ଭୁବନେଶ୍ୱର: ଟ୍ୱିନ୍ ସିଟିରେ ବଢୁଥିବା ଅପରାଧ କମିଶନରେଟ୍ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅପରାଧ ନିୟନ୍ତ୍ରଣ ରୋକିବାରେ ପୋଲିସ ବିଳଫ ହେଉଥିବା ଅଭିଯୋଗ ମଧ୍ୟ ହେଉଛି । ଏହାରି ଭିତରେ ମଙ୍ଗଳବାର ପୋଲିସ କମିଶନର ଦେବଦତ୍ତ ସିଂହ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଟ୍ୱିନ୍ ସିଟିରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ଅପରାଧର ଟ୍ରେଣ୍ଡ ଉପରେ ଏହି ବୈଠକରେ ସମୀକ୍ଷା କରିଛନ୍ତି । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବା ସହ ଲୋକାଲ୍ ପୋଲିସ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି ।
ଟ୍ୱିନ୍ ସିଟିରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ସବୁ ଆଇଆଇସିଙ୍କୁ ନିଜ ନିଜ ଏରିଆରେ ପାଟ୍ରୋଲିଂ, ବ୍ଲକିଂ ଏବଂ ଚେକିଂକୁ କଡ଼ାକଡ଼ି କରିବା ପାଇଁ କୁହାଯାଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ୱେଦନଶୀଳ ଅଞ୍ଚଳରେ ନିଜେ ଆଇଆଇସି ପୁଲିସିଂର ନେତୃତ୍ୱ ନେବା ଦରକାର । ଆରଇଏସଏସ୍ ଏବଂ ପିସିଆର ଟିମ୍ଙ୍କ ବ୍ୟତୀତ ସ୍ଥାନୀୟ ପୋଲିସ କୌଣସି ଘଟଣା ଘଟିଲେ ତତ୍କାଳୀନ ଆକ୍ସନ ନେବା ଦରକାର ବୋଲି କୁହାଯାଇଛି । ତଦାରଖ ଏବଂ ଅନୁସନ୍ଧାନକୁ ପ୍ରଭାବୀ କରିବା ପାଇଁ ସମ୍ଭାବ୍ୟ ଘଟଣାଗୁଡ଼ିକୁ ତୁରନ୍ତ ରିପୋର୍ଟ କରିବା ପାଇଁ କୁହାଯାଇଛି । ମହିଳାଙ୍କ ବିରୁଦ୍ଧରେ ଯେକୌଣସି ଅପରାଧ, ସେ ଛୋଟ ହେଉ ବା ବଡ଼, ଅବିଳମ୍ବରେ ତତ୍ପରତା ସହିତ ପଦକ୍ଷେପ ନିଆଯିବା ଦରକାର ବୋଲି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକରେ କୌଣସି ରାଗିଂ ଘଟଣା ସାମନାକୁ ଆସିଲେ ବିଳମ୍ୱ ନକରି ଏହା ଉପରେ ପଦକ୍ଷେପ ନିଆଯିବା ପାଇଁ କୁହାଯାଇଛି । ଏହାସହ ନିଶା କାରବାର ବିରୋଧରେ ଅଭିଯାନକୁ ଆହୁରି ଅଧିକ କରିବା ପାଇଁ କୁହାଯାଇଛି ।