ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ, ମହିଳା ସାଙ୍ଗ ସହ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | December 21, 2024 IST

ନୟାଗଡ ୨୧।୧୨: ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅଞ୍ଚଳରେ ଜଣେ ଅଜଣା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗତ ୧୨ ତାରିଖରେ ବାଣିଗୋଛା ଥାନା ଅଞ୍ଚଳର ଗଙ୍ଗାଡିହ ଗାଁ ନିକଟ ଜଙ୍ଗଲ ରାସ୍ତାରେ ଠାବ ହୋଇଥିଲା ମୃତଦେହ । ଜଣେ ଅଜଣା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ନେଇ ତଦନ୍ତ ଆରମ୍ଭ କରିଥିଲା । ମୃତଦେହ ମିଳିବାର ୨ ଦିନ ପରେ ମୃତ ମହିଳା ଜଣଙ୍କ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ତୋଟାଗୁଡା ଗାଁର ସୁକାନ୍ତି ବେହେରା ବୋଲି ଜଣାପଡିଥିଲା । 

ମୃତକ ସୁକାନ୍ତି ଅବିବାହିତ ଥିଲେ । ସେହିଦିନ ସେ ହାଟକୁ ଆସି ଆଉ ଘରକୁ ଫେରିନଥିଲେ । ତେବେ ସେହିଦିନ ଭନଗରରେ ଥିବା ତାଙ୍କ ଭଉଣୀଙ୍କ ସହ ଫୋନରେ କଥା ହୋଇ ଭନଗର ଯାଉଥିବା କହିଥିଲେ । ସୁକାନ୍ତି ସୁଧରେ ଟଙ୍କା ଦେଉଥିବା ଜଣାପଡିବା ପରେ ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା । ମୃତଦେହ ମିଳିବା ସ୍ଥାନରୁ ତୋଟାଗୁଡା ଗାଁ ୧୦ କିଲୋମିଟର ହେବ । ଅଧିକ ଖୋଳତାଡ ପରେ ମୃତ ସୁକାନ୍ତିଙ୍କ ଘନିଷ୍ଠ ସାଙ୍ଗ ସେହି ଗାଁର ସୁବାସିନୀ ବେହେରାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବା ପରେ ହତ୍ୟାକାଣ୍ଡର ରହସ୍ୟ ଜଣାପଡିଥିଲା । ସୁକାନ୍ତିଙ୍କ ସମ୍ପତ୍ତି ଅକ୍ତିଆର କରିବା ଉଦ୍ଦେଶ୍ୟରେ ସୁବାସିନୀ ଏହି ହତ୍ୟାକାଣ୍ଡ ରଚିଥିଲା । 

ବୁଲିଯିବା ପାଇଁ କହି ସୁକାନ୍ତିଙ୍କ ସାଥିରେ ବସ୍‌ରେ ସୁବାସିନୀ ବାଣିଗୋଛା ପର୍ଯ୍ୟନ୍ତ ଆସିବା ପରେ ସେଠାରୁ ଏକ ଅଟୋରେ ହତ୍ୟାକାଣ୍ଡସ୍ଥଳ ପର୍ଯ୍ୟନ୍ତ ଆସିଥିଲେ । ସେହି ସ୍ଥାନଟି ନିଛାଟିଆ ହୋଇଥିବାରୁ ପୂର୍ବ ଯୋଜନା ଅନୁଯାୟୀ ସେଠାରେ ପୂର୍ବରୁ ରହିଥିବା ତୋଟାଗୁଡା ଗାଁର ଦିଲ୍ଲିପ ବେହେରା ଏବଂ ବାଣିଗୋଛା ଥାନା ଦସନିପଡା ଗାଁର ପ୍ରଦୀପ ନାୟକ ମିଶି ଅତି ବୀଭତ୍ସ ଭାବେ ସୁକନ୍ତିଙ୍କୁ ହତ୍ୟା କରିଥିଲେ । ପୋଲିସ ସୁବାସିନୀ ବେହେରା, ଦିଲ୍ଲିପ ବେହେରା ଏବଂ ପ୍ରଦୀପ ନାୟକଙ୍କୁ ଗିରଫ କରି ଆ କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଛୁରୀ ଏବଂ ସୁକାନ୍ତିଙ୍କ ଗୋଟିଏ ସୁନା ହାରକୁ ଜବତ କରିଛି ପୋଲିସ । ଅଧିକ ତଦନ୍ତ ଚାଲିଛି ବୋଲି ଅତିରିକ୍ତ ଏସ୍‌ପି ସୁବାସ ଚନ୍ଦ୍ର ପଣ୍ଡା ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ।  

You Can Read:

ୱେଲଡିଂ କାମ ବେଳେ ଲାଗିଲା ବିଦ୍ୟୁତ ଆଘାତ : ଜଣେ ମୃତ, ଜଣେ ଗୁରୁତର


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.