଗା ଦେଶରେ ଅଲଗା ଅଲଗା ଦରରେ ବିକ୍ରି ହେଉଛି। କରେନ୍ସୀ ଏକ୍ସଚେଞ୍ଜ ରେଟ୍, ଟ୍ୟାକ୍ସ ପଲିସି, ଇମ୍ପୋର୍ଟ ଡ୍ୟୁଟି ଓ ସ୍ଥାନୀୟ ଉତ୍ପାଦ କର ଭଳି କାରକ ଦର ଉପରେ ପ୍ରଭାବ ପକାଏ। ତେବେ ଆସନ୍ତୁ ଜାଣିବା ଆମେରିକା, ୟୁରୋପ, ଚୀନ ଓ ଅନ୍ୟ ଦେଶରେ କେତେ ଦରରେ ବିକ୍ରି ହେଉଛି ଟେସ୍ଲା କାର।
ଟେସ୍ଲା କାର ଆମେରିକାରେ ସବୁଠୁ ଶସ୍ତାରେ ବିକ୍ରି ହେଉଛି। କାରଣ ଏଠାରେ କାର ଉତ୍ପାଦନ ହେଉଛି। ଏଣୁ ଆମେରିକାରେ ଟେସ୍ଲାର ଅନେକ ମଡେଲ ମଧ୍ୟ ଉପଲବ୍ଧ ହେଉଛି, ଯେପରି ମଡେଲ-୩, ମଡେଲ-ୱାଇ, ମଡେଲ-ଏସ୍ ଏବଂ ମଡେଲ-ଏକ୍ସ। ଟେସ୍ଲା ୱେବସାଇଟ ଅନୁସାରେ ଆମେରିକାରେ ଟେସ୍ଲା ମଡେଲ-୩ ମାତ୍ର ୪୪,୧୩୦ ଡଲାର ଅର୍ଥାତ ୩୮.୨୪ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ସେହିପରି ମଡେଲ ୱାଇ ୫୯,୯୯୦ ଡଲାର (୫୨ଲକ୍ଷ ଟଙ୍କା)ରେ ବିକ୍ରି ହେଉଥିବା ବେଳେ ମଡେଲ-ଏକ୍ସ ୭୯,୯୯୦ ଡଲାର (୭୫ଲକ୍ଷ ଟଙ୍କା)ରେ ବିକ୍ରି ହେଉଛି।
ୟୁରୋପୀୟ ଦେଶମାନଙ୍କରେ ଟ୍ୟାକ୍ସ ଓ ଆମଦାନୀ ଶୁଳ୍କ କାରଣରୁ ଟେସ୍ଲା କାର ଆମେରିକାଠାରୁ ଉଚ୍ଚ ଦରରେ ବିକ୍ରି ହେଉଛି। ଏଠାରେ ଟେସ୍ଲା ମଡେଲ-୩ ପାଖାପାଖି ୫୧,୯୯୦ ୟୁରୋ (ପାଖାପାଖି ୪୭ଲକ୍ଷ ଟଙ୍କା)ରେ ବିକ୍ରି ହେଉଥିବା ବେଳେ ଫ୍ରାନ୍ସରେ ଏହାର ଦର ୪୨,୪୯୦ ୟୁରୋ (୩୮.୫୦ ଲକ୍ଷ ଟଙ୍କା), ଏଥିରେ ବ୍ରିଟେନରେ ଟେସ୍ଲା ମଡେଲ-୩ର ମୂଲ୍ୟ ୩୯,୯୯୦ ୟୁରୋ (୩୬.୨୮ରୁ ୫୪.୫୦ ଲକ୍ଷ ଟଙ୍କା)ରେ ବିକ୍ରି ହେଉଛି।
ତେବେ ଆମେରିକା ପରେ ଚୀନ୍ରେ ଟେସ୍ଲା ଦର ଟିକେ ଶସ୍ତା। କାରଣ ଏଠାରେ ଟେସ୍ଲାର ଗିଗା ଫ୍ୟାକ୍ଟ୍ରି ରହିଛି। ଲୋକାଲ ପ୍ରଡକ୍ସନ ଯୋଗୁ ଏଠାରେ କାର ଉପରେ ଇମ୍ପୋର୍ଟ ଡ୍ୟୁଟି ପଡୁ ନାହିଁ। ଏଣୁ ଟେସ୍ଲା ମଡେଲ-୩ର ମୂଲ୍ୟ ଚୀନ୍ରେ ୨୭,୬୯,୪୯୮ୟୁଆନ (୨୭.୬୯ଲକ୍ଷ ଟଙ୍କା)ରେ ମିଳି ଯାଉଛି। ଚୀନ୍ରେ ଟେସ୍ଲାର ସବୁଠୁ ଟପ ମଡେଲର ଦାମ ୮,୩୮,୯୦୦ ୟୁଆନ (୯୭.୫୦ଲକ୍ଷ ଟଙ୍କା) ପଡୁଛି। ଏଥିରେ ଗ୍ରାହକ ଟେସ୍ଲା-ଏକ୍ସ ମଡେଲ ନେଉଛନ୍ତି।
ମଧ୍ୟପ୍ରାଚ୍ୟର ସବୁଠୁ ବଡ଼ ଦେଶ ସାଉଦୀ ଆରବରେ ଟେସ୍ଲା ମଡେଲ-୩ର ମୂଲ୍ୟ ୧,୭୧,୫୬୮ ସାଉଦୀ ରିୟଲରୁ ଆରମ୍ଭ ହେଉଛି, ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୩୯.୬୪ଲକ୍ଷ ଟଙ୍କା। ସେହି ଅନୁସାରେ ଦେଖିଲେ ଭାରତରେ ଏବେ ଟେସ୍ଲା କାରର ବିକ୍ରି ଆରମ୍ଭ ହୋଇ ନାହିଁ। ତେବେ କମ୍ପାନୀ ଖୁବ୍ ଶୀଘ୍ର ଭାରତରେ କାର ଲଞ୍ଚ କରିପାରେ। ଆମ ଦେଶର ଇମ୍ପୋର୍ଟ ଡ୍ୟୁଟି ଅନୁସାରେ ଏହି କାର ମହଙ୍ଗା ହୋଇପାରେ। ଏଣୁ କମ୍ପାନୀ ଶୁଳ୍କ ରିହାତି ଦାବି କରୁଛି। ମିଡିଆ ରିପୋର୍ଟ ଅନୁସାରେ କମ୍ପାନୀ ଭାରତରେ ମଡେଲ-୩ ଓ ମଡେଲ-ୱାଇ ଭଳି କାର ଲଞ୍ଚ କରିପାରେ। ଭାରତରେ ଟେସ୍ଲା ମଡେଲ-୩କୁ ୨୫ ହଜାର ଡଲାର ଅର୍ଥାତ ୨୧.୭୧ଲକ୍ଷ ଟଙ୍କାରେ ଲଞ୍ଚ କରିପାରେ।