ସମ୍ବଲପୁର: ରାଜ୍ୟରେ ଖରିଫ ଧାନ କିଣା ଆରମ୍ଭ ହୋଇଗଲାଣି । ମଣ୍ଡିବି ଖୋଲିଗଲାଣି । ଚାଷୀ ବର୍ଷଯାକ ପରିଶ୍ରମ କରି ସାଉଁଟିଥିବା ସୁନାର ଫସଲ ବିକିବାକୁ ମଣ୍ଡିକୁ ଆସିଛି । ଭଲ ଦିପଇସା ପାଇଲେ ଋଣ ପରିଶୋଧ କରିବା ସହ ଲାଭ ପଇସାରେ ପରିବାର ଗୁଜରାଣ କରିବ । କିନ୍ତୁ ମଣ୍ଡିରେ ଯାହା ଚାଲିଛି ଚାଷୀଙ୍କ ମୁଣ୍ଡ ଖରାପ ହୋଇଥିବା ବେଳେ ଆପଣଙ୍କର ବି ଅକଲ ଗୁଡୁମ ହୋଇଯିବ। ନ୍ୟୁଜ ସେଭେନ କ୍ୟାମେରାରେ ଏମିତି କିଛି ଭିଜୁଆଲ କଏଦ ହୋଇଛି । ମଣ୍ଡିରେ ଚାଲିଥିବା ଗଳାବାଟ ସାମ୍ନାକୁ ଆସିଛି । ଆପୋଷ ବୁଝାମଣାରେ ଚାଲିଛି ଧାନ ବିକ୍ରି | ମଣ୍ଡି ନାଁ କୁ ମାତ୍ର, ସବୁ କାଗଜ କଲମରେ ସୀମିତ | ମିଲର ଏଠି ସର୍ବେସର୍ବା | ସମ୍ବଲପୁର ଜିଲ୍ଲାରେ ଏମିତି କିଛି ସତ ପଦାକୁ ଆସିଛି ।
ଗାଡି ନମ୍ବର OD-17P-2674 । ମଣ୍ଡିକୁ ଆସିଲା, ଓଜନ କିମ୍ବା ଅନଲୋଡିଂ ନହୋଇ ବାହାରି ଗଲା | ଗାଡି ନମ୍ବର OD-08E-2944, ଏହି ଗାଡିର ବି ସମାନ ସ୍ଥିତି | ଧାନ ଲୋଡ ହୋଇଥିବା ଗାଡି ମଣ୍ଡିକୁ ପଶୁଛି ଟୋକନ ଧରି ମିଲ୍ ଅଭିମୁଖେ ବାହାରି ଯାଉଛି । ସମ୍ବଲପୁର ଚାଉଁରପୁର ମଣ୍ଡିରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି | ସରକାରୀ ନିୟମ କହୁଛି ଚାଷୀ ଆଣିଥିବା ଧାନ ମଣ୍ଡିରେ ଅନଲୋଡ ହୋଇ ଓଜନ ହେବ | ଧାନ ଏଫ.ଏ.କ୍ୟୁ ଅଟେ ନା ନୁହେଁ ତାହା ପରୀକ୍ଷା ହେବ | ଏହାପରେ ଚାଷୀ ଆଇସ୍କାନ କରି ଧାନ ବିକି ଘରକୁ ଯିବ | ହେଲେ ଏସବୁ କେବଳ ଚାଲିଛି କାଗଜ ପତ୍ରରେ | ନାଁ ଏଠାକୁ ଆସୁଥିବା ଧାନ ଓଜନ ହେଉଛି ନାଁ ଏହାର FAQ ପରୀକ୍ଷା | ସବୁ ହେଉଛି ମିଲର୍ସ ପାଖରେ | ଫଳରେ ମନମୁଖୀ କଟନୀ ଛଟନୀ କରୁଛି ମିଲର୍ସ |
Also read: ଜାନୁଆରୀରେ ଆସିବ 'ସୁଭଦ୍ରା' ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିବ
