ଭୁବନେଶ୍ବର ୧୫।୭: ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ହୋଇଛି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ମର୍ମାହତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ତାଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ 'ଏକ୍ସ' ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଛନ୍ତି । ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଦିବଂଗତ ଛାତ୍ରୀଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।
ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ସୋମବାର ରାତିରେ ମୃତ୍ୟୁ ହୋଇଛି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଗତ ଶନିବାର ନିଜ ଦେହରେ ନିଆଁ ଲଗାଇ ଫକୀରମୋହନ କଲେଜରେ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆଉ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ସୌମ୍ୟାଶ୍ରୀଙ୍କ ପୈତୃକ ଗାଁ ବାଲେଶ୍ବର ଜିଲ୍ଲା ଭୋଗରାଇ ପଳାସିଆରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ପରିସରରେ ଘଟିଥିଲା ଛାତିଥରା ଦୃଶ୍ୟ । ଭୋଗରାଇ ଅଞ୍ଚଳର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଇଣ୍ଟିଗ୍ରେଟେଡ଼ ବିଇଡିର ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ହେଲେ ଏଚଓଡି ସମୀର କୁମାର ସାହୁ ତାଙ୍କୁ କିଛି ଦିନ ଧରି ମାନସିକ ନିର୍ଯାତନା ଦେଉଥିଲେ । ତାଙ୍କୁ ଫେବର ମାଗିବା ଭଳି ଛାତ୍ରୀ ଜଣକ ପୂର୍ବରୁ ଅଭିଯୋଗ ଆଣି ନ୍ୟାୟ ମାଗିଥିଲେ । ଏପରିକି ପ୍ରିନ୍ସିପାଲଙ୍କ ଠାରେ ଫେରାଦ ମଧ୍ୟ ହୋଇଥିଲେ । ତାଙ୍କୁ ଏଚ୍ଓଡ଼ି ଫେଲ୍ କରାଇ ଦେବାକୁ ଧମକ ଚମକ ଦେଇଥିଲେ ।
ପରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ଶେଷଥର ପାଇଁ ନ୍ୟାୟ ମାଗିବାକୁ ଆସିଥିଲେ । ପ୍ରିନ୍ସିପାଲଙ୍କ ଚାମ୍ବରକୁ ଯିବାର ୧୦ ମିନିଟ୍ ପରେ ବାହାରକୁ ଆସି ଆଣିଥିବା ପେଟ୍ରୋଲକୁ ଦେହରେ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଜଳି ଜଳି ଦୌଡୁଥିବାର ଦୃଶ୍ୟ ବେଶ ହୃଦୟବିଦାରକ ଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ର ମଧ୍ୟ ଗୁରୁତର ହୋଇଥିଲେ । ଏହା ସିସିଟିଭିରେ କଏଦ ମଧ୍ୟ ହୋଇଥିଲା ।
ତେବେ ଗୁରୁତର ଛାତ୍ରୀ ଜଣକ ବାଲେଶ୍ୱର ହସ୍ପିଟାଲ ଯିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ 'ଏମ୍ସ' ସ୍ଥାନାନ୍ତର କରାଯାଇଥିଲା । ଘଟଣା ଦିନ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଫକୀରମୋହନ କଲେଜ ପ୍ରିନ୍ସିପାଲ ଦିଲ୍ଲୀପ କୁମାର ଘୋଷ ଓ ଏଜୁକେସନ୍ ବିଭାଗ ଏଚ୍ଓଡି ସମୀର ସାହୁଙ୍କୁ ସସ୍ପେଣ୍ଡ କରାଯାଇଥିଲା । ଏହାପରେ ନିଲମ୍ବିତ ଏଚ୍ଓଡି ସମୀର ସାହୁଙ୍କୁ ଗିରଫ କରାଯାଇଥିଲା । ଏ ଘଟଣା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଥିଲା । ୧୩ ତାରିଖରେ କଲେଜରେ ଉଚ୍ଚସ୍ତରୀୟ କମିଟି ତଦନ୍ତ କରିଥିଲା । ୧୪ ତାରିଖରେ ନିଲମ୍ବିତ ପ୍ରିନ୍ସିପାଲ୍ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଥିଲା ।
You Can Read: