ମୋବାଇଲ ଫୋନ ଟାରିଫ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ, ଜାଣନ୍ତୁ କ’ଣ କହିଲେ ରଣଦୀପ ସୂରଜେୱାଲା

Published By : Prameya-News7 Bureau | July 05, 2024 IST

ନୂଆଦିଲ୍ଲୀ ୫।୭: ଦେଶରେ ସେଲଫୋନ ଟାରିଫ ବୃଦ୍ଧିକୁ ନେଇ କଂଗ୍ରେସ ନେତା ରଣଦୀପ ସୂରଜେୱାଲା ଶୁକ୍ରବାର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସୂରଜେୱାଲା କହିଛନ୍ତି ଯେ ଜୁଲାଇ ୩ ତାରିଖରୁ ଦେଶରେ ମୋବାଇଲ ଫୋନ ଟାରିଫ ବଢାଇ ଦିଆଯାଇଛି। ମୋବାଇଲ ଫୋନ ସେବା ଶୁଳ୍କ ବୃଦ୍ଧି ଯୋଗୁ ଜନତାଙ୍କୁ ଏବେ ଅତିରିକ୍ତ ପୈଠ କରିବାକୁ ପଡିବ। 

ସେ କହିଛନ୍ତି ଯେ ଦେଶର ୧୦୯ କୋଟି ମୋବାଇଲ ଫୋନ ୟୁଜର ଜିଓ, ଏୟାରଟେଲ ଓ ଭୋଡାଫୋନ ସେବା ନେଉଛନ୍ତି। କେନ୍ଦ୍ରର ମୋଦି ସରକାର ଏବେ ଏହି ୧୦୯ କୋଟି ମୋବାଇଲ ଫୋନ ୟୁଜରଙ୍କ ଉପରେ ବାର୍ଷିକ ୩୪,୮୨୪ କୋଟି ଟଙ୍କାର ଅତିରିକ୍ତ ବୋଝ ଲଦି ଦେଇଛନ୍ତି। ଦେଶର ପ୍ରାଇଭେଟ ସେଲ ଫୋନ କମ୍ପାନୀମାନେ ଏହି ଟାରିଫରେ ହାରାହାରି ୧୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହି କମ୍ପାନୀମାନଙ୍କର ମାର୍କେଟ ସେୟାର ୯୧.୬ ପ୍ରତିଶତ। ଅର୍ଥାତ ୧୧୯ କଟି ମୋବାଇଲ ଫୋନ ୟୁଜରଙ୍କ ମଧ୍ୟରୁ ୧୦୯ କୋଟି କେବଳ ଜିଓ, ଏୟାରଟେଲ ଓ ଭୋଡା ଫୋନର ଗ୍ରାହକ। 

ମୋଦି ସରକାର ଶୁଳ୍କ ବଢାଇ ଜନତାଙ୍କ ଉପରେ ବୋଝ ଲଦିବାର କାମ କରିଛନ୍ତି। ସରକାରଙ୍କ ଆଖି, କାନ ଓ ନାକ ତଳେ ତଥା ସହମତିରେ ଘରୋଇ କମ୍ପାନୀ ମାନେ ଶୁଳ୍କ ବୃଦ୍ଧି କରିଛନ୍ତି। ସୂରଜେୱାଲା କହିଛନ୍ତି ଯେ ୧୧୯ କୋଟି ମୋବାଇଲ ଫୋନ ଗ୍ରାହକଙ୍କ ମୂଲ୍ୟରେ ୩ କମ୍ପାନୀଙ୍କୁ ଲାଭାନ୍ୱିତ କରିବାକୁ ଉଦ୍ୟମ କରିଛନ୍ତି। ଏଥିରୁ ସର୍ବପ୍ରଥମେ ଜିଓ ନିଜର ପ୍ଲାନ ରେଟ୍ ବଢାଇଥିଲା। ଏହାକୁ ଦେଖି ଅନ୍ୟ ସର୍ଭିସ ପ୍ରୋଭାଇଡର ମଧ୍ୟ ଟାରିଫ ବୃଦ୍ଧି କରିଛନ୍ତି। 

ସେ କହିଛନ୍ତି ଯେ ଭାରତର ମୋବାଇଲ ଫୋନ ବଜାରରେ ମାତ୍ର ୩ଟି ଅପରେଟର ଅଛନ୍ତି। ଏଥିରୁ ରିଲାଏନ୍ସ ଜିଓର ୪୮ କୋଟି ୟୁଜର ଥିବା ବେଳେ ଏୟାରଟେଲର ୩୯ କୋଟି ୟୁଜର ଓ ଭୋଡାଫୋନ ଆଇଡିଆର ୨୨ କୋଟି ୩୭ ଲକ୍ଷ ୟୁଜର ଅଛନ୍ତି। ଏଥିରେ ଜିଓ ତା ଗ୍ରାହକଙ୍କ ପାଇଁ ଶୁଲ୍କରେ ୧୨ରୁ ୨୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଏୟାର ଟେଲ ୧୧ ପ୍ରତିଶତରୁ ୨୧ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଛି। ସେହିପରି ଭୋଡାଫୋନ ଆଇଡିଓ ଶୁଳ୍କରେ ୧୦ରୁ ୨୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ସେଲଫୋନ କମ୍ପାନୀମାନେ ନିଜନିଜ ମଧ୍ୟରେ ସଲାସୁତୁରା ହୋଇ ଶୁଳ୍କ ବୃଦ୍ଧି କରିଛନ୍ତି। 

ସର୍ଭିସ ପ୍ରୋଭାଇଡରମାନେ କୌଣସି ରେଗୁଲେସନ, ନିୟମ ଓ ଦେଖରେଖ ବିନା ଏକତରଫା ଭାବେ ଶୁଳ୍କ ବୃଦ୍ଧି କରିଛନ୍ତି। ତେବେ ସରକାର ଏଥି ପାଇଁ ସେମାନଙ୍କୁ ଅନୁମତି କିପରି ଦେଲେ ସେ ନେଇ ସୂରଜେୱାଲା ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି। ସରକାର ଓ ଟ୍ରାଇ ୧୦୯ କୋଟି ମୋବାଇଲ ଫୋନ ଗ୍ରାହକଙ୍କ ପାଇଁ ସେମାନଙ୍କ କର୍ତ୍ତବ୍ୟ ପାଳନ କରୁନଥିବା ସୁରଜେୱାଲା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ସରକାର ମୋବାଇଲ ଫୋନ ଶୁଳ୍କ ବୃଦ୍ଧିକୁ ଅଟକାଇ ରଖିଥିଲେ। ନିର୍ବାଚନ ସରିଯିବା ରେ ଶୁଳ୍କ ବୃଦ୍ଧିକୁ ସବୁଜ ସଂକେତ ଦେଇଛନ୍ତି। ତେବେ ଗ୍ରାହକଙ୍କଠାରୁ ଅତିରିକ୍ତ ଶୁଳ୍କ ଆଦାୟ ନିମନ୍ତେ ସରକାରଙ୍କୁ ଜବାବ ମଗାଯାଉ ବୋଲି ସୂରଜେୱାଲା ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.