ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡ଼େମୀର ପାସିଂ ଆଉଟ୍ ପରେଡ଼, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Published By : Prameya-News7 Bureau | July 13, 2024 IST

ଭୁବନେଶ୍ବର ୧୩।୭: ୟୁନିଫର୍ମ ସର୍ଭିସ୍‌ରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ । ସାଧାରଣ ନାଗରିକ, ଆମର ମା, ଭଉଣୀ ଏବଂ ପିଲାମାନଙ୍କର ସୁରକ୍ଷା ଆମ ଉପରେ ନିର୍ଭର କରେ । ଏ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୋଲିସର ଭାବମୂର୍ତ୍ତିକୁ ଉଜ୍ଜଳ କରିବାରେ ସହାୟକ ହୁଏ । ୟୁନିଫର୍ମ ସର୍ଭିସକୁ ଜନସାଧାରଣଙ୍କ ଉତ୍ସର୍ଗୀକୃତ ସେବାର ଏକ ପ୍ରତୀକ ଭାବେ ପ୍ରତିଫଳିତ କରିବା ପାଇଁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ରହିବାକୁ ପଡିବ । ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ସଶସ୍ତ୍ର ପୋଲିସ ସବ୍‌ ଇନ୍‌ସପେକ୍ଟର ମାନଙ୍କ ପାସିଙ୍ଗ ଆଉଟ୍‌ ପରେଡରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ବାହିନୀକୁ ପରାମର୍ଶ ଦେଇଛନ୍ତି । ୧୧୩ ଜଣ ସଶସ୍ତ୍ର ପୋଲିସ ସବ୍‌ ଇନ୍‌ସପେକ୍ଟରଙ୍କ ପ୍ରଶିକ୍ଷଣ ସଂପୂର୍ଣ୍ଣ ହୋଇଛି ଏବଂ ସେମାନେ ଖୁବ୍‌ଶୀଘ୍ର କାର୍ଯ୍ୟରେ ଯୋଗ ଦେବେ ।

ଏହି ଅବସରରେ ନିଜର ଅଭିଭାଷଣ ରଖି ସେ ସମସ୍ତ ଶିକ୍ଷାନବିଶ ଓ ସମସ୍ତ ପୋଲିସ ଅଧିକାରୀଙ୍କୁ ଦେଶ, ସମାଜ ଏବଂ ସାଧାରଣ ଲୋକମାନଙ୍କୁ ସଚ୍ଚୋଟତା ସହିତ ନିସ୍ଵାର୍ଥପର ସେବା କରିବାକୁ ଆହ୍ଵାନ ଦେଇଥିଲେ । ଆପଣମାନଙ୍କର ସମସ୍ତ କାର୍ଯ୍ୟରେ ସତ୍ୟ ଓ ନ୍ୟାୟ ମାର୍ଗଦର୍ଶକ ହୋଇ ରହିଥାଉ ବୋଲି ସେ କହିଥିଲେ । 

ଆରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଇନଶୃଙ୍ଖଳା ରକ୍ଷା ଓ ମାଓ ମୁକାବିଲା କ୍ଷେତ୍ରରେ କର୍ତ୍ତବ୍ୟରତ ଶହୀଦ ପୋଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ, ଦୀର୍ଘଦିନର ଅବିଶ୍ରାନ୍ତ କଠିନ ପରିଶ୍ରମ ସହ ମୌଳିକ ତାଲିମ ସମ୍ପୂର୍ଣ୍ଣ କରି ୧୧୩ ଜଣ ସଶସ୍ତ୍ର ଶିକ୍ଷାନବିଶ ପୋଲିସ ସବ-ଇନ୍‌ସପେକ୍ଟର ପାସିଙ୍ଗ ଆଉଟ କରୁଛନ୍ତି । ଏହି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, ଟ୍ରେନି ଅଫିସରମାନଙ୍କ ପିତାମାତା ଓ ପରିବାରର ସଦସ୍ୟମାନେ ସେମାନଙ୍କୁ ପୋଲିସ ସେବାରେ ଉତ୍ସର୍ଗୀକୃତ ହେବା କ୍ଷେତ୍ରରେ ନିରନ୍ତର ସମର୍ଥନ କରି ଆସିଛନ୍ତି । ସେଥିପାଇଁ ସେମାନେ ମଧ୍ୟ ଧନ୍ୟବାଦର ପାତ୍ର ।

