ଚିକିତ୍ସା ପାଇଁ ଆସିଥିଲେ ମୁମ୍ବାଇ, ସମୁଦ୍ରରେ ବୁଡିଗଲେ ପୁରା ପରିବାର

Published By : Prameya-News7 Bureau | December 19, 2024 IST

ନାସିକ ୧୯।୧୨: ମୁମ୍ବାଇରେ ଗେଟୱେ ଅଫ ଇଣ୍ଡିଆରୁ ବୁଧବାର ଅପରାହ୍ନରେ ଯାତ୍ରୀ ନେଇ ଯାଇଥିବା ନିଲକମଲ ଫେରିବୋଟ ନେଭି ସ୍ପିଡ ବୋଟ୍ ଧକ୍କାରେ ସମୁଦ୍ରରେ ବୁଡି ଯାଇଥିଲା। ଏହି ଦୁର୍ଘଟଣାରେ ୩ ନୈସେନା କର୍ମଚାରୀଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ନାସିକ୍ ଜିଲ୍ଲା ପିମ୍ପଲ ଗାଁବ ବସଭନ୍ତର ରାକେଶ ନାନା ଅହିରେଙ୍କ ପୁରା ପରିବାର ନିଶ୍ଚିହ୍ନ ହୋଇଯାଇଛି। ଦୁର୍ଘଟଣାରେ ନିଜେ ରାକେଶ, ତାଙ୍କ ୨୮ ବର୍ଷ ବୟଷ୍କା ପତ୍ନୀ  ହର୍ଷଦ ଓ ୫ ବର୍ଷର ପୁଅ ନିଧେଶ ମଧ୍ୟ ପ୍ରାଣ ହରାଇଛି। 

ରାକେଶ ତାଙ୍କ ଆଜମା  ଚିକିତ୍ସା ନିମନ୍ତେ ପୁଅ ଓ ପତ୍ନୀଙ୍କୁ ନେଇ ମୁମ୍ବାଇ ଆସିଥିଲେ। ହସ୍ପିଟାଲରେ ୨ ଦିନ ଚିକିତ୍ସିତ ହେବା ପରେ ରାକେଶ ବୁଧବାର ଡିସଚାର୍ଜ ହୋଇଥିଲେ। ପୁଅ ଓ ପତ୍ନୀଙ୍କ ସହ ସେ ଗେଟୱେ ଅଫ ଇଣ୍ଡିଆ ବୁଲି ଯାଇଥିବା ବେଳେ ଏଲିଫେଣ୍ଟା ଯିବା ପାଇଁ ନିଲକମଲ ଫେରିରେ ବସିଥିଲେ। ସେମାନେ ଏଲିଫେଣ୍ଟା ଯାଉଥିବା ବେଳେ ମଝି ସମୁଦ୍ରରେ ନୌସେନାର ସ୍ପିଡ ବୋଟ୍ ଫେରି ସହ ଧକ୍କା ଲାଗିଥିଲା। ଫଳରେ ଫେରି ବୁଡି ଯାଇଥିବା ବେଳେ ରାକେଶଙ୍କ ପୁରା ପରିବାର ବୁଡି ଯାଇଥିଲା। 

କୁହାଯାଉଛି ଦୁର୍ଘଟଣା କାଳରେ ନୌସେନା ସ୍ପିଡବୋଟ୍ ପରୀକ୍ଷଣରେ ଥିଲା।  ଏହି ସମୟରେ ଫେରିରେ ୧୧୦ ଜଣ ଯାତ୍ରୀଥିଲେ। ଏଥିରେ ରାକେଶ ଅହିରେ, ତାଙ୍କ ପତ୍ନୀ ହର୍ଷଦା ଅହିରେ ଓ ୫ ବର୍ଷର ପୁଅ ନିଧେଶ ଅହିରେ ବି ଥିଲେ। ହୃଦୟ ବିଦାରକ ଘଟଣାରେ ପିମ୍ପଲ ଗାଁବ ବସଭନ୍ତର ଅହିରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡିଛି। ମୃତ ରାକେଶ ଅହିରେଙ୍କ ପିତା ନାନା ଅହିରେଙ୍କ କନଷ୍ଟ୍ରକ୍ସନ ବ୍ୟବସାୟ ରହିଛି। ରାକେଶ ଆଜମାରେ ପୀଡ଼ିତ ଥିଲେ। ୭ ବର୍ଷ ପୂର୍ବେ ତାଙ୍କର ବିବାହ କଲ୍ୟାଣର ହର୍ଷଦଙ୍କ ସହିତ ହୋଇଥିଲା। 

୫ ବର୍ଷ ପୂର୍ବେ ତାଙ୍କ ଘରେ ନିଧେଶଙ୍କ ଜନ୍ମ ହୋଇଥିଲା। ସେମାନେ ମଝିରେ ମଝିରେ ଆଜମାର ଚିକିତ୍ସା ପାଇଁ ମୁମ୍ବାଇ ଯାଆନ୍ତି। ଏଥର ବି ସେ ପତ୍ନୀ ହର୍ଷଦ ଅହିରେ (୨୮), ପୁଅ ନିଧେଶ (୫) ସହିତ ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ଆସିଥିଲେ। ଚିକିତ୍ସା ପରେ ସେମାନେ ଗେଟୱେ ଅଫ ଇଣ୍ଡିଆ ନିକଟକୁ ସମୁଦ୍ର ବୁଲାର ମଜା ନେବାକୁ ଯାଇଥିଲେ। ଅହିରେ ପରିବାରର ୩ ସଦସ୍ୟଙ୍କ ଦୁଃଖଦ ମୃତ୍ୟୁରେ ଏବେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.