ସଂସଦ ଟିଭିରେ ୭୩ ଥର ପ୍ରଧାନମନ୍ତ୍ରୀ ୬ ଥର ଦେଖାଯାଇଛନ୍ତି ରାହୁଲ ଗାନ୍ଧି, ରାଷ୍ଟ୍ରପତିଙ୍କ ଅଭିଭାଷଣର ଉଲ୍ଲେଖ କରି ସରକାରଙ୍କୁ ଘେରିଲା କଂଗ୍ରେସ

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ ୨୭।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୭ ଜୁନ ଗୁରୁବାର ସଂସଦର ମିଳିତ  ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏଥିରେ ରାଷ୍ଟ୍ରପତି ୧୯୭୫ ମସିହାରେ ଦେଶରେ ଜାରି ହୋଇଥିବା ଏମାର୍ଜେନ୍ସୀକୁ  ସମ୍ବିଧାନ ଉପରେ ସିଧା ଆକ୍ରମଣ ଓ ଗଣତନ୍ତ୍ରର କଳା ଅଧ୍ୟାୟ ବୋଲି କହିଛନ୍ତି। ଏବେ କଂଗ୍ରେସ ରାଷ୍ଟ୍ରପତିଙ୍କ ଅଭିଭାଷଣ କାଳରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦ ଟିଭିରେ ବାରମ୍ବାର ଦେଖାଇବା ଘଟଣାରେ ନିଜର ପ୍ରତିକ୍ରିୟା ରଖିଛି। 


କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି, ସେ ଦାବିର ସହ କହିଛନ୍ତି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ କାଳରେ ସଂସଦ ଟିଭି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୩ ଥର ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ମାତ୍ର ୬ ଥର ଦେଖାଇଛି। ଏ ନେଇ ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଲେଖିଛନ୍ତି ୫୧ ମିନିଟର ରାଷ୍ଟ୍ରପତି ଅଭିଭାଷଣରେ ସଂସଦ ଟିଭି କାହାକୁ କେତେ ଥର ଦେଖାଇଛି? ଗୃହର ନେତା ନରେନ୍ଦ୍ର ମୋଦିଙ୍କୁ ୭୩ ବାର ଦେଖାଯାଇଥିବା ବେଳେ ବିରୋଧୀ ଦଳ ନେତାଙ୍କୁ ୬ ଥର ଦେଖାଯାଇଛି। 


ସେହିପରି ୫୧ମିନିଟର କାର୍ଯ୍ୟକ୍ରମରେ ସଂସଦ ଟିଭି ଟ୍ରଜରୀ ବେଞ୍ଚକୁ ୧୦୮ ଥର ଦେଖାଇଥିବା ବେଳେ  ବିରୋଧୀ ଦଳଙ୍କୁ ମାତ୍ର ୧୮ ଥର ଦେଖାଇଛି। ସଂସଦ ଟିଭି ସଦନର କାର୍ଯ୍ୟକ୍ରମ ଦେଖାଇବା ପାଇଁ ରହିଛି, କ୍ୟାମେରାଜୀବୀଙ୍କ ଆତ୍ମମୁଗ୍ଧତା ପାଇଁ ନୁହେଁ। ଏ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। 

ସେ ଉଲ୍ଲେଖ କରିଛନ୍ତି ଯେ ମୋଦି ସରକାରଙ୍କ ଦ୍ୱାରା ଲେଖାଯାଇଥିବା ରାଷ୍ଟ୍ରପତି ଅଭିଭାଷଣ ଶୁଣି ଏପରି ଲାଗିଲା ଯେ ପ୍ରଧାନମନ୍ତ୍ରୀ ମୋଦି ଲଗାତାର ଅସ୍ୱୀକାର ସ୍ଥିତିରେ ଅଛନ୍ତି। ଜନାଦେଶ ତାଙ୍କ ବିପକ୍ଷରେ ଥିଲା। କାରଣ ଦେଶର ଜନତା ତାଙ୍କର ୪୦୦ ପ୍ଲାସ ସ୍ଲୋଗାନକୁ ନାକାରୀ ଦେଇଛନ୍ତି ଓ ବିଜେପିକୁ ୨୭୨ ନମ୍ବରରୁ ବି ଦୂରରେ ରଖିଛନ୍ତି। 


ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଷ୍ଟାଦଶ ଲୋକସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ ଆଗାମୀ କିଛି ମାସରେ ଭାରତ ଏକ ଗଣତନ୍ତ୍ର ରୂପେ ୭୫ ବର୍ଷ ପୂରଣ କରିବାକୁ ଯାଉଛି। ସେ କହିଛନ୍ତି ଯେ ଭାରତର ସମ୍ବିଧାନ ଗତ ଦଶନ୍ଧୀମାନଙ୍କରେ ସବୁ ଆହ୍ୱାନର ମୁକାବିଲାରେ ସଫଳ ହୋଇଛି। ଯେତେବେଳେ ଭାରତର ସମ୍ବିଧାନ ତିଆରି ହେଉଥିଲା ବିଶ୍ୱରେ ଏମିତି ବି ଶକ୍ତି ଥିଲେ ଯେଉଁମାନେ ଭାରତର ବିଫଳତା କାମନା କରୁଥିଲେ। ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ ଦେଶରେ ସମ୍ବିଧାନ ଲାଗୁ ହେବା ପରେ ମଧ୍ୟ ଏହା ଉପରେ ଅନେକ ଆକ୍ରମଣ ହୋଇଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.