ଏକାଡେମୀର ମୌଳିକ ତାଲିମ ଜରିଆରେ ଏହି ଅଧିକାରୀମାନେ ଯଥେଷ୍ଟ ବୃତ୍ତିଗତ ଜ୍ଞାନ କୌଶଳ ଓ ଦକ୍ଷତା ହାସଲ କରିଥିବେ । ଏହା ଆପଣଙ୍କର ଦୈନନ୍ଦିନ ସେବା କାର୍ଯ୍ୟରେ ଖୁବ୍ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ବହୁ ସଂଖ୍ୟକ ସୁରକ୍ଷା ବଳଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆପଣମାନଙ୍କୁ ଦୃଢ ନେତୃତ୍ୱ ଓ ପରିଚାଳନାଗତ ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ । ନିଜ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିଜର ପରିବାର ସଦସ୍ୟ ଭାବରେ ବିବେଚନା କରିବା ସହିତ ସେମାନଙ୍କର କଲ୍ୟାଣ ପ୍ରତି ଯତ୍ନବାନ ହେବାକୁ ପଡିବ ବୋଲି ମଧ୍ୟ ସେ କହିଥିଲେ ।

ଆଜିଠାରୁ, ଆପଣମାନଙ୍କୁ କଠିନରୁ କଠିନ ଆହ୍ଵାନ ପାଇଁ ପ୍ରସ୍ତୁତ ହେବା ଉଚିତ । ଓଡିଶାର ସ୍ପେଶାଲ ଅପରେସନ୍ ଗ୍ରୁପ୍ ହେଉଛି ଦେଶର ମାଓବାଦୀ ମୁକାବିଲା ନିମନ୍ତେ ସବୁଠାରୁ ଉତ୍ତମ ଓ ଉଚ୍ଚକୋଟୀର ସୁରକ୍ଷା ବଳ । ଏହି ଅଧିକାରୀ ମାନଙ୍କ ଦକ୍ଷତା ମାଓବାଦୀ ବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ଆହୁରି ଗୈାରବାନ୍ୱିତ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । 

୨୦୨୧-୨୨ ମସିହାରେ ଦେଶର ସର୍ବଶ୍ରେଷ୍ଠ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ହାସଲ କରି ଏହି ଏକାଡେମୀ ଜାତୀୟ ସ୍ତରରେ ଗୌରବ ଅର୍ଜନ କରିଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ । ଏହା ସହିତ ତିନି ଗୋଟି ନୂଆ ଆଇନର ପ୍ରଚଳନ ଓ କାର୍ଯ୍ୟକାରିତା ଦିଗରେ ରାଜ୍ୟ ପୋଲିସ ଏକାଡେମୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ଗଭୀର ଖୁସି ପ୍ରକାଶ କରିବା ସହିତ ଏକାଡେମୀର ସମସ୍ତ ପ୍ରଶିକ୍ଷକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ପୋଲିସ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଟ୍ରେନି ଅଫିସର ମାନଙ୍କ ଉଚ୍ଚପ୍ରଶଂସା କରିଥିଲେ । ପୁରୀ ରଥଯାତ୍ରା, ଭଦ୍ରକ ହନୁମାନ ଜୟନ୍ତୀ, ନିର୍ବାଚନ ଦାୟିତ୍ବ ଏବଂ ଆଉ ଅନେକ ସମୟର ପ୍ରାକ୍ଟିକାଲ ଟ୍ରେନିଂ ସମୟରେ ସେମାନେ ଯେଉଁ ନିଷ୍ଠା ଓ ଅନୁଶାସନ ଦେଖାଇଥିଲେ । ଅରୁଣ ଷଡଙ୍ଗୀ ତାର ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସେମାନେ ଜଣେ ଜଣେ ଭଲ ଅଫିସର ହୋଇ ସୁନାମ କରିବେ ବୋଲି ଆଶା ପ୍ରକାଶ କରିଥିଲେ । ନୂଆ ସରକାରଙ୍କ ଭାବଧାରା ଓ କାର୍ଯ୍ୟ ପ୍ରଣାଳୀକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପଦେଶ ପୋଲିସ ବାହିନୀ ନିଷ୍ଠାର ସହ ପାଳନ କରିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିରୀକ୍ଷକ, ତାଲିମ, ସାଇନି ଏସ୍, ଏକାଡେମୀର ପ୍ରଶିକ୍ଷକ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

You Can Read:

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବିଭ୍ରାଟ, ଲକ୍ଷାଧିକ ଟଙ୍କାର ଅବଢ଼ା ନଷ୍ଟ‌ ଅଭିଯୋଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.