ଓପନଏଆଇ ପାଇଁ ବଢ଼ିପାରେ ଅଡ଼ୁଆ, କପିରାଇଟ୍ ଉଲ୍ଲଘଂନ ଅଭିଯୋଗ ଆଣିଲେ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ କମ୍ପାନି

Published By : Prameya-News7 Bureau | January 27, 2025 IST

ନୂଆଦିଲ୍ଲୀ: ଓପନଏଆଇ ପାଇଁ ବଢ଼ିପାରେ ଅଡ଼ୁଆ। କାରଣ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ କମ୍ପାନି ସମେତ, ‘ଦ ଇଣ୍ଡିଆନ ଏକ୍ସପ୍ରେସ୍’ ଏବଂ ‘ହିନ୍ଦୁସ୍ତାନ ଟାଇମ୍ସ’ ଭଳି ଅନେକ ମିଡିଆ ଗ୍ରୁପ୍ସ OpenAI ବିରୋଧରେ ଦିଲ୍ଲୀ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି । ରଏଟର୍ସର ରିପୋର୍ଟ ଅନୁଯାୟୀ, ଏମାନେ ଓପନଏଆଇ ବିରୋଧରେ କପିରାଇଟ୍ ଉଲ୍ଲଘଂନ ଅଭିଯୋଗ ଆଣି ମୋକଦ୍ଦମା କରିଛନ୍ତି। 

ପ୍ରକୃତରେ ଡିଜିଟାଲ ନ୍ୟୁଜ ପବ୍ଲିସର୍ସ ଆସୋସିଏସନ ଏବଂ ଅନ୍ୟ ମିଡିଆ ହାଉସ୍, ଯେପରିକି ଆଦାନୀଙ୍କ ଏନଡିଟିଭି ଏବଂ ଅମ୍ବାନୀଙ୍କ ନେଟଓ୍ବର୍କ 18 ଅଭିଯୋଗ ଆଣିଛନ୍ତି ଯେ, ଓପନଏଆଇ ଜାଣିଶୁଣି ଡାଟା ସ୍କ୍ରାପିଂ ଏବଂ କଣ୍ଟେଣ୍ଟ ଆଡାପ୍ଷେସନ କରୁଛି। ଏମିତି କରିବା ଦ୍ବାରା ଡିଜିଟାଲ ନ୍ୟୁଜ୍ ପବ୍ଲିଶରଙ୍କ ମୂଲ୍ୟବାନ କଣ୍ଟେଣ୍ଟକୁ କ୍ଷତି ପହଞ୍ଚିପାରେ। ଓପନଏଆଇ, ଏହିସବୁ ନ୍ୟୁଜ୍ ଓ୍ବେବସାଇଟରୁ ବିନା ଅନୁମତିରେ କଣ୍ଟେଣ୍ଟ ସ୍କ୍ରାପ କରି ଚାଟ୍‌ଜିପିଟିରେ ବ୍ୟବହାର କରିଛି। 

