ସରୁନି ଚାଷୀର ଦୁଃଖ : ୨୭ରେ ପୁଣି ଆସିବ ଘୂର୍ଣ୍ଣିବଳୟ, ହୋଇପାରେ ପ୍ରବଳ ବର୍ଷା

Published By : Prameya-News7 Bureau | December 22, 2024 IST

ଭୁବନେଶ୍ୱର ୨୨।୧୨ : ଚାଷୀର ଦୁଃଖ ସରିବାର ନାଁ ଧରୁନି । ବର୍ଷା କମିନି। ବିଲରେ ଫସଲ ଉଜୁଡ଼ି ପଡ଼ିଛି ପାଣି ଭିତରେ । ଆଜିଠାରୁ ବର୍ଷା ପ୍ରକୋପ କମିବା ନେଇ ଆକଳନ କରାଯାଉଛି । ମାତ୍ର ଆଗକୁ ପୁଣି ବର୍ଷା ଆସିପାରେ। 

ଆଉ ଏକ ଆକଳନ ଅନୁସାରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୭ କିମ୍ବା ୨୮ ତାରିଖ ବେଳକୁ ଓଡ଼ିଶାରେ ପୁଣି ବର୍ଷା ହୋଇପାରେ। ଯଦି ଏ ଆକଳନ ସତ ହୁଏ, ତେବେ ଚାଷୀକୂଳ ପାଇଁ ପୁଣି ବିପଦ ବଢ଼ିପାରେ। ଗତ ଦୁଇ ଦିନ ହେବ ନୟାନ୍ତ କରି ଦେଲାଣି ଅଦିନିଆ ବର୍ଷା । ସିଧା ଆକ୍ରମଣ କରିଛି ଭାତ ହାଣ୍ଡିକୁ । ଦକ୍ଷିଣ ଓଡ଼ିଶା, ଉପକୂଳ ଜିଲ୍ଲା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଚାଷୀକୂଳ ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ହଜାର ହଜାର ହେକ୍ଟର ଜମିରେ ବିଲରେ ପଡ଼ିଛି ପାଚିଲା ଧାନ । ବିଲରେ କଟା ହୋଇ ପଡ଼ିଥିବା ଧାନକୁ ଦେଖି ଚାଷୀ କାନ୍ଦୁଛି । ଚିନ୍ତା ବଢ଼ି ଲାଣି ଯେ ଅମଳ ଅପେକ୍ଷାରେ ଛିଡ଼ା ହୋଇଥିବା ଧାନ କେତେ ସୁରକ୍ଷିତ ରହିବ? କେମିତି ଏ ସବୁ ଧାନ ମଣ୍ଡିକୁ ଯାଇ ବିକ୍ରି ହେବ? କେବଳ ଧାନ ନୁହେଁ, ପନିପରିବା ଚାଷ ଉପରେ ବି ମାଡ଼ ମାରିଛି ଅଦିନିଆ ବର୍ଷା। କୋବି, ଟମାଟୋ, ବିସ ଆଦି ଫସଲ ନଷ୍ଟ ହେବା ସହ ରୋଗ ପୋକ ମାଡ଼ିବା ଆଶଙ୍କା ରହିଛି। 

ପାଣିପାଗ ବିଭାଗ ଅନୁସାରେ ଆଜିଠାରୁ ବର୍ଷା କମିବ। ତେବେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ପାଗ ଫିଟିପାରେ। ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି। ବର୍ଷା କମିବାର ୪୮ ଘଣ୍ଟାରୁ ୭୨ ଘଣ୍ଟା ଭିତରେ ଫସଲ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.