ବରଗଡ଼ ୦୮।୧୨ : ରବିବାର ବରଗଡ଼ ସୋହେଲାରେ ବଡ଼ ଚାଷୀ ସମାବେଶ । ଧାନ କ୍ବିଣ୍ଟାଲ ପିଛା ଚାଷୀଙ୍କୁ ୮୦୦ ଟଙ୍କା ବୋନସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । MSP ସହ ଚାଷୀଙ୍କୁ ମିଳିବ ୩୧ଶହ ଟଙ୍କା । ଏଥିପାଇଁ ଆଜି ସୋହେଲା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ତେବେ ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଇଚ୍ଛାପାଲି ପଡ଼ିଆରେ ଚାଷୀଙ୍କୁ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଧାନର ସର୍ବନିମ୍ନ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩ ଶହ ଟଙ୍କା ଓ ଇନପୁଟ ସହାୟତା ୮୦୦ ଟଙ୍କା ସହ ସମୁଦାୟ ୩୧ ଶହ ଟଙ୍କା ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ସମସ୍ତ ବିଧାୟକ ଯୋଗ ଦେବେ। ଏଥିରେ ଜିଲ୍ଲାର ବହୁ ଚାଷୀ ଓ ଜନସାଧାରଣ ମଧ୍ୟ ସାମିଲ ହେବ।
ମୁଖ୍ୟମନ୍ତ୍ରୀ ସକାଳ ସାଢେ ୧୧ଟାରେ ପହଞ୍ଚି ମଞ୍ଚରେ ଯୋଗ ଦେବାସହ ଜନ ସାଧାରଣଙ୍କୁ ଉଦବୋଧନ ଦେବେ। ଜିଲ୍ଲାର ୧୨ ହଜାରରୁ ଅଧିକ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ କରିବା ସହ ବିଭିନ୍ନ ଜିଲ୍ଲାରେ ଧାନ ବିକ୍ରି କରିଥିବା ସମସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ଟ୍ରାନ୍ସଫର କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ହେବାକୁ ଥିବା ସଭାରେ ୩୦ ହଜାରରୁ ଅଧିକ ଜନସାଧାରଣଙ୍କ ସମାବେଶ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସୂଚନା ଅନୁସାରେ, ବରଗଡ଼ SPଙ୍କ ସମେତ ୧୨ ଜଣ DSP ୪ ଜଣ ASP ୩୭ ଜଣ ASI ସୁରକ୍ଷା ଦାୟିତ୍ବରେ ରହିବେ। ଏଥି ସହିତ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।