ସୂଚନାଥାଉକି, ଗତବର୍ଷ ଏଏନଆଇ ମଧ୍ୟ ଏଭଳି ଅଭିଯୋଗ ଆଣିଥିଲା। ଆଉ ଏବେ ଗ୍ଲୋବାଲ ଏବଂ ଇଣ୍ଡିଆନ ବୁକ୍ ପବ୍ଲିସର୍ସ ମଧ୍ୟ ଏହି ଲଢ଼େଇରେ ସାମିଲ ହୋଇଛନ୍ତି । ଫଳରେ ଏହି ଜେନେରେଟିଭ ଏଆଇ ମଡେଲ ବିରୋଧରେ କପିରାଇଟ ମାମଲାରେ ବଢ଼ିବାରେ ଲାଗିଛି। ତେବେ ଯଦି ଅଦାଲତଙ୍କ ନିଷ୍ପତ୍ତି ଏହି ସଂସ୍ଥାଙ୍କ ପକ୍ଷରେ ଆସୁଛି, ତେବେ ଏଆଇ କମ୍ପାନିଙ୍କ ଉପରେ କପିରାଇଟ କଣ୍ଟେଣ୍ଟର ବ୍ୟବହାରକୁ ନେଇ କଡ଼ା ନିୟମ ଲାଗୁ ହୋଇପାରେ। ଆଉ ଯଦି ନିଷ୍ପତ୍ତି ଓପନଏଆଇ ପକ୍ଷରେ ଯାଉଛି, ତେବେ ‘ଫେୟାର ୟୁଜ୍‌’ର ପରିଭାଷାକୁ ଡିଜିଟାଲ ଯୁଗରେ ନୂଆ ରୂପ ମିଳିବ। ଯାହା ଯୋଗୁ କପିରାଇଟ ନିୟମରେ ମଧ୍ୟ ପରିବର୍ତ୍ତନ ଆସିବ। 

ଏଏନଆଇ ଦ୍ବାରା ହୋଇଥିବା ମାମଲାର ଜବାବରେ ଓପନଏଆଇ ପକ୍ଷ ରଖି କହିଛି ଭାରତରେ ଏହାର କୌଣସି ଅଫିସ କିମ୍ବା ସ୍ଥାୟୀ ଠିକଣା ନାହିଁ। ଚାଟ୍‌ଜିପିଟିର ଟ୍ରେନିଂ ଡାଟା ଷ୍ଟୋର କରିବା ସର୍ଭର ଭାରତ ବାହାରେ ରହିଛି। ଏହା ସହ କମ୍ପାନି ଆହୁରି କହିଛି ବର୍ତ୍ତମାନ ଆମେରିକାରେ ମୋକଦ୍ଦମାର ସାମ୍‌ନାକୁ କରୁଛି। ଏମିତିରେ ସବୁ ଡାଟାକୁ ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ଅନିବାର୍ଯ୍ୟ। ଏହାର ଅର୍ଥ ଯେପର୍ଯ୍ୟନ୍ତ ସେଠେରେ କୋର୍ଟ ପ୍ରକ୍ରିୟା ସରିନାହଁ, ସେପର୍ଯ୍ୟନ୍ତ ଡାଟା ହଟାଯାଇପାରିବନି।

ଗ୍ଲୋବାଲ ବୁକ୍ ପବ୍ଲିଶର୍ସ ପକ୍ଷରୁ ମୋକଦ୍ଦମା

ଭାରତ ଏବଂ ଅନ୍ତର୍ଜାତୀୟ ପବ୍ଲିଶର୍ସ ମିଶି ଓପନଏଆଇ ବିରୋଧରେ କପିରାଇଟ ଉଲ୍ଲଘଂନ ମୋକଦ୍ଦମା କରିଛନ୍ତି। ବ୍ଲୁମ୍‌ସବରୀ, ପେଙ୍ଗୁଇନ୍‌ ର୍ୟାଣ୍ଡ୍‌ମ ହାଉସ ଏବଂ ରୁପା ପବ୍ଲିଶର୍ସଙ୍କ ଭଳି ସଂସ୍ଥାଙ୍କ ସଦସ୍ୟତା ଥିବା ଫେଡେରେସନ ଅଫ୍‌ ଇଣ୍ଡିଆନ ପବ୍ଲିଶର୍ସ, ଦିଲ୍ଲୀ ହାଇକୋର୍ଟରେ ଏହି କେସ ଫାଇଲ କରିଛନ୍ତି। ଏହି କେସ୍‌ର ଉଦ୍ଦେଶ୍ୟ ଚାଟଜିପିଟିକୁ ପ୍ରପରେଟରୀ କଣ୍ଟେଣ୍ଟ ପର୍ଯ୍ୟନ୍ତ ପହଞ୍ଚକୁ ରୋକିବା।

ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ କରିଛନ୍ତି ମୋକଦ୍ଦମା

ଖାଲି ଭାରତୀୟ ସଂସ୍ଥା ହିଁ ନୁହେଁ ନ୍ୟୁୟର୍କ ଟାଇମ୍ସ, ଚିକାଗୋ ଟ୍ରିବ୍ୟୁନ ଏବଂ ଦ ଡେନଭେର ପୋଷ୍ଟ ଭଳି ଆମେରିକୀୟ ଖବର କାଗଜ ସମୂହ ମଧ୍ୟ ଓପନ ଏଆଇ ଉପରେ କପିରାଇଟ ଉଲ୍ଲଂଘନ ଅଭିଯୋଗ ଆଣିଛନ୍ତି। ମୋକଦ୍ଦମାରେ କୁହାଯାଇଛି, ଓପନଏଆଇ ଦ୍ବାରା ଏଆଇ ସିଷ୍ଟମକୁ ଟ୍ରେନ କରିବା, କପିରାଇଟେଡ କଣ୍ଟେଣ୍ଟର ବ୍ୟବହାର ପାଇଁ ଥିବା ‘ଫେୟାର ୟୁଜ’ ଅଧୀନରେ ଆସୁନାହିଁ। 

ମିଡିଆ ବନାମ ଏଆଇ

ତେବେ ଗୋଟିଏ ପଟେ ଓପନଏଆଇ ବିରୋଧରେ କପିରାଇଟ ଉଲ୍ଲଘଂନ ମାମଲା ଚାଲିଥିଲେବି ଅନପଟେ କିଛି ସଂସ୍ଥା ଓପଏଆଇ ସହ ବଡ଼ ଚୁକ୍ତି କରିଛନ୍ତି। ଭାରତରେ ଟାଇମ୍ସ ଅଫ୍‌ ଇଣ୍ଡିଆ ଓପନଏଆଇ ସହ ଚୁକ୍ତି କରିଛି। ସେହିଭଳି ଆସୋସିଏଟେଡ ପ୍ରେସ, ଦ ଫାଇନାନ୍ସିଆଲ ଟାଇମ୍ସ ଏବଂ ଭକ୍ସ ମିଡିଆ ଭଳି ଅନ୍ତର୍ଜାତୀୟ ମିଡିଆ ସଂଗଠନ ଓପନଏଆଇ ସହ ପାର୍ଟନରସିପ୍‌ କରିଛନ୍ତି। ଏହି ଡିଲ ଦ୍ବାରା ମିଡିଆ କମ୍ପାନିମାନେ ଏଆଇ ଟେକ୍ନୋଲୋଜିର ଫାଇଦା ନେଇପାରିବେ ଏବଂ ସେମାନଙ୍କର ଏଆଇ ଦ୍ବାରା ସେମାନଙ୍କ କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣ ରଖିପାରିବେ।

ହେଲେ ଦୁନିଆର ଅନେକ ଲେଖକ, ନ୍ୟୁଜ ଆଉଟଲେଟ୍ ଏବଂ ମ୍ୟୁଜିସିଆନ ଟେକ୍ କମ୍ପାନି ଉପରେ କେସ୍ କରୁଛନ୍ତି।ସେମାନେ ଅଭିଯୋଗ କରୁଛନ୍ତି ସେମାନଙ୍କର କପିରାଇଟ କଣ୍ଟେଣ୍ଟକୁ ଏଆଇ ମଡେଲକୁ ପ୍ରଶିକ୍ଷିତ କରିବା ପାଇଁ ବ୍ୟବହାର କରାଯାଉଛି।ଏମିତିରେ ସେମାନେ କ୍ଷତିପୂରଣ ସହ ନିଜ କଣ୍ଟେଣ୍ଟକୁ ଏଆଇ ମଡେଲରୁ ମଧ୍ୟ ହଟାଇବାକୁ ଦାବି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.