ଭୁବନେଶ୍ୱର ୨୧।୧୦ : ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଯାହାଫଳରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଉପକୂଳ ସହ ଅଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା । କୋହଲା ପାଗ ସହ ଝିପି ଝିପି ବର୍ଷା ହେଉଛି ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଶନିବାରଠୁ ବର୍ଷାର ପରିମାଣ କମିବ । ତଥାପି ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ହାଲୁକା ବର୍ଷା ସମ୍ଭାବନା ଅଛି । ମୁଖ୍ୟତଃ ହାଲୁକା ବଷ କିମ୍ବା ଘଡ଼ଘଡ଼ି ସହ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିପାରେ । ୨୨ ତାରିଖ (ରବିବାର)ଠାରୁ ପାଗ ଶୁଖିଲା ରହିବ । ଏହାସହ ଥଣ୍ଡା ବଢ଼ିବ। ରାତି ତାପମାତ୍ରା କ୍ରମଶଃ ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ ।
ଗୁରୁବାରଠାରୁ ପାଗ ବଦଳିଥିଲା । ରାତିରୁ ବର୍ଷା ଆରମ୍ଭ ହୋଇଥିଲା । ମାତ୍ର ଶୁକ୍ରବାର ପାଗ ପୂରା ବିଗିଡ଼ିଗଲା । ସୂର୍ଯ୍ୟ ଦିଶିଲେନି । ପୂରା କୋହଲା ପାଗକୁ ଝିପିଝିପି ବର୍ଷା ଲାଗି ରହିଲା ଦିନ ତମାମ । ସନ୍ଧ୍ୟାରେ ବି ଛାଡ଼ିଲାନି । ମଝିରେ ମଝିରେ ଅଜାଡ଼ିଦେଲା ମଧ୍ୟମ ଧରଣର ବର୍ଷା । ପୂରା କାଲୁଆ ହୋଇଗଲା ବାତାବରଣକୁ । ଘରୁ ପଦାକୁ ବାହାରିଲେ ଥରା ଉଠିଲା । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨୧ରୁ ୨୩ ଡିଗ୍ରୀ ସେଲସିୟସ୍ ଭିତରେ ରହିଛି । ଭୁବନେଶ୍ୱରରେ ଦିନ ତାପମାତ୍ରା ଗୁରୁବାର ତୁଳନାରେ ୫.୭ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି । ଏଥିରୁ ଅନୁମାନ କରାଯାଇପାରେ, ଦିନରେ କେତେ ଥଣ୍ଡା ଥିଲା ବାତାବରଣ ।
ପାଣିପାଗ ବିଭାଗ ଅନୁସାରେ ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଖୋର୍ଦ୍ଧା ସହରାଞ୍ଚଳରେ ସର୍ବାଧିକ ୪୦ ମିଲିମିଟର ବର୍ଷା ହୋଇଥିବା ବେଳେ ପାରାଦୀପରେ ୨୭.୮ ମିମି, ଭୁବନେଶ୍ୱରରେ ୧୬.୭, ନୟାଗଡ଼ରେ ୧୮, ଜଗତସିଂହପୁରରେ ୧୮.୧, କଟକରେ ୯.୬, ରାୟଗଡ଼ାରେ ୫.୬, କୋରାପୁଟରେ ୬.୨, ଦାରିଙ୍ଗିବାଡ଼ିରେ ୬, ଗୋପାଳପୁର ୮.୨, ପୁରୀରେ ୫.୨, ଛତ୍ରପୁରରେ ୫ ମିମି ବର୍ଷା ହୋଇଥିବା ବେଳେ ବହୁ ଜାଗାରେ ହାଲୁକା ବର୍ଷା ହୋଇଛି । ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀର ବଳ । ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳରେ ଉଜାଡ଼ି ଦେଇଛି ଫସଲ ।