ନୂଆଦିଲ୍ଲୀ: ବଜେଟ୍ ପୂର୍ବରୁ ଭାରତୀୟ ସେୟାର ବଜାର ପୂରା ଯୋଶରେ ଥିବା ନଜର ଆସିଛି । ସେନ୍ସେକ୍ସ ୭୪୦ ଅଙ୍କ ବଢି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୩,୫୦୦ ସ୍ତର ଟପି ବନ୍ଦ ହୋଇଛି । ଏହାସହ ଲଗାତାର ଚତୁର୍ଥ ଦିନରେ ଘରୋଇ ପୁଞ୍ଜିବଜାର ସବୁଜ ସଂକେତରେ ବନ୍ଦ ହୋଇଛି । ଆଜିର ଏହି ବୃଦ୍ଧି ଯୋଗୁଁ ନିବେଶକଙ୍କୁ ପ୍ରାୟ ୬.୨୬ ଲକ୍ଷ କୋଟି ଟଙ୍କା ବଢିଛି ।
ବ୍ରଡର ମାର୍କେଟରେ ବି ଆଜି ଉତ୍ସାହ ଦେଖିବାକୁ ମିଳିଛି । ବିଏସିଇ ମିଡ୍କ୍ୟାପ୍ ଇଣ୍ଡେକ୍ସ ୧.୭୬ ପ୍ରତିଶତ ଏବଂ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ୧.୮୩ ପ୍ରତିଶତ ବଢି ବନ୍ଦ ହୋଇଛି । ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଆଜିର କାରବାରରେ କ୍ୟାପିଟାଲ୍ସ ଗୁଡ୍ସ ସେୟାରରେ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଏହା ବ୍ୟତୀତ ଅୟଲ୍ ଏବଂ ଗ୍ୟାସ୍, ପାୱାର, ରିୟଲ୍ଟି, କଞ୍ଜୁମର ଡ୍ୟୁରେବଲ୍ସ ଏବଂ ୟୁଟିଲିଟି ସେୟାର ଇଣ୍ଡେକ୍ସରେ ବି ୨ ପ୍ରତିଶତ ଅଧିକ ବୃଦ୍ଧି ହୋଇଛି ।
କାରବାର ଶେଷରେ ବିଏସ୍ଇ ସେନସେକ୍ସ ୭୪୦.୭୬ ଅଙ୍କ ବା ୦.୯୭ ପ୍ରତିଶତ ବଢି ୭୭,୫୦୦.୫୭ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ୫୦ ସେୟାର ବିଶିଷ୍ଟ ନିଫ୍ଟି ୨୫୮.୯୦ ଅଙ୍କ ବା ୧.୧୧ ପ୍ରତିଶତ ବଢି ୨୩,୫୦୮.୪୦ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ଜାନୁଆରୀ ୩୦ରେ ବଢି ୪୨୪.୧୩ ଲକ୍ଷ କୋଟି ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ବୁଧବାର ଜାନୁଆରୀ ୨୯ରେ ୪୧୭.୮୭ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ୬.୨୬ ଲକ୍ଷ କୋଟି ଟଙ୍କା ବଢିଛି । ସରଳ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୬.୨୬ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।