ନୂଆଦିଲ୍ଲୀ: ସାଧାରଣ ବଜେଟ୍ ୨୦୨୫ରେ ମୋଦୀ ସରକାର ରେଳ ଯାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ଦ୍ରୁତ ରେଳ ଯାତ୍ରା ପାଇଁ ଅଧିକ ସୁବନ୍ଦୋବସ୍ତ କରି ପାରନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ରେଳର ଭିତ୍ତିଭୂମିର ଆଧୁନିକୀକରଣ ଓ ରେଳ ନେଟଓ୍ଵର୍କ ବିସ୍ତାର ସହିତ ସେମି ହାଇସ୍ପିଡ ଟ୍ରେନ ବନ୍ଦେ ଭାରତ, ବନ୍ଦେ ଭାରତ ସ୍ଲିପର, ଅମୃତ ଭାରତ ଓ ବନ୍ଦେ ମେଟ୍ରୋର ନିର୍ମାଣ ପାଇଁ ତିନି ଲକ୍ଷ କୋଟି ଟଙ୍କାର ଅଧିକ ବଜେଟ୍ ପ୍ରାବଧାନ କରି ପାରନ୍ତି।
ରେଲଓ୍ଵେ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୨୪-୨୫ର ସାଧାରଣ ବଜେଟ୍ରେ ରେଲଓ୍ଵେ ପାଇଁ ଦୁଇ ଲକ୍ଷ ୬୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ତେବେ ଚଳିତ ବର୍ଷ ସରକାର ବଜେଟ୍କୁ ବଢାଇ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ କରି ପାରନ୍ତି। ସେ କହିଛନ୍ତି ସରକାରଙ୍କଠୁ ମିଳିବାକୁ ଥିବା ଆର୍ଥିକ ସହାୟତାରୁ ପ୍ରସ୍ତାବିତ ୧୬ ହଜାର ୯୦୦ କିଲୋମିଟର ସମର୍ପିତ ସେମି ହାଇସ୍ପିଡ କରିଡର ଆଧାରରେ ଅମୃତ ଚତୁର୍ଭୁଜ ଯୋଜନାକୁ ଆଗକୁ ବଢାଯିବ।
ସେମି ହାଇସ୍ପିଡ କନେକ୍ଟିଭିଟିରେ ଯୋଡ଼ିବ ଏହି ସହର
ଏଥିରେ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, ଜମ୍ମୁ-କାଶ୍ମୀର, ବେଙ୍ଗାଲୁରୁ ଆଦି ସହରକୁ ସେମି ହାଇସ୍ପିଡ କନେକ୍ଟିଭିଟି ସହ ଯୋଡ଼ାଯିବ। ଏହି ସହର ମଧ୍ୟରେ ବନ୍ଦେ ଭାରତ, ବନ୍ଦେ ଭାରତ ସ୍ଲିପର, ଅମୃତ ଭାରତ ଟ୍ରେନ ଚଳାଚଳ କରିବ। ଏହା ବ୍ୟତୀତ ବର୍ତ୍ତମାନ ରେଳ ଲାଇନର ବିଦ୍ୟୁତିକରଣ, ନବୀକରଣ, ନୂତନ ରେଳ ଲାଇନ, ଦୋହରୀକରଣ ଆଦିର ବିସ୍ତାର କରାଯିବ।