ନୂଆଦିଲ୍ଲୀ: ଏଥରର ବଜେଟ୍ ଭଲ ହେଉ କିମ୍ବା ଖରାପ, ସାଧାରଣ ଜନତା କିନ୍ତୁ ମହଙ୍ଗା ମାଡ଼ ସହିବେ ଏକଥା ନିଶ୍ଚିତ। କାରଣ ସାବୁନ, ଟୁଥପେଷ୍ଟ, ରୋଷେଇ ତେଲ, ଚା, କଫି ଏବଂ ଫଳ ରସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଖୁବ୍ ଶୀଘ୍ର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମାଇକ୍ରୋଇକୋନୋମିକ କାରଣରୁ ଏଫ୍ଏମସିଜି କମ୍ପାନୀଗୁଡ଼ିକ ଏଗୁଡ଼ିକର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଯାହା ସରକାରୀ ନିୟମନ୍ତ୍ରଣ ବାହାରେ ରହିଛି। ତେଣୁ, ୨୦୨୫-୨୬ ବଜେଟ୍ କୁ ଭଲ ରେଟିଂ ମିଳୁ କି ଖରାପ ଦେଶବାସୀଙ୍କ ଖର୍ଚ୍ଚ ବଢ଼ିବା ନିଶ୍ଚିତ।
ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍, ହିନ୍ଦୁସ୍ତାନ ୟୁନିଲିଭର ଏବଂ ଡାବର ସମେତ ଏଫଏମସିଜି କମ୍ପାନୀଗୁଡ଼ିକ ଦରବୃଦ୍ଧି ନେଇ ପୂର୍ବରୁ ସୂଚାଇ ସାରିଲେଣି। ଉତ୍ପାଦନ ପାଇଁ କଞ୍ଚାମାଲ ମୂଲ୍ୟବୃଦ୍ଧି ଏବଂ କମ୍ ଚାହିଦା ଯୋଗୁ ସେମାନଙ୍କର ମାର୍ଜିନ୍(ତିଆରିରେ ଖର୍ଚ୍ଚ ଓ ବିକ୍ରିର ଲାଭର ପରିମାଣ) ହ୍ରାସ ହେଉଛି। ବିଶେଷକରି ସହରାଞ୍ଚଳଗୁଡ଼ିକରେ ଲାଭର ସୀମା କମୁଛି ବୋଲି କମ୍ପାନୀମାନେ ଦାବି କରିଛନ୍ତି। କାରଣ ଏହି କମ୍ପାନୀମାନଙ୍କର ରାଜସ୍ୱର ସିଂହ ଭାଗ ୬୦ ପ୍ରତିଶତ ଏହି ସହରାଞ୍ଚଳରୁ ଆସିଥାଏ।
ଏହା ପୂର୍ବରୁ ୨୦୨୪ରେ କମ୍ପାନୀମାନେ ସାମଗ୍ରୀ ଉପରେ ୩-୪ ପ୍ରତିଶତ ମୂଲ୍ୟ ବୃଦ୍ଧି କରିଥିଲେ। ଏଥିସହିତ ପ୍ୟାକେଟ୍ରେ ସାମଗ୍ରୀ ପରିମାଣ କମାଇ ଦେଇଥିଲେ। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ହୋଇଥିଲା ସାବୁନ, କେଶ ତେଲ, ଚକୋଲେଟ ଏବଂ ବିସ୍କୁଟ ଶିଳ୍ପ।
କଞ୍ଚା ମାଲ ମୂଲ୍ୟ ବୃଦ୍ଧି ସମେତ,ସପ୍ଲାଏ ଚେନ୍ କଷ୍ଟ, ମାର୍ଜିନରେ ହ୍ରାସ, ଏବଂ ପରିବେଶ ଅନିୟମିତତା ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧିର କାରଣ ହୋଇପାରେ ବୋଲି ଏକ୍ସପର୍ଟମାନେ କହୁଛନ୍ତି। ତେବେ ମୂଲ୍ୟ ବୃଦ୍ଧି ହେଲେ ସମସ୍ୟା ଆହୁରି ବଢ଼ିବ। ଏମିତିରେ ତ ମହଙ୍ଗା ମାଡ଼ରେ ଡିମାଣ୍ଡ ନିମ୍ନ ସ୍ତରରେ ରହିଛି। ଏଭଳି ସ୍ଥିତିରେ ଯଦି ଦାମ ଆହୁରି ବଢ଼ିଲା ଚାହିଦା ଆହୁରି କମିଯିବ। ଆଉ ଚାହିଦା କମିଲେ ଦେଶର ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ। କାରଣ ଆଭ୍ୟନ୍ତରୀଣ ବ୍ୟବହାର ଭାରତର GDPର ୫୫-୬୦% । ଏପରି ସ୍ଥିତିରେ ଯଦି ଚାହିଦା କମିଯାଏ ତେବେ ଜିଡିପି ହ୍ରାସ ପାଇବ।