୩ ଦିନ ପରେ ସବୁଜ ସଂକେତରେ ବଜାର ବନ୍ଦ, ସେନସେକ୍ସରେ ୧୧୦୦ ଅଙ୍କ ବୃଦ୍ଧି, ନିବେଶକଙ୍କ ଲାଭ ୭.୪୨ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | April 08, 2025 IST

ନୂଆଦିଲ୍ଲୀ: ଲଗାତାର ତିନି ଦିନ ହ୍ରାସ ପରେ ମଙ୍ଗଳବାର ସବୁଜ ସଂକେତରେ ବନ୍ଦ ହୋଇଛି ବଜାର । ସେନ୍‌ସେକ୍ସ ୧୧୦୦ ଅଙ୍କ ଉପରକୁ ଉଠି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ପୁଣି ଥରେ ୨୨,୫୦୦ ସ୍ତର ପାର୍ କରିଛି । ନିଫ୍ଟିର ସମସ୍ତ ୧୩ ପ୍ରମୁଖ ସେକ୍ଟୋରାଲ୍ ଇଣ୍ଡେକ୍ସ ୨ ପ୍ରତିଶତରୁ ଅଧିକ ବଢି ବନ୍ଦ ହୋଇଛି । ଏହି କାରଣରୁ ନିବେଶକଙ୍କୁ ଆଜି ପ୍ରାୟ ସାଢେ ୭ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ବଜାର ବିଶେଷଜ୍ଞଙ୍କ ମତରେ  ସେୟାର ବଜାର ସାମନାରେ ଏବେ ବି ଟ୍ରେଡ୍ ୱାର୍ ଓ ଗ୍ଲୋବାଲ୍ ମାନ୍ଦାବସ୍ଥା ପରି ଆହ୍ୱାନ ରହିଛି, ଯେଉଁଥି ପାଇଁ ସର୍ଟ-ଟର୍ମରେ ଅସ୍ଥିରତା ଜାରି ରହିପାରେ ।

ଆଜିର କାରବାର ଶେଷରେ ବିଏସ୍‌ଇ ସେନ୍‌ସେକ୍ସ ୧୦୮୯.୧୫ ଅଙ୍କ ବା ୧.୪୯ ପ୍ରତିଶତ ବଢି ୭୪,୨୨୭.୦୮ ସ୍ତରରେ ବନ୍ଦ ହୋଇଛି । ସେହିପରି ଏନ୍‌ଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୭୪.୨୫ ଅଙ୍କ ବା ୩.୭୪ ପ୍ରତିଶତ ବଢି ୨୨,୫୩୫.୮୫ ସ୍ତରରେ ବନ୍ଦ ହୋଇଛି ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ବଢି ୩୯୬.୬୭ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ଏପ୍ରିଲ୍ ୭ରେ ୩୮୯.୨୫ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୭.୪୨ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତି ଆଜି ପ୍ରାୟ ୭.୪୨ ଲକ୍ଷ କୋଟି ଟଙ୍କା ବଢିଛି । ବିଏସ୍‌ଇ ସେନ୍‌ସେକ୍ସର ୩୦ ମଧ୍ୟରୁ ୨୯ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ଟାଇଟାନ୍ସର ସେୟାରରେ ସବୁଠୁ ଅଧିକ ୩.୨୫ ପ୍ରତିଶତ ବୃଦ୍ଧି ଘଟିଛି । କେବଳ ପାୱାର ଗ୍ରିଡ୍ ୦.୧୪ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.