ଚଣ୍ଡିଗଡ଼ ୧୯।୧୨: ଖନୌରୀ ବର୍ଡରରେ ଆମରଣ ଅନଶନରେ ବସିଥିବା ପଞ୍ଜାବର କୃଷକ ନେତା ଜଗଜୀତ ସିଂହ ଡଲ୍ଲେୱାଲ ଗୁରୁବାର ୮ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଅଚେତ ହୋଇପଡିଥିଲେ। ଚିକିତ୍ସକ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ବୋଲି କହିଛନ୍ତି। ଡଲ୍ଲେବାଲଙ୍କ ଆମରଣ ଅନଶନ ଗୁରୁବାର ୨୪ ଦିନରେ ପହଞ୍ଚିଛି। ଖନୌରୀ ବର୍ଡରର ଧାରଣାସ୍ଥଳରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ ଡଲ୍ଲେବାଲଙ୍କ ପାଇଁ ଏବେ ହୃଦଘାତର ଭୟ ଥିବା କହିଛନ୍ତି।
ସେମାନେ କହିଛନ୍ତି ଯେ ଡଲ୍ଲେବାଲଙ୍କ କେତେକ ଅଙ୍ଗ କାମ ବନ୍ଦ କରିବାର ମଧ୍ୟ ବିପଦ ଦେଖାଦେଲାଣି। ଜଗଜୀତ ସିଂହ ଡଲ୍ଲେବାଲ(୭୦) ପଞ୍ଜାବ ଓ ହରିୟାଣାର ମଧ୍ୟସ୍ଥଳ ଖନୌରୀରେ ନଭେମ୍ବର ୨୬ ତାରିଖରୁ ଚାଷୀଙ୍କ ଦାବି ନେଇ ଅନଶନରେ ବସିଛନ୍ତି। ଡାକ୍ତରମାନେ ଖନୌରୀ ବର୍ଡରରେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଡଲ୍ଲେବାଲ ଗତ ୨୪ ଦିନ ହେଲା କିଛି ବି ଖାଇ ନାହାନ୍ତି। ଏହି କାରଣରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ଜଟିଳ ହୋଇପଡିଛି। ତାଙ୍କର ହୃଦଘାତ ହେବାର ଅଥବା କେତେକ ଅଙ୍ଗ ଅଚଳ ହେବାର ଏବେ ବିପଦ ସୃଷ୍ଟି ହୋଇଛି।
ଡାକ୍ତର ଅଭିରାଜ କହିଛନ୍ତି ଯେ ଆମେ ସବୁଦିନ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖି ରହିଛୁ। ଆଜି ତାଙ୍କ ରକ୍ତଚାପ ହ୍ରାସ ହୋଇଛି। ଏଣୁ ଆମେ ତାଙ୍କ ପାଦ ମାଲିସ କରିଛୁ। ତେବେ ତାଙ୍କ ସ୍ଥିତି ଏବେ ଜଟିଳ ବୋଲି ସେ କହିଛନ୍ତି। ଏବେ ତାଙ୍କ ଜୀବନ ପ୍ରତି ବିପଦ ଘନେଇଛି କୌଣସି ମୁହୁର୍ତ୍ତରେ ଏବେ କିଛି ବି ହୋଇପାରେ ବୋଲି ସେ ସତର୍କ କରିଛନ୍ତି। କୃଷକ ନେତା ଅଭିମନ୍ୟୁ କୋହାଡ କହିଛନ୍ତି ଯେ ଡଲ୍ଲେବାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଯେତେବେଳେ ସେ ଗାଧୋଇବା ପାଇଁ ୱାସରୁମ ଗଲେ ଫେରିବା ପରଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି।
ଡଲ୍ଲେବାଲ ଗୁରୁବାର ଅପରାହ୍ନ ୨ଟା ୨୦ମିନିଟ୍ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚତମ ନ୍ୟାୟାଳୟଙ୍କ ଶୁଣାଣିରେ ସାମିଲ ହୋଇଥିଲେ। ସେ ପାଖାପାଖି ୧୨ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ସଂଯୁକ୍ତ ରହିଥିଲେ। ତେବେ ମଝିରେ ମଝିରେ ଫୋନ କଟି ଯାଉଥିଲା। ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଡଲ୍ଲେବାଲଙ୍କ ସ୍ୱାସ୍ଥ୍ୟାବସ୍ଥାର ସଂଜ୍ଞାନ ନେଇଥିଲେ ଓ ପଞ୍ଜାବ ସରକାରଙ୍କୁ କାଳ ବିଳମ୍ବ ନ କରି ଚିକିତ୍ସକୀୟ ସହାୟତା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।