ସମାନ ଅବସ୍ଥା ଦେଖିବାକୁ ମିଳିଛି କୁଚିଣ୍ଡା ଉପଖଣ୍ଡରେ । ଟ୍ରକ ନମ୍ବର OR -14R-0775 । ଗାଡିଟି ଜଣେ ଚାଷୀଙ୍କ ଧାନ ଲୋଡକରି ପ୍ରାୟ ୧୧ ଟା ବେଳେ ମଣ୍ଡିକୁ ଆସିଥିଲା ଏବଂ ପ୍ରାୟ ୨ଟା ବେଳେ ମଣ୍ଡିରୁ ବାହାରି ମିଲକୁ ଯାଇଥିଲା। ଗାଡି ଆସିଲା ଏବଂ ସିଧା ସଳଖ କାଗଜପତ୍ର କରି ମିଲକୁ ଚାଲିଗଲା । ଧାନକ୍ରୟର ଯାହାସବୁ ନିତିନିୟମ ରହିଛି ତାକୁ ବେଖାତିର କରି କ୍ରୟସଂସ୍ଥା ମଧ୍ୟ ତାକୁ କାଗଜପତ୍ର କରିଦେଲା ଏବଂ ମିଲକୁ ପଠେଇ ଦେଲା ।
ନାଁ ମଣ୍ଡିରେ ଚାଷୀର ଧାନ ଅନଲୋଡ ହେଲା , ନାଁ ଚାଷୀର ଧାନ ପରୀକ୍ଷଣ କରାଗଲ । ନାଁ ଚାଷୀକୁ ତାର ଧାନର ପ୍ରକୃତ ଓଜନ ଜଣେଇ ଦିଆଗଲା । ଏବେ ମିଲରେ ଚାଷୀଧାନର ମାନ ପରୀକ୍ଷଣ କରିବ ମିଲର୍ସ ଓ ସେଠାରେ ସେ କଟନୀଛଟନୀ ଧାର୍ଯ୍ୟ କରିବ । ସମାନ ସ୍ଥିତି ଗାଡି ରେଜିଷ୍ଟେସନ ନମ୍ବର OD-15Y-7288 ର । କେବଳ ଏହି ଦୁଇଟି ଗାଡି ନୁହେଁ । ଏଠାରେ ଛିଡା ହୋଇଥିବା ସମସ୍ତ ଗାଡି ସେହିଭଳି ସିଧା ସଳଖ ମିଲକୁ ଯାଉଛି ।
Also read: ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା, ରବିବାରଠୁ କମିବ ବର୍ଷାର ପରିମାଣ
ଧାନ କିଣାରେ ସରକାରୀ ନିତି ନିୟମକୁ ଫୁ କରି ଉଡ଼ାଇ ଦିଆଯାଉଛି । ଚାଷୀ ନାଁରେ ସ୍ଥାନୀୟ ପ୍ରଶାସନ, କ୍ରୟସଂସ୍ଥା ଠାରୁ ଆରମ୍ଭ କରି ମିଲର୍ସ ପର୍ଯ୍ୟନ୍ତ ସମସ୍ତେ ହାତ ଚିକ୍କଣ କରୁଛନ୍ତି । ସମସ୍ତେ ଦୁର୍ନୀତିର ବୈତରଣୀ ପାର ଯୋଜନାରେ ରହୁଛନ୍ତି । ଆଉ ବିଚରା ଚାଷୀ ତାର କଷ୍ଟ ଉପାର୍ଜିତ ଧାନର ସଠିକ ମୂଲ୍ୟ ପାଇପାରୁ ନାହିଁ । ବାଧ୍ୟହୋଇ ଚାଷୀ ହାତ ଟେକି ବସିବା ସହ ମିଲର୍ସ ସହ ଆପୋଷ ବୁଝାମଣାରେ ଧାନ ବିକ୍ରି କରୁଥିବା କଥା କହୁଛି । କ୍ୟାମେରାରେ ସବୁ ସତ ଜଳ ଜଳ ହୋଇ ଦେଖାଯାଉଥିଲେ ମଧ୍ୟ ଜିଲ୍ଲା ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି ସବୁ କିଛି ଠିକ୍ ଠାକ୍ ଚାଲିଛି । ଯଦି ଏଭଳି ବ୍ୟବସ୍ଥା ଚାଲିବ ତେବେ ମଣ୍ଡି ବ୍ୟବସ୍ଥା କାହିଁକି ରହିବ ବୋଲି ଉଠିଛି ପ୍ରଶ୍ନ।