ଭୁବନେଶ୍ୱର,୦୬/୧୨: ରାଜ୍ୟରେ ୧୧ ତାରିଖ ଯାଏ ଜାଡ଼ କମ୍ । କେନ୍ଦ୍ରୀୟ ଭାରତ, ଗୁଜରାଟ, ମହାରାଷ୍ଟ୍ର ଏବଂ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ ରହିବ । ୧୨ ତାରିଖରୁ ସାମାନ୍ୟ ଶୀତ ବଢ଼ିପାରେ । ଉତ୍ତର ପଶ୍ଚିମ, କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ ଭାରତରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଡିସେମ୍ବର ପ୍ରଥମ ସପ୍ତାହ ଅର୍ଥାତ୍ ୫ରୁ ୧୨ ତାରିଖ ଭିତରେ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ୧ରୁ ୫ମିମି ବର୍ଷା ହୋଇପାରେ । ଦ୍ୱିତୀୟ ସପ୍ତାହ ବା ୧୨ରୁ ୧୯ ତାରିଖ ଭିତରେ ଆଦୌ ବର୍ଷା ସମ୍ଭାବନା ନାହିଁ ଓ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ । ୬ରୁ ୧୨ ତାରିଖ ଯାଏ ପଶ୍ଚିମ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ରାତି ତାପମାତ୍ରା ୧୦ରୁ ୧୪ ଡିଗ୍ରୀ ସେଲସିୟସ୍ ରହିପାରେ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ରାତି ତାପମାତ୍ରା ୧୪ରୁ ୧୮ ଡିଗ୍ରୀ ରହିବ । ସେହିଭଳି ୧୩ରୁ ୧୯ ତାରିଖ ଯାଏ ରାଜ୍ୟରେ ରାତି ତାପମାତ୍ରା ଖସିବ । ସର୍ବନିମ୍ନ ତାପମାତ୍ରା ୧୦ରୁ ୧୪ ଡିଗ୍ରୀ ରହିପାରେ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ୬ ତାରିଖରେ କୋରାପୁଟ, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର ଓ ରାୟଗଡ଼ାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ । ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।
ଶନିବାରଠାରୁ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ଆକଳନ କରାଯାଇଛି । ବୁଧବାର ନୟାଗଡ଼ରେ ରାତି ତାପମାତ୍ରା ସବୁଠୁ କମ୍ ୧୨.୬ ଡିଗ୍ରୀ ସେଲସିୟସ୍ ରହିଥିଲା ।