ଭୁବନେଶ୍ୱର,୨୦/୧୨:କୋହଲା ପାଗ ସଙ୍ଗାକୁ ମେଘାଚ୍ଛାନ୍ନ ଆକାଶ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ଦୁଇ ଦିନ ବର୍ଷା ସମ୍ଭାବନା । ୨୧ ତାରିଖ ଯାଏ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପଟେ ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି । ଅମଳ ଫସଲକୁ ସାଇତି ରଖିବା ବ୍ୟବସ୍ଥାରେ ଲାଗିପଡ଼ିଛି ଚାଷୀକୂଳ । ବିଶେଷ କରି ଉପକୂଳ ଓଡ଼ିଶା ତଥା କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଆଦି ଅଞ୍ଚଳରେ ବର୍ତ୍ତମାନ ଧାନ ଫସଲ ଅମଳ ଲାଗି ରହିଛି ।
କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିଥିଲେ କିଛି ଅସୁବିଧା ନାହିଁ । ସେହିଭଳି ପବନ କିମ୍ବା ବଡ଼ ବର୍ଷା ସମ୍ଭାବନା ନଥିବାରୁ ବିଲରେ ଧାନ ଛିଡ଼ା ହୋଇଥିଲେ, କିଛି ସମସ୍ୟା ହେବନି । ମାତ୍ର ଯେଉଁମାନେ ଧାନ କାଟି କରି ବିଲରେ ରଖିଛନ୍ତି, ସେମାନେ ତୁରନ୍ତ ଏହାକୁ ନିରାପଦ ସ୍ଥାନକୁ ନେଇ ଯାଆନ୍ତୁ । ମୁଗ, ବିରି ଆଦି ଫସଲ ପାଇଁ ଏହି ବର୍ଷା ଲାଭ ଦେବ । ମାତ୍ର ଲଗାତାର ୪ ଦିନ କୋହଲା ଓ ମେଘୁଆ ପାଗ ରହୁଥିବାରୁ ପନିପରିବା ପାଇଁ ରୋଗ ପୋକ ଆଶଙ୍କା ରହିଛି । କୋବି, ସିମ୍ବ, ବିନ୍ ଆଦି ପନିପରିବାକୁ ପାଉଁଶିଆ ପୋକ ଲାଗିପାରେ । ଏଥିପ୍ରତି ସତର୍କତା ପଦକ୍ଷେପ ନେବା ଆବଶ୍ୟକ ।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଗୁରୁବାର ରାଜ୍ୟରେ ପାଗ କୋହଲା ଥିଲା । ଶୁକ୍ରବାର ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଉପକୂଳର ଅଳ୍ପ କେତେକ ସ୍ଥାନରେ ବି ବର୍ଷା ସମ୍ଭାବନା ଅଛି । ସେହିପରି ୨୧ ତାରିଖ ଶନିବାର ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକର ଗୋଟିଏ ଦୁଇଟି ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ୨୨ ତାରିଖରେଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ । ଆଉ ବର୍ଷା ସମ୍ଭାବନା ନାହିଁ । ମାତ୍ର ବର୍ଷା କମିବା ପରେ ରାଜ୍ୟରେ ପୁଣି ଶୀତ ପ୍ରକୋପ ବଢ଼ିବ । ୩ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ ।
ସେପଟେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ ଉତ୍ତର ତାମିଲନାଡ଼ୁ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇଛି । ପରେ ଶୁକ୍ରବାରଠାରୁ ଉତ୍ତର ଦିଗରେ ଗତି କରି ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇପାରେ । ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି ।