'ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ': ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | September 20, 2024 IST

News7

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଘଟଣାରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ୪ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇ ମାମଲା ରୁଜୁ କରାଯାଇଛି। ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି ବୋଲି ସେ କହିଛନ୍ତି। 

ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭେଟିଛନ୍ତି ଡିସିପି ପ୍ରତୀକ ସିଂହ। ତଦନ୍ତ ଅଗ୍ରଗତି ସମ୍ପର୍କ ନେଇ ସେ ଡିସିପିଙ୍କ ଠାରୁ ପଚାରି ବୁଝିଛନ୍ତି। 

ସେପଟେ ଏହି ଘଟଣାରେ ଲିଙ୍କ୍‌ ଥିବା ୭ ଜଣ ରୋଡ୍‌ ରୋମିଓଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ସେପଟେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଶନିବାର ରାଜଭବନ ସାମ୍ନାରେ ବିକ୍ଷୋଭ କରିବ ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେବ ସ୍ମାରକ ପତ୍ର । ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବିଜେଡି।

ପୂର୍ବତନ ସେନା ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଯଦି ଆକ୍ସନ ନିଆଯାଇଥାନ୍ତା ଆଜି ଭରତପୁର ଘଟଣା ସାମ୍ନାକୁ ଆସି ନଥାନ୍ତା । ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହିତ ଯଦି ରାଜଧାନୀର ଥାନା ଭିତରେ ଏମିତି ଘଟଣା ଘଟୁଛି ତେବେ ଅନ୍ୟ ଥାନା ମାନଙ୍କରେ କଣ ହେଉଥିବ ତାହା ସନ୍ଦେହ।  ବିଜେପି ସରକାର ୧୦୦ ଦିନ ମଧ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ରହିଛି କି ନାହିଁ ? ବୋଲି ପ୍ରଶ୍ନ କରିଛି ଦଳ। 

ମୁଖ୍ୟମନ୍ତ୍ରୀ ଘଟଣାକୁ ଘଣ୍ଟ ଘୋଡାଉଥିବା ସଂଗୀନ ଅଭିଯୋଗ ଆଣିଛି ବିଜେଡି । ସେପଟେ କିଛି ସମୟ ପୂର୍ବରୁ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ବିଚାରବିଭାଗୀୟ ତଦନ୍ତ